କଟକ : ଶ୍ରୀକ୍ଷେତ୍ର ଭଳି ରାଜ୍ୟର ଅନ୍ୟ ମନ୍ଦିରରେ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରସଂଗରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। କେନ୍ଦ୍ରାପଡ଼ାର ତୁଳସୀକ୍ଷେତ୍ରରେ ଶ୍ରୀ ବଳଦେବଜିଉ ଓ ବରଗଡର ଭଟଲିରେ ଦଧିବାମନଜିଉଙ୍କ ରଥଯାତ୍ରା ଆୟୋଜନ ପ୍ରସଂଗ ନେଇ ଦାୟର ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିବା ସହିତ ଏ ସଂପର୍କିତ ୫ଟି ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଭଟଲି ରଥଯାତ୍ରା କମିଟି, ବଳଦେବଜିଉଙ୍କ ସେବକ ମଦନ ପତ୍ରୀ, ରଂଜନ କୁମାର ସୁଆର, ବାବାଜୀ ଚରଣ ପତ୍ରୀ, କ୍ଷିତୀଶ କୁମାର ସିଂଙ୍କ ପକ୍ଷରୁ ଦାୟର ପୃଥକ ମାମଲାର ଏକତ୍ର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ସବିଶେଷ ରାୟର କପି ହସ୍ତଗତ ହେବା ପରେ କେନ୍ଦ୍ରାପଡ଼ା ବଳଦେବଜିଉଙ୍କ ରଥଯାତ୍ରା ଆୟୋଜନ ପ୍ରସଂଗ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯିବ ବୋଲି ଆବେଦନକାରୀ ରଂଜନ କୁମାର ପତ୍ରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା, ବରଗଡ ଭଟଲି, କେନ୍ଦୁଝର ଓ ନୟାଗଡ଼ ରଣପୁରରେ ରଥଯାତ୍ରା ଆୟୋଜନ ପାଇଁ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଆଜି ଭଟଲି ସଂପର୍କିତ ଗୋଟିଏ ଓ କେନ୍ଦ୍ରାପଡା ରଥଯାତ୍ରା ସଂକ୍ରାନ୍ତୀୟ ୪ଟି ମାମଲା ହାଇକୋର୍ଟରେ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି କରି ହାଇକୋର୍ଟ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଏ ସଂପର୍କିତ ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପ୍ରାର୍ଥନାକୁ ଅଗ୍ରାହ୍ୟ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ, ଅମିତ ପ୍ରସାଦ ବୋଷ, ପ୍ରଫୁଲ୍ଲ ଚନ୍ଦ୍ର ବିଶ୍ବାଳ, ରାଜେଶ ମହାନ୍ତି ମାମଲା ପରିଚାଳନା କରୁଥିଲେ।

The post ରଥଯାତ୍ରା: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ first appeared on Sambad.

from ଜିଲ୍ଲା | Sambad https://ift.tt/3j7NGhf