ରେଢ଼ାଖୋଲ/ଯୁଯୁମରା: ଦୁଇଟି ଦୁଃଖଦ ତଥା ଅଭାବନୀୟ ଘଟଣାରେ ୪ଜଣ ଶିଶୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ଚୁଡ଼ାପୁଡୁଗ ଗ୍ରାମରେ ଘଟିଥିବା ଘଟଣାରେ ୨ ଶିଶୁ ମା’ ସହ ଗାଧୋଇ ଯାଇଥିବାବେଳେ ପାଣିରେ ବୁଡ଼ି ଯାଇଥିଲେ। ସେହିଭଳି, ଯୁଯୁମୁରା ଥାନା ନୂଆବରଙ୍ଗାମାଳ ପଞ୍ଚାୟତ ନୂଆଁରପଡ଼ାରେ ୨ ଜଣ ଶିଶୁ ଚୁଆରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ, ଚୁଡ଼ାପୁଡୁଗ ଗାଁରେ ଦୁଃଖବନ୍ଧୁ ଖଡ଼ିଆଙ୍କ ପରିବାର କହିଲେ ପତ୍ନୀ ସୁନୀତା ଖଡ଼ିଆ, ଦୁଇ ପୁଅ ଅଜିତ (୭ ବର୍ଷ) ଓ ଅମିତ (୫ ବର୍ଷ)। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଦୁଃଖବନ୍ଧୁ ଦାଦନ ଖଟିବାକୁ ଯାଇ ଚେନ୍ନାଇରେ। ମଙ୍ଗଳବାର ସୁନୀତା ଦୁଇ ପୁଅ ଅଜିତ ଓ ଅମିତଙ୍କୁ ନେଇ ଦିନ ପ୍ରାୟ ୧୨ଟା ବେଳେ ଗାଁ ନିକଟ ସୁରୁବାଲି ଯୋରକୁ ଗାଧୋଇବାକୁ ଯାଇଥିଲେ। ତୁଠରେ ସୁନୀତା ଲୁଗା ସଫା କରୁଥିବାବେଳେ ଶିଶୁ ଦୁଇ ଜଣ ‌ଯୋରରେ ଗାଧୋଉଥିଲେ। ଦୁର୍ଭାଗ୍ୟବଶତଃ ଉଭୟେ ଗଭୀର ପାଣିକୁ ଚାଲି ଯାଇ ବୁଡ଼ିଯାଇଥିଲେ। ଏହା ଦେଖି ସୁନୀତା ସାହାଯ୍ୟ ପାଇଁ ଚିତ୍କାର କରିବାରେ ଗାଁ ଲୋକେ ପହଞ୍ଚି ଶିଶୁ ଦ୍ବୟଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ନେଇ ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ନୂଆଁରପଡ଼ାରେ ଘଟିଥିବା ଘଟଣା ସେହିଭଳି ଦୁଃଖଦାୟକ। ଖୁସିରେ ଯାଇଥିଲେ ମାମୁଘର। ମାମୁ ଓ ମାମୁଙ୍କ ପୁଅ ସହିତ ଫାର୍ମ ହାଉସ୍‌ରେ ଖେଳୁ ଖେଳୁ ଘଟିଥିଲା ଅଘଟଣ। ଅଜାଣତରେ ଚୁଆରେ ପଡ଼ି ଯିବାରୁ ପାଣିରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକ ଦ୍ବୟ ହେଲେ ଗୋବର୍ଦ୍ଧନବଡ଼ମାଳ ଗାଁର ରତ୍ନମଣି ସାହୁଙ୍କ ପୁଅ ରାହୁଲ (୫ ବର୍ଷ) ