ସମ୍ବଲପୁର : ଟାଉନ୍‌ ଥାନା ସାହୁ କଲୋନିରେ ଷ୍ଟୋଭ୍‌ରେ ପୋଡ଼ି ହୋଇ ନୀଲୁ ଦେବୀଙ୍କ ମୃତ୍ୟୁ ଘଟିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ଷ୍ଟୋଭ୍‌ ଲଗାଉଥିବା ସମୟରେ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ବାମୀ ସମଲେଶ କୁଅଁର ମଧ୍ୟ ୬୦ ପ୍ରତିଶତରୁ ଅଧିକ ପୋଡ଼ି ହୋଇଯାଇଥିଲେ। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭିମ୍‌ସାର୍‌ରୁ କଟକ ବଡ଼ ଡାକ୍ତରଖାନକୁ ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ସ୍ବାମୀ ଏବେ ଚିକିତ୍ସାଧୀନ ଅଛନ୍ତି। ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଥିବା କହିଛି।

ନୀଲୁ ଦେବୀଙ୍କର ୨ଟି ପିଲା ମଧ୍ୟ ଅଛନ୍ତି। ତାଙ୍କ ଘର ବିହାର ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ କେହି ଆସିନଥିବା ଜଣାପଡ଼ିଛି। ଅନ୍ୟପଟେ ପଡ଼ାବାସୀଙ୍କ କହିବା ଅନୁଯାୟୀ ତାଙ୍କ ଘରେ ଆଗରୁ ଅନେକ ସମୟରେ ଝଗଡ଼ା ହେଉଥିବା ଶୁଣିଛନ୍ତି। ତାଙ୍କ ଦେହରେ ନିଆଁ ଲାଗିବା ସମୟରେ ଘରେ ପରିବାର ଲୋକେ ଥିଲେ। ନୀଲୁ ଦେବୀଙ୍କ ଦେହରେ ନିଆଁ ଲାଗିଲା କି ନିଆଁ ଲଗାଇ ଦିଆଯାଇଛି ଏହାର ଉପଯୁକ୍ତ ତଦନ୍ତ କରିବାକୁ ପଡ଼ାବାସୀ ଦାବି କରିଛନ୍ତି। ରବିବାର ସକାଳେ ପଡ଼ାର ୨୫ରୁ ୩୦ ଜଣ ମହିଳା ଟାଉନ୍‌ ଥାନାକୁ ଯାଇ ଏ ବିଷୟରେ ଜଣାଇବା ସହ ଏହାର ସଠିକ୍‌ ତଦନ୍ତ କରିବାକୁ ଲିଖିତ ଭାବେ ଜଣାଇଛନ୍ତି।

The post ଷ୍ଟୋଭ୍‌‌ରେ ପୋଡ଼ିହୋଇ ମହିଳା ମୃତ, ସ୍ବାମୀ ଗୁରୁତର first appeared on Sambad.

from ଜିଲ୍ଲା | Sambad https://ift.tt/3vZAv5F