ଖଡ଼ିଆଳ : ଟାଣଖରାକୁ ଖାତିର ନକରି କେନ୍ଦୁପତ୍ର ତୋଳିଥିବା ଶ୍ରମିକମାନଙ୍କୁ ଆଜିଯାଏ ସେମାନଙ୍କ ପାରିଶ୍ରମିକ ମିଳି ନାହିଁ। ଏଥିପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ। ସଂଘ ପକ୍ଷରୁ ଖଡ଼ିଆଳ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ଜିଲ୍ଲାର ୪୦ ହଜାର କେନ୍ଦୁପତ୍ର ତୋଳାଳିଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବାକୁ ଖଡ଼ିଆଳ କେନ୍ଦୁଲିଫ ଡିଏଫ୍‌ଓ ପ୍ରତାପ ବେହେରାଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଆଗାମୀ ସପ୍ତାହକ ମଧ୍ୟରେ ତୋଳାଳି ଓ ସିଜିନାଲ କର୍ମଚାରୀଙ୍କ ପ୍ରାପ୍ୟ ପ୍ରଦାନ ସହ ଦାବିଗୁଡ଼ିକ ପୂରଣ ନହେଲେ ଆସନ୍ତା ୩୦ ତାରିଖରୁ ଡିଭିଜନ କାର୍ଯ୍ୟାଳୟ ଆଗରେ ଅନିର୍ଦିଷ୍ଟ କାଳ ପାଇଁ ଗଣଧାରଣା, ପରବର୍ତ୍ତୀ ସମୟରେ ସମସ୍ତ ରେଞ୍ଜ କାର୍ଯ୍ୟାଳୟକୁ ଘେରାଉ କରି ଅଚଳ କରିଦିଆଯିବ ବୋଲି ଶ୍ରୀ ପାଣିଗ୍ରାହୀ ଧମକ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୧ ତାରିଖ ଦିନ ଡିଏଫ୍‌ଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। ସେହିପରି ସିସିଏଫ୍‌ଙ୍କୁ ଦାବିପତ୍ର ଦେବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ତଥାପି କୌଣସି ସୁଫଳ ନମିଳିବାରୁ ସଂଘ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

The post କେନ୍ଦୁପତ୍ର ତୋଳି ପାଇନାହାନ୍ତି ପାରିଶ୍ରମିକ, ଡିଏଫ୍‌ଙ୍କୁ ଦାବିପତ୍ର, ଆନ୍ଦୋଳନ ଧମକ first appeared on Sambad.

from ଜିଲ୍ଲା | Sambad https://ift.tt/2UEJn37