ଇବ୍‌ଥର୍ମାଲ : ଓଡ଼ିଶା ପାଓ୍ବାର ଜନେରେସନ୍‌ କର୍ପୋରେସନ୍ (ଓପିଜିସି) ତୃତୀୟ ୟୁନିଟ୍‌ ଅଚଳ ହୋଇଛି। ଆତ୍ୟଧିକ ଆସ୍‌ ସମସ୍ୟା କାରଣରୁ ରବିବାର ଠାରୁ କର୍ତ୍ତୃପକ୍ଷ ତୃତୀୟ ୟୁନିଟ୍‌କୁ ବନ୍ଦ କରିଦେଇଛନ୍ତି। ବିଭିନ୍ନ ସମସ୍ୟା ଯୋଗୁଁ ପୂର୍ବରୁ ତୃତୀୟ ୟୁନିଟ୍‌ରେ ୬୬୦ ମେଗାୱାଟ୍‌ ସ୍ଥାନରେ ୩୫୦ ମେଗାୱାଟ୍‌ ବିଦ୍ୟୁତ୍ ଉତ୍ପାଦନ ହେଉଥିଲା ଗତକାଲି ଠାରୁ ତାହା ମଧ୍ୟ ବନ୍ଦ ହୋଇଯାଇଛି। ଅନ୍ୟ ପଟେ ୟୁନିଟ୍‌ ୪ରେ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ ୬୦୦ ୟୁନିଟରୁ ୪୦୦ ୟୁନିଟ୍‌କୁ ଖସି ଆସିଥିବା ଜଣାଯାଇଛି।

ଓପିଜିସିର ଏହି ତୃତୀୟ ଓ ଚତୁର୍ଥ ୟୁନିଟ୍‌ ସମସ୍ୟା ସମାଧାନ ହେବାର ନାଁ ଧରୁନି। ନିମ୍ନମାନର କାରିଗରୀ କୌଶଳରେ ନିର୍ମିତ ହୋଇଥିବା ଏବଂ ଏହି କାରଣଣୁ ଉପରୋକ୍ତ ୟୁନିଟ ଦୁଇଟିରେ ଆରମ୍ଭରୁ ସମସ୍ୟା ଦେଖାଦେଉଥିବା ଆଲୋଚନା ହେଉଛି।ଏଇଏସ୍ ଜ୍ଞାନକୌଶଳରେ ନିର୍ମିତ ୟୁନିଟ୍‌ ଦ୍ବୟରୁ ଆଜି ପର୍ଯ୍ୟନ୍ତ ୬୬୦×୨ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରି ନାହିଁ। କେବେ ହପର ଭାଙ୍ଗିଯାଉଛି ତ କେବେ ଆସ୍‌ ପରିଚାଳନାରେ ତ୍ରୁଟି ଦେଖାଯାଉଛି। ସବୁବେଳେ କିଛିନା କିଛି ସମସ୍ୟା ଲାଗି ରହିଛି। ସମସ୍ୟା ସତ୍ବେ କିଛି ମାସ ହେଲା ତୃତୀୟ ୟୁନିଟ୍ ୬୬୦ ମେଗାୱାଟ୍‌ ସ୍ଥାନରେ ୩୫୦ ଓ ଚତୁର୍ଥ ୟୁନିଟ ୬୬୦ ମେଗାୱାଟ୍‌ ସ୍ଥାନରେ ୬୦୦ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଥିଲା। ଯାହାକି ବର୍ତ୍ତମାନ ଏହି ଉତ୍ପାଦନ ବହୁ ପରିମାଣରେ ହ୍ରାସ ପାଇଛି। ସମସ୍ୟା ଲାଗି ରହୁଥିବାରୁ କେତେବେଳେ ଅନେକ ସମୟରେ ବନ୍ଦ ରହୁଛି।

