ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ରବି ଧାନ ସଂଗ୍ରହ ଆଉ ୩-୪ ଦିନ ପରେ ଆପାତତଃ ଶେଷ ହେବ। ତେବେ ପଂଜୀକୃତ ହୋଇଥିବା ୧୫୮୦ ଚାଷୀଙ୍କ ମଧ୍ୟରୁ ଆହୁରି ୧୦୦ ଜଣ ଧାନ ବିକ୍ରି କରି ପାରିନାହାଁନ୍ତି। ରାଜ୍ୟ ଖାଦ୍ୟ ନିଗମର ତଥ୍ୟରୁ ଜଣାଯାଇଛି ଯେ ଖୋର୍ଦ୍ଧା ଜିଲ୍ଲାରେ ୧୫୮୭ଜଣ ଚାଷୀ ଧାନ ବିକ୍ରି କରିବାକୁ ପଂଜୀକରଣ କରିଥିଲେ। କୃଷି ସମବାୟ ସମିତି (ପିଏସି) ଦ୍ୱାରା ଆବେଦନ କରିଥିବା ସମସ୍ତ ଚାଷୀଙ୍କ ମ୍ୟାପିଂ ହୋଇଥିଲା।

୧୫୮୭ ଜଣ ଚାଷୀ ଜିଲ୍ଲାର ୨୦ଟି ପିଏସି ଦ୍ୱାରା ଧାନ ବିକ୍ରି କରିବାକୁ ଧାର୍ଯ୍ୟ ହୋଇଥିଲା। ୧୯ଟି ପିଏସି ମଧ୍ୟରେ ନରିସୋ ପିଏସିରେ ସର୍ବାଧିକ ୨୨୪ ଚାଷୀ ରହିଥିବା ବେଳେ ମହୁଖଣ୍ଡ ପିଏସିରେ ସର୍ବନିମ୍ନ ୨ ଜଣ ଚାଷୀ ରହିଛନ୍ତି। ୧୯ଟି ପିଏସିରେ ଆଜି ସୁଦ୍ଧା ୧୪୮୭ଜଣ ଚାଷୀ ୫୬୪୬୯.୭୫ କ୍ୱିଂଟାଲ୍ ଧାନ ବିକ୍ରି କରିଛନ୍ତି। ପ୍ରତିବର୍ଷ ରବି ଧାନ ସଂଗ୍ରହ ଋତୁ ମଇ ୧ ରୁ ଆରମ୍ଭ ହୋଇ ଜୁନ୍ ୧ ତାରିଖ ଯାଏଁ ଚାଲେ। ତେବେ ଚଳିତ ବର୍ଷ ଏହା ପ୍ରଥମ ଦଫାରେ ମଇ ୨୧ରେ ଆରମ୍ଭ ହେବା ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବାତ୍ୟା ୟଶ ଯୋଗୁଁ ଧାନ ସଂଗ୍ରହ ପୁଣି ୧୦ ଦିନ ଗଡ଼ିଯାଇଥିଲା। ମଇ ୩୧ ତାରିଖରେ ପ୍ରଥମ ରବି ଋତୁ ଧାନ ସଂଗ୍ରହର ଶୁଭାରମ୍ଭ ତୁରୀଣତୀର ପିଏସିରେ ଆରମ୍ଭ କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଅପ୍ରିଲ୍ ୨୭ ତାରିଖରେ ରବି ଋତୁ ଧାନ ସଂଗ୍ରହ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକରେ ୧୬୦୮ ଜଣ ଚାଷୀ ଧାନ ବିକ୍ରି ପାଇଁ ଆବେଦନ କରିଥିଲେ।

ତେବେ ପରବର୍ତୀ ସମୟରେ ମ୍ୟାପିଂ ହେବା ପରେ ଏହା ୧୫୮୭କୁ ଖସି ଆସିଥିଲା। ସେହିଭଳି ବୈଠକରେ ମୋଟ ଆବେଦନ କରିଥିବା ଚାଷୀଙ୍କ ମଧ୍ୟରୁ ପୂର୍ବର ଖରିଫ ଋତୁରେ ବାଦ୍ ପଡ଼ିଥିବା ଓ ଧାନ ମଣ୍ଡିକୁ ଆଣି ମଧ୍ୟ ପ୍ରାଶାସନିକ ଅବହେଳା ଯୋଗୁଁ ବିକ୍ରି କରିପାରିନଥିବା ଚାଷୀଙ୍କୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ହୋଇଥିଲା। ମୋଟ ଆବେଦନ କରିଥିବା ଚାଷୀଙ୍କ ମଧ୍ୟରୁ ୫୨୨ଜଣ ନୂତନ ଚାଷୀ ହୋଇଥିବା ବେଳେ ବଳକା ୧୦୫୯ଜଣ ଖରିଫରେ ବାଦ୍ ପଡ଼ିଥିବା ଚାଷୀ ଅଟନ୍ତି। ପ୍ରଥମ ଦଫାରେ ୧୩ହଜାର ୨୩୫ କ୍ୱିଂଟାଲ୍ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ବର୍ତମାନ ସୁଦ୍ଧା କେତେ ଖରିଫରୁ ବାଦ୍ ପଡ଼ିଥିବା ଚାଷୀଙ୍କ ଠାରୁ ଧାନ କିଣାଯାଇଛି ଓ ଟୋକେନ୍ ପାଇଥିବା ଚାଷୀ ଧାନ ବିକ୍ରି ପାଇଁ ଅପେକ୍ଷାରେ ଅଛନ୍ତି ସେନେଇ ଜିଲ୍ଲା ଯୋଗାଣ ବିଭାଗ ସହ ଯୋଗାଯୋଗ କରିବାରେ ଅନେକ ଥର ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଣ ଅଧିକାରୀ ଫୋନ୍ ଉଠାଇ ନଥିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ।

The post ଖୋର୍ଦ୍ଧାରେ ରବି ଋତୁ ଧାନ ସଂଗ୍ରହ; ସମୟ ଶେଷ ହେବାକୁ first appeared on Sambad.

from ଜିଲ୍ଲା | Sambad https://ift.tt/3vTfadm