ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପକାରାଗାରରେ ସପ୍ତାହେ ପୂର୍ବରୁ ଏକା ସାଂଗ‌ରେ ଦେଢ଼ ଶହରୁ ଅଧିକ ଜେଲ୍‌ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରୁ ସତରାମ ଧନୁଆରଙ୍କ ପରଲୋକ ଘଟିଛି। ସେ ପାଇକମାଲ ଥାନା ଅଧିନସ୍ଥ ଢେଂକିମୁଣ୍ତା ଗ୍ରାମର ବାସିନ୍ଦା। ସେ ଗୋଟିଏ ମାମଲାରେ ବିଚାରାଧୀନ କଏଦୀ ଥିଲେ। ଶରୀର ଅସୁସ୍ଥ ଥିବାରୁ ପରୀକ୍ଷା ପରେ ଗତମାସ ୨୧ ତାରିଖ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା। କାରାଗାରର ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ପଦ୍ମପୁରସ୍ଥିତ କୋଭିଡ କେୟାର ସେଣ୍ଟରରେ ରଖାଯାଇଥିଲା। ହେଲେ ଶନିବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ଘଟିଛି।

ଖବର ପାଇ ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଉପଖଣ୍ତ ଆରକ୍ଷୀ ଅଧିକାରୀ ପ୍ରଦୀପ ସାହୁ, ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ, ଉପଖଣ୍ତ ଚିକିତ୍ସାଧିକାରୀ ଡା.ତହସିଲ ସାହୁ, ତହସିଲଦାର ସଞ୍ଜନ ସେଟ, ଜେଲର୍‌ ଦଶମୀ ବାଗ ଘଟଣାସ୍ଥଳକୁ ପହଂଚିଥିଲେ। କୋଭିଡ କଟକଣା ମଧ୍ୟରେ ବୁର୍ଲା ଠାରେ ଶବ ବ୍ୟବଛେଦ କରାଯାଇ ଅନ୍ତିମ ସଂସ୍କାର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ଜେଲ୍‌ର ଶତାଧିକ କରୋନା ଆକ୍ରାନ୍ତ ଏବେ ସୁସ୍ଥ ଥିବା ଏବଂ ଜେଲ୍‌ ଭିତରେ ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ଡାକ୍ତରୀ ସେବା ଯୋଗାଇ ଦିଆଯାଉଥିବା ଜେଲ୍‌ କର୍ତୃପକ୍ଷ ସୂଚନା ଦେଇଛନ୍ତି।

The post କରୋନାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/34U2BU8