ପ୍ରକାଶ ଯେ, ପ୍ଲାଣ୍ଟ ନିର୍ମାଣ ସମୟରୁ ଗୁରୁତର ତ୍ରୁଟି କରାଯାଇଥିବା ନେଇ ବାରଂବାର ଅଭିଯୋଗ ହେବା ସହ ତଦନ୍ତ ଦାବି ହୋଇଛି। ଅଭିଯୋଗ ଅନୁସାରେ, ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ହେତୁ ଗତ ବର୍ଷ ସେପ୍ଟେମ୍ବର ମାସ ୬ ତାରିଖରେ ତୃତୀୟ ୟୁନିଟ୍‌ର ଗୋଟିଏ ହପର ଭାଙ୍ଗି ଯିବାରୁ ବଡ଼ ଧରଣର ଦୁର୍ଘଟଣା ଘଟି ୬ ଶ୍ରମିକ ଗୁରୁତର ହୋଇଥିଲେ। ଜଣଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ସେ ଦିନରୁ ଆଉ ଦୁଇଟି ହପର୍‌ରେ କାମ ଚାଲୁଛି। ହେଲେ ଆସ୍‌ ନିଷ୍କାସନ ପଦ୍ଧତ୍ତି ତ୍ରୁଟିପୂର୍ଣ୍ଣ ଥିବାରୁ ଆଜି ପ୍ଲାଣ୍ଟ ବନ୍ଦ ହୋଇଛି। ବ୍ୟବସ୍ଥା ଅନୁସାରେ ପ୍ଲାଣ୍ଟ ଚଳିବା ସମୟରେ କୋଇଲା ଜଳି ଆସ ହୋଇ ହପର ସହାୟତାରେ ବକ୍ସକୁ ଆସି ମୋଟା ଆସ ପାଇପ୍‌ ଯୋଗେ ଆସ୍‌ପଣ୍ଡକୁ ଯିବାକଥା ଓ ଗୁଣ୍ଡ ଆସ ସାଇଲୋକୁ ଯିବାକଥା। ହେଲେ ଏଠାରେ ସ୍ଥିତି ଅଲଗା। ଆସ୍‌ ଠିକ୍ ଭାବରେ ଡିସ୍‌ଚାର୍ଜ ନହୋଇ ହପର୍‌ ତଳେ ପଡୁଛି। ହପର୍‌ ମଧ୍ୟ ଠିକ୍ ଭାବେ କାମକଲେ ୮ ଘଣ୍ଟା ଆସ୍‌କୁ ଧରି ରଖି ଲୋଡ୍ ନେଇ ପାରିବ। କୁଢ଼ କୁଢ଼ ଆସ୍‌ ଗଦା ହେଲାବେଳକୁ ହପର ଗଳିପଡ଼ିବାର ଆଶଂକା ରହୁଛି। ଏଥର ବି ସେମିତି ହେବା ପୂର୍ବରୁ ଯେପରି କୌଣସି ଅଘଟଣ ନଘଟୁ ନେଣୁ ପ୍ଲାଣ୍ଟ ଟ୍ରିପ୍ କରା ଯାଇଥିବା ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଆସ୍‌ ତଳେ ପଡ଼ି ପାହାଡ଼ ପରି ଗଦା ହେଉଛି। ଜେସିବି, ହାଇଓ୍ବା, ଟ୍ରକ୍ ଲଗାଇ ଆସ୍‌କୁ ସ୍ଥାନାନ୍ତର କରାଯାଉଥିବାରୁ ସରକାରୀ ରାଜକୋଷକୁ ଅଧିକ କ୍ଷତି ସହିବାକୁ ପଡୁଛି। ଅପରପକ୍ଷରେ ପ୍ଲାଣ୍ଟ୍‌କୁ ଆସୁଥିବା ନିମ୍ନମାନର କୋଇଲାକୁ ଯୋଗୁଁ ଏଭଳି ସମସ୍ୟା ଉପୁଜୁଥିବା କୁହାଯାଉଛି। ଓପିଜିସିର ୪ଟା ୟୁନିଟ୍‌ ଚଳାଇବାକୁ ଦୈନିକ ୨୨ରୁ ୨୪ ହଜାର ଟନ୍ କୋଇଲା ଆବଶ୍ୟକ ହୋଇଥାଏ। ଏ ସମସ୍ତ କୋଇଲା ଚୁକ୍ତି ଅନୁସାରେ ଟ୍ରେନ୍ ଯୋଗେ ଏମ୍‌ସିଏଲ୍ ଲଖନପୁର କୋଇଲା କ୍ଷେତ୍ରରୁ ପ୍ରତିଦିନ ପରିବହନ ହୋଇଥାଏ। ହେଲେ କୋଇଲାର ମାନ ଖରାପ ଥିବାରୁ ଏବେ କିଛିଦିନ ହେଲା ଆସ୍‌ ପରିମାଣ ବୃଦ୍ଧି ହୋଇ ଏପରି ଘଟିଥିବା କୁହାଯାଇଛି। ଏ ସଂପର୍କରେ ଜନ ସଂପର୍କ ଅଧିକାରୀ ହିମାଂଶୁ ବେହେରାଙ୍କୁ ପଚରାଯିବାରୁ ଭଲ କୋଇଲା ନହେଲେ ପ୍ଲାଣ୍ଟ ଚଳେଇବା ସମ୍ଭବ ହେବ ନାହିଁ। ଏଣୁ ଓପିଜିସି ମ୍ୟନେଜ୍‌ମେଣ୍ଟ ପକ୍ଷରୁ ଏମସିଏଲ୍ ମ୍ୟନେଜ୍‌ମେଣ୍ଟ୍‌କୁ ଏ ସଂକ୍ରାନ୍ତରେ ଲିଖିତ ଅନୁରୋଧ କରିବା ସହ ଆଲୋଚନା ଜାରି ରଖିଥିବା ସେ କହିଛନ୍ତି।

