ବଲାଙ୍ଗୀର : ବହୁ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ଜିଲ୍ଲାରେ ୧୮ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିବିଶେଷଙ୍କୁ କୋଭିଡ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୧୯୫୩ ଜଣ ଟିକା ନେଇଛନ୍ତି। ବଲାଙ୍ଗୀର ସହରର ୪ଟି ଜାଗାରେ ୧୦ଟି ସେସନ କରାଯାଇ ଟିକାକରଣ ହୋଇଥିଲା। ରାଜେନ୍ଦ୍ର କଲେକ, ଟାଉନ ବାଳକ ହାଇସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର ଏବଂ ଜେଆଇଟିଏମ କଲେଜରେ ଟିକାକରଣ କରାଯାଇଥିଲା। ଜିଲ୍ଲାପାଳ ଚଞ୍ଚଳ ରାଣା ଏହାର ଶୁଭାରମ୍ଭ କରିଥିଲେ। ସିଡିଏମଓ ଡା. ଭୀମ ସାହୁ, ପୌର ନିର୍ବାହୀ ଅଧିକାରୀ, ପୁଲିସ ବିଭାଗର ଅଧିକାରୀମାନେ ଉପସ୍ଥିତଥିଲେ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୬ ହଜାର ଟିକା ଆସିଛି। ପ୍ରତ୍ୟେକ ଦିନ ଦୁଇ ହଜାର ଟିକା ଦିଆଯିବ। ଏଥିପାଇଁ ପ୍ରତିଦିନ ଦୁଇ ହଜାର ଲେଖାଏଁ ଟିକା ପାଇଁ ସ୍ଲଟ ବୁକିଂ ହେଉଛି। ସ୍ଲଟ ବୁକିଂ ପାଇଁ ସଂଧ୍ୟା ୬ଟାରୁ କୋୱିନ ୱେବସାଇଟ ଖୋଲୁଛି। ପ୍ରତ୍ୟହ ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏ ଟିକାକରଣ ଚାଲିଛି। ୬ ହଜାର ଟିକା ପରେ ଆଗକୁ ଟିକା ଆସିଲେ ପୁଣି ସମସ୍ତଙ୍କୁ ଅବଗତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଆଜି ଟିକାକରଣ କେନ୍ଦ୍ରରେ ଏକ ସେଲଫି ଜୋନ କରାଯାଇଥିଲା। ସେଥିରେ ଟିକା ନେବା ପରେ ଯୁବଗୋଷ୍ଠୀ ସେଲଫି ନେଉଥିବା ଦେଖାଯାଇଥିଲା।

The post ବଲାଙ୍ଗୀର ଜିଲ୍ଲାରେ ୧୮ରୁ ୪୪ ବର୍ଷୀୟ ଟିକାଦାନ ଆରମ୍ଭ, ୧୯୫୩ ଜଣ ନେଲେ ଟିକା first appeared on Sambad.

from ଜିଲ୍ଲା | Sambad https://ift.tt/34WTOkh