ଖଡ଼ିଆଳ : କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ଗର୍ଭବତୀଙ୍କ ପ୍ରସବ ପରେ ତାଙ୍କୁ ଚିକିତ୍ସା ସହାୟତା‌ ‌ଯୋଗାଉଛନ୍ତି ଖଡ଼ିଆଳର ଡାକ୍ତର ଦମ୍ପତି। ଡାକ୍ତର ଆଦିତ୍ୟ ଯୋଶୀ ଓ ଡାକ୍ତର ସଂଘମିତ୍ରା ସିଂ ବାବୁ ସଂପୃକ୍ତ ମହିଳାଙ୍କ ଘରକୁ ଯାଇ ନିୟମିତ ଭାବେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ସଦର ମହକୁମାରୁ ୨୦ କିମି ଦୂର ଦାବ୍ରି ପଞ୍ଚାୟତ ରାମପୁରଗୁମା ଗାଁର ଗର୍ଭବତୀ ଅନୁସୟା କାଣ୍ଡ (୨୭ ବର୍ଷ) ଗତ ୨୧ ତାରିଖ ଦିନ କରୋନାରେ ସଂକ୍ରମିତ ହୋଇଥିଲେ। ସେ ଡାକ୍ତର ଯୋଶୀଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ। ଶନିବାର ତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଖଡ଼ିଆଳ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ତାଙ୍କ ଗାଁ ରାମପୁରଗୁମା ପହଞ୍ଚି ଘରେ ପ୍ରସବ କରାଇଥିଲେ। ବର୍ତ୍ତମାନ ଶିଶୁ ଓ ମା’ଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିବା ଜଣାପଡ଼ିଛି। ଗର୍ଭବତୀ କରୋନା ଆକ୍ରାନ୍ତ ହେବା ଦିନଠାରୁ ଡାକ୍ତର ଯୋଶୀ ତାଙ୍କୁ ଚିକିତ୍ସା ସେବା ଯୋଗାଉଥିଲେ। ଶନିବାର ଡାକ୍ତର ସିଂବାବୁ ରାମପୁରଗୁମା ଯାଇ ପ୍ରସୂତି କିପରି ଔଷଧ ଖାଇବେ, ନିଜ ଯତ୍ନ ନେବା ସହିତ ଶିଶୁର ଯତ୍ନ ନେବେ, ଶିଶୁକୁ କ୍ଷୀର ଖୁଆଇବା ସମୟରେ ହାତ ସଫା କରିବା ସହ ମାସ୍କ ବ୍ୟବହାର କରିବେ ଏବଂ ବାକି ସମୟରେ ଶିଶୁକୁ ମା’ଠାରୁ ଦୂରରେ ରଖିବାକୁ ବୁଝାଇ ଥିଲେ।

ଅନ୍ୟପକ୍ଷରେ ସେହି ଗାଁର ଜଣେ ୧୫ ବର୍ଷ ବୟସର ନାବାଳିକା ମଧ୍ୟ କରୋନା‌ ସଂକ୍ରମିତ ହୋଇ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ସେ ଏବେ ବହୁତ ଭୟଭୀତ ଥିବାରୁ ତାଙ୍କୁ ଭୟ ନକରିବାକୁ କହିବା ସହ ଯେକୌଣସି ଅସୁବିଧା ହେଲେ ତାଙ୍କୁ ଫୋନ୍‌ କରିବାକୁ କହି ଡାକ୍ତର ଯୋଶୀ ତାଙ୍କର ମୋବାଇଲ ନମ୍ବର ଦେଇଛନ୍ତି। ଏହା ପରେ ନାବାଳିକା ଜଣକ ଆଶ୍ୱସ୍ତ ଥିବା ଜଣାପଡ଼ିଛି।

The post କରୋନା ଆକ୍ରାନ୍ତ ମହିଳାଙ୍କ ପ୍ରସବ, ଚିକିତ୍ସା ସେବା ଯୋଗାଉଛନ୍ତି ଡାକ୍ତର ଦମ୍ପତି first appeared on Sambad.

from ଜିଲ୍ଲା | Sambad https://ift.tt/3haMV4p