କଟକ : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ…’କୁ ହାଇସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହା କାର୍ଯ୍ୟକାରୀ ହେବ। ଏ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଚଳିତ ଶିକ୍ଷାବର୍ଷରୁ ଏହି ସଂଗୀତକୁ ଉଭୟ ନବମ ଓ ଦଶମ ଶ୍ରେଣୀର ପ୍ରଥମ ଭାଷା ଓଡ଼ିଆ(ଏଫ୍‌ଏଲ୍ଓ) ବହିର ପଦ୍ୟ ବିଭାଗରେ ଏକ ବିଷୟ ଭାବେ ଛାତ୍ରଛାତ୍ରୀମାନେ ପଢ଼ିବେ। ଅନ୍ୟ ବିଷୟ ଭଳି ଏଥିରୁ ପ୍ରଶ୍ନ ମଧ୍ୟ ଆସିବ। ବୋର୍ଡ ପ୍ରଦତ୍ତ ବିଜ୍ଞପ୍ତିରେ ୨୦୨୧-୨୨ଶିକ୍ଷାବର୍ଷର ନୂତନ ପାଠ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି। କରୋନା ମହାମାରୀ ପାଇଁ ଗତବର୍ଷ ହାଇସ୍କୁଲ ପାଠ୍ୟକ୍ରମରୁ ୩୦ ପ୍ରତିଶତ ପାଠ୍ୟକ୍ରମକୁ ବାଦ୍‌ ଦିଆଯାଇଥିଲା। କରୋନାର ପ୍ରକୋପ ଥିବାରୁ ଚଳିତ ଶିକ୍ଷାବର୍ଷର ପାଠ୍ୟକ୍ରମରୁ ମଧ୍ୟ ସେହି ୩୦ ପ୍ରତିଶତ ପାଠ ବାଦ୍ ଦିଆଯାଇଛି। ନବମ, ଦଶମ ଶ୍ରେଣୀ, ଦ୍ବିତୀୟ ଓ ତୃତୀୟ ବର୍ଷ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ଶିକ୍ଷାବର୍ଷରୁ ୩୦ ପ୍ରତିଶତ ପାଠ୍ୟକ୍ରମକୁ ବାଦ୍‌ ଦେବା ପରେ ଅବଶିଷ୍ଟ ୭୦ ପ୍ରତିଶତ ପାଠ୍ୟକ୍ରମକୁ ନେଇ ସେମାନେ ପ୍ରସ୍ତୁତି ‌ହେବେ ଓ ସେହି ୭୦ ଭାଗରୁ ପରୀକ୍ଷାରେ ପ୍ରଶ୍ନ ଆସିବ ‌ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଉପରୋକ୍ତ ସମସ୍ତ ଶ୍ରେଣୀରେ ପାଠ୍ୟକ୍ରମ ବୋର୍ଡ ‌ୱେବ୍‌ସାଇଟ୍ www.bseodisha.ac.in ରେ ଉପଲବ୍‌ଧ। ନୂତନ ପାଠ୍ୟକ୍ରମ ବିଷୟରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବଗତ କରାଯାଇଛି।

The post ହାଇସ୍କୁଲ ପାଠ୍ୟକ୍ରମରେ ସାମିଲ ହେଲା ‘ବନ୍ଦେ ଉତ୍କଳ ଜନନୀ’ first appeared on Sambad.

from ଜିଲ୍ଲା | Sambad https://ift.tt/3d5OFLm