ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥର ସରସରା ନିକଟରେ ଜଣେ ଯୁବକଙ୍କ ମୃତ ଦେହ ପଡ଼ି ରହିଥିବା ଓ ପାଖରେ ବାଇକ ପଡ଼ିଥିବା ଦେଖାଯାଇଥିଲା। ପ୍ରଥମେ ଏହାକୁ ଦୁର୍ଘଟଣା କୁହାଯାଉଥିବା ବେଳେ ମୃତକଙ୍କ ବାପା ହତ୍ୟା ଅଭିଯୋଗ କରିଛନ୍ତି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି।

ପୁଲିସ ସୂଚନା ଅନୁସାରେ ସରସରା ଗାଁର ଅନ୍ତର୍ଯ୍ୟାମୀ ସ୍ବାଇଁ(୩୫) ଓ ଜଣେ ସଂପର୍କୀୟ ଭାଉଜଙ୍କ ସହ ପ୍ରେମ ସଂପର୍କ ଥିଲା। କିଛି ଦିନ ହେଲା ଦୁହେଁ ଗାଁରୁ ଫେରାର ହୋଇଯାଇଥିଲେ। ପରେ ରାଧାନଗର ଗାଁରେ ଏକ ଭଡ଼ା ଘରେ ରହିଥିଲେ। ଶୁକ୍ରବାର ସନ୍ଧ୍ୟାରେ ଅନ୍ତର୍ଯ୍ୟାମୀଙ୍କ କୌଣସି ଖୋଜଖବର ମିଳି ନଥିଲା। ତାଙ୍କ ସ୍ତ୍ରୀ ପୁଲିସକୁ ମୌଖିକ ଭାବରେ ଜଣାଇବା ପରେ ରାତି ସାରା ପୁଲିସ ଖୋଜି କୌଣସି ପତ୍ତା ପାଇନଥିଲା। ଆଜି ସକାଳେ ତାଙ୍କ ମର ଶରୀର ଜାତୀୟ ରାଜପଥ କଡ଼ର ଏକ ଚାଷ ଜମିରୁ ଉଦ୍ଧାର କରାଯାଇଛି। ମୃତକଙ୍କ ବାପା ଗଣ୍ଡାଧର ସ୍ବାଇଁଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି। ଅନ୍ତର୍ଯ୍ୟାମୀଙ୍କୁ ଅପହରଣ କରି ପରେ ହତ୍ୟା କରିଥିବା ଓ ଏଥିରେ ଏକାଧିକ ଲୋକ ସଂପୃକ୍ତ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ଅଭିଯୁକ୍ତମାନେ ଫେରାର ଥିବା ବେଳେ ଖୁବ ଶିଘ୍ର ଧରା ପଡ଼‌ିବେ ବୋଲି ଆଇଆଇସି ତପସ୍ବିନୀ କହଁର ପ୍ରକାଶ କରିଛନ୍ତି।

The post ଯୁବକଙ୍କୁ ହତ୍ୟା, ହତ୍ୟାକାରୀ ଫେରାର first appeared on Sambad.

from ଜିଲ୍ଲା | Sambad https://ift.tt/3ilcbY8