କଟକ: ଦିନକ ପରେ ସାବିତ୍ରୀ, ତା’ ପଛକୁ ରଜ। ରଜ ସାବିତ୍ରୀରେ ଝିଅ, ବୋହୂ ନୂଆ ପୋଷାକ ଓ ଲୁଗା ପିନ୍ଧିବାର ପରଂପରା କାହିଁ କେଉଁ କାଳର। କିନ୍ତୁ ଏଥର କରୋନା ମହାମାରୀ ଜନିତ ପରିସ୍ଥିତିରେ ଚାରି ଆଡେ ଲକଡାଉନ। ଶାଢୀ, ପୋଷାକ ଦୋକନାରେ ତାଲା। କିନ୍ତୁ ଦୋକାନ ତାଲା ପଡିଥିଲେ ବି ବାସ୍ତବରେ ପ୍ରାୟ ଅଧିକାଂଶ ମହିଳା ସାବିତ୍ରୀ ପୂଜା ପାଇଁ କାମଚଳା ଢଙ୍ଗରେ ନୂଆ ଶାଢୀ କିଣିଛନ୍ତି। ଝିଅମାନେ ବି ‌ନୂଆ ପୋଷାକ ଆଣିଛନ୍ତି। କିଏ ଏଥିପାଇଁ ଅନଲାଇନ୍ ମାର୍କେଟିଂ ଉପରେ ଭରସା କରିଛି ତ ଅନେକ ଅଫଲାଇନ୍ ଅର୍ଥାତ କଟକର ଶାଢୀ, ପୋଷାକ ଦୋକାନରୁ ଏସବୁ କିଣିଛନ୍ତି। କରୋନା କଟକଣା ପରଂପରା ଆଗରେ ବାଧକ ସାଜିଥିଲେ ବି ତାହାକୁ ସଂପୂର୍ଣ୍ଣ ବନ୍ଦ କରିପାରି ନାହିଁ। ଅନଲାଇନ୍ ବିକ୍ରି ବାହାରେ କଟକ ବଜାରରେ ଲୁଚାଛପାରେ ୫କୋଟିରୁ ଅଧିକ ଟଙ୍କା‌ର ଶାଢୀ, ପୋଷାକ କାରବାର ହୋଇଥିବା ‌ଭଳି ତଥ୍ୟ ଏବେ ସାମନାକୁ ଆସିଛି। କେହି ବିଶେଷ ଦାମର ଶାଢୀ ପୋଷାକ କିଣି ନଥିବା ବେଳେ ପରଂପରା ରଖିବା ପାଇଁ ତାହାକୁ କିଣି ଥିବା ଅଧିକାଂଶ ଲୁଗା ବ୍ୟବସାୟୀ ନିଜନିଜର ନାମ ଗୋପନ ରଖି ସୂଚନା ଦେଇଛନ୍ତି। ସାଧାରଣ ଭାବେ କଟକ ବଜାରରେ ୪ଶହରୁ ଆରମ୍ଭ କରି ୧୨ଶହ ଟଙ୍କା ପର୍ଯ୍ୟନ୍ତ ଶାଢୀର ଅଧିକ କିଣାବିକା ହୋଇଛି।

କଟକରେ ରହିଛି ହୋ‌ଲସେଲ୍ ଶାଢୀର ସଂଖ୍ୟାଧିକ ଗୋଦାମ। ଚୌଧୁରୀ ବଜାର ନନ୍ଦିସାହିରୁ ଆରମ୍ଭ କରି ଝୋଲାସାହି, ଦୋଳମୁଣ୍ଡେଇ ପର୍ଯ୍ୟନ୍ତ ଭର୍ତ୍ତି ହୋଇରହିଛି ହୋଲସେଲ ଦୋକାନ। ଯେଉଁଠୁ କେବଳ କଟକ ନୁହେଁ ରାଜ୍ୟର ଅନେକ ଜିଲ୍ଲାର ଶାଢୀ ବଜାର ନିୟନ୍ତ୍ରିତ ହୁଏ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସାବିତ୍ରୀ, ରଜ ପାଇଁ ପାଖାପାଖି ୭୦/୮୦ କୋଟିର ବେପାର ପାଇଁ ଯୋଜନା କରିଥିଲେ ହୋଲସେଲ୍‌ ଓ ରିଟେଲ  ବ୍ୟବସାୟୀ। ଅଧିକାଂଶ ବେପାରୀ ମାଲ ଆଣି ଗଚ୍ଛିତ ରଖିଥିବା ବେଳେ, କିଛି ମାଲ ପାଇଁ ଅର୍ଡର ଦେଇଥିଲେ। ତାରି ଭିତରେ ଲକ୍‌ଲାଡନ୍‌ କଟକଣା ପାଇଁ ଅଧିକାଂଶ ଦେଇଥିବା ଅର୍ଡର ଯଦିଓ ସଂପୂର୍ଣ୍ଣ ବାତିଲ କରି ନାହାନ୍ତି ତଥାପି ବ୍ୟବସାୟୀମାନେ କମ୍‌ ମାଲ ଆଣିଥିଲେ। କିଛି ବ୍ୟବସାୟୀ କହିବା ଅନୁଯାୟୀ ମୋଟ ବେପାର ତ ନିଶ୍ଚିତ ଭାବେ କମିଛି। କିନ୍ତୁ ନେଇ ଆଣି ଥୋଇ ପାରିଥିବା ବ୍ୟବସାୟୀ ଖୁବ୍ ଭଲ ବେପାର ବି କରିଛନ୍ତି। ସେମାନେ ଗୋଟିକିଆ ବା ୪/୫ଖଣ୍ଡ ଶାଢୀ ବେପାର ବନ୍ଦ କରି ୫୦ରୁ ଅଧିକ ଶାଢୀ ନେଉଥିବା ଗ୍ରାହକ ତଥା‌ ଛୋଟ ଛୋଟ ବେପାରୀଙ୍କ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। ଦୋକାନ ଆଗରେ ସଟର ବନ୍ଦ। କିନ୍ତୁ ପଛପଟ ଖୋଲା। କିଛି ଦୋକାନୀ ଘରୁ ବି ମାଲ ପାର କରିଛନ୍ତି।

ଅନ୍ୟପଟେ  ସଟର ବନ୍ଦ କରି ଜଣେ, ଦୁଇ ଜଣ ଦୋକନ ବାହାରେ ରହୁଥିବା ବେଳେ  କେହି କିଛି ନଦେଖିବା ପୂର୍ବରୁ ଦୋକାନକୁ ହାତଗଣତି ୩/୪ଜଣ ବେପାରୀଙ୍କୁ ଆଣି ବ୍ୟବସାୟ କରୁଛନ୍ତି। ଏକାସହିତ ୫୦/୧୦୦ଟି ଲେଖାଏ ଶାଢୀ ଗାଣ୍ଠି ପ୍ରସ୍ତୁତ କରି ସିଧା ଆଣି ଗାଡିରେ ରଖି ଦେଉଛନ୍ତି ଦୋକାନର କର୍ମଚାରୀ। ଅତ୍ୟନ୍ତ ସତର୍କତାର ସହିତ ଏଭଳି ବେପାର ଚାଲିଛି। କିନ୍ତୁ କେବଳ ବାହାର ଗେଟ୍ ଥିବା ଆଉ ଗୋଦାମ ନଥିବା ଦୋକାନୀ ଚିନ୍ତାରେ ପଡିଛନ୍ତି। ଏଭଳି କ୍ଷେତ୍ରରେ ଲୁଗା ଦୋକାନୀଙ୍କ ପାଇଁ ସେଲ୍‌ସ ମ୍ୟାନ ଓ ସେମାନଙ୍କ ସହ ଯୋଡ଼ି ହୋଇଥିବା ମହିଳା ଓ ଯୁବତୀମାନେ ବିଶେଷ ଉପଯୋଗୀ ହୋଇଛନ୍ତି। ସେମାନେ ନିଜ ଘରେ ରହି ସାହି‌, ବସ୍ତିରେ ବେଶ ବେପାର ଜମାଇଛନ୍ତି। ପୁଷ୍ପା ଫ୍ୟାସନ୍‌ର ମାଲିକ ସନ୍ତୋଷ କୁମାର ବେହେରାଙ୍କ କହିବା କଥା ହେଲା ଆମ ହାତ ବନ୍ଧା। ଯେହେତୁ ଆମ ଦୋକାନ ମୁଖ୍ୟ ବଜାରରେ ତେଣୁ ସଟର ଖୋଲିଲେ ବିପଦ। ବେପାର ପୂରା ବନ୍ଦ, ହାତବାନ୍ଧି ବସିଛୁ।  ୭/୮ଲକ୍ଷର ଅର୍ଡର ଯାଇଥିଲା ତାକୁ ବାତିଲ କରିଦେଲି। ଅନ୍ୟପଟେ ଝୋଲାସାହିର ଜଣେ ‌ବଡ଼ ହୋଲସେଲ ବେପାରୀ ନିଜ ନାଁ ଗୋପନ ରଖି କହିଛନ୍ତି ଯେ ଏଭଳି ଟଣାଓଟରାରେ ୪୦ ପ୍ରତିଶତ ବେପାର ସମ୍ଭବ ହୋଇଛି। ସାହିବସ୍ତିରେ ରହିଥିବା ଛୋଟ ଲୁଗା ଦୋକାନୀ କିନ୍ତୁ କିଛିଟା ଫାଇଦାରେ ଅଛନ୍ତି। ସେମାନେ ହ୍ବାଟସଆପ୍, ଭିଡିଓ କଲିଂରେ ଗ୍ରାହକଙ୍କୁ ଶାଢୀ ଦେଖାଇ ଅର୍ଡର ନେଇ ରାତି ଅଧିଆ ଡେଲିଭରି ବ୍ୟବସ୍ଥା କରିଛନ୍ତି।

The post ପରଂପରାକୁ ରୋକି ପାରିଲାନି କଟକଣା; ଲୁଚାଛପାରେ ୫ କୋଟିର ବେପାର first appeared on Sambad.

from ଜିଲ୍ଲା | Sambad https://ift.tt/35fXOwB