ଲରମ୍ଭା : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଫଟାମୁଣ୍ତା ପଞ୍ଚାୟତ ମଲିକଡିହି ନିକଟ ଅନ୍ଧାରୀ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ବାର୍‌ହା ମାଂସ ଜବତ କରି ଦୁଇଜଣ ଶିକାରୀଙ୍କୁ ଗିରଫ କରିଛି। ସେ ଦୁହେଁ ହେଲେ ଗଡ଼ିଆଜୋର ଗାଁର ଦୟା ବରିହା (୩୦ବର୍ଷ) ଓ ଲାହେଟଜୁରୀର ଧ୍ରୁବ ବରିହା (୩୨ବର୍ଷ)।

ବନ ବିଭାଗର ସୂଚନା ଅନୁସାରେ, ଏହି ଦୁଇ ଜଣ ପେସାଦାର ଶିକାରୀ। ଉଭୟେ ଅନ୍ଧାରୀ ଓ ମହଦା ସଂରକ୍ଷିତ ଜଙ୍ଗଲରେ ନିୟମିତ ଭାବେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ବୁଧବାର ମଧ୍ୟ ଏକ ବାର୍‌ହା ଶିକାର କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଲରମ୍ଭା ଫରେଷ୍ଟର ଭାଗ୍ୟବନ୍ତ ଦାସଙ୍କ ନେତୃତ୍ବରେ ମଲିକଡିହି ଗାଁରେ ଚଢ଼ଉ କରାଯାଇଥିଲା। ଲାହେଟଜୁରି ଗାଁ ପାଖରେ ଉଭୟ ଅଭିଯୁକ୍ତ ଏକ ବାଇକ୍ (ଓଡି ୧୭ଆର୍‌ ୩୦୨୬)ରେ ଆସୁଥିବା ଦେଖି ସନ୍ଦେହରେ ଅଟକାଇଥିଲେ। ଗାଡ଼ି ଡିକିରୁ ୧କେଜିରୁ ଅଧିକ ବାର୍‌ହା ମାଂସ ଓ ଏକ ଜାଲ ମିଳିଥିଲା। ଏନେଇ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା।

The post ବାର୍‌ହା ମାଂସ ଜବତ, ୨ ଶିକାରୀ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3ybk1IA