ପ୍ରକା‌ଶଥାଉ କି, ଓପିଜିସି ସୁନ୍ଦରଗଡ଼ ଜିଲ୍ଲାରେ ନିଜସ୍ବ କୋଲ ବ୍ଲକ ମନୋହରପୁରଠାରେ ଖୋଲିଛି। ହେଲେ ସେଠାରୁ କୋଇଲା ପରିବହନ ସକାଶେ ତିଆରି ରେଲଓ୍ବେ ଲାଇନ୍‌ରେ ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ଜାମକାନୀଠାରେ ଏମ୍‌ସିଏଲ୍‌ ଅଧିକୃତ ଜମିର ସମସ୍ୟା ସମାଧାନ ହେଉ ନଥିବାରୁ କୋଇଲା ଆସିବାରେ ବାଧା ସୃଷ୍ଟି ହୋଇଥିବା କୁହାଯାଇଛି। ଗତ ମାର୍ଚ୍ଚ ମାସରେ ବିଧାନସଭା ଗୃହ କମିଟି ଓପିଜିସି ଗସ୍ତରେ ଆସିଥିବା ବେଳେ କମିଟି ଅଧ୍ୟକ୍ଷ ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ତାଙ୍କ ବକ୍ତବ୍ୟରେ ଓପିଜିସି ସମସ୍ୟାରେ ବୁଡ଼ି ରହିଥିବା କଥା ସ୍ବୀକାର କରିଥିଲେ। ଏବେ ଏଇଏସ୍ ନାହିଁ। ଓପିଜିସିର ଶତ ପ୍ରତିଶତ ମାଲିକାନା ଏବେ ରାଜ୍ୟ ସରକାରଙ୍କ ହାତରେ। ସମସ୍ୟା ସମାଧାନ କରି ଓପିଜିସିକୁ ଆଗେଇ ନେବା ସକାଶେ ଦକ୍ଷତା ସଂପନ୍ନ ନୂତନ ଏମ୍‌ଡି ଓ ଡାଇରେକ୍ଟର ଅପରେସନ୍‌ ମଧ୍ୟ ନିଯୁକ୍ତି ହୋଇ ସାରିଲେଣି। ସମସ୍ୟା ସମାଧାନ କରାଯିବ ବୋଲି ନୂତନ ଏମ୍‌ଡି ପ୍ରଶାନ୍ତ କୁମାର ମହାପାତ୍ର ଗତ ଏପ୍ରିଲ ମାସରେ ଓପିଜିସି ଗସ୍ତ ବେଳେ ମଧ୍ୟ କହିଥିଲେ। ଯଦି ସରକାର ଗୁରୁତ୍ବ ସହକାରେ ଓପିଜିସି ସମସ୍ୟା ସମାଧାନ ନକରନ୍ତି ତାହେଲେ ଆଗାମୀ ଦିନରେ ଏଠାରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେବ ବୋଲି ମତପ୍ରକାଶ ପାଇଛି।

The post ଓପିଜିସି ତୃତୀୟ ୟୁନିଟ୍‌ ଅଚଳ, ନିର୍ମାଣ କୌଶଳରେ ତ୍ରୁଟି ନେଇ ଚର୍ଚ୍ଚା first appeared on Sambad.

from ଜିଲ୍ଲା | Sambad https://ift.tt/2T4H0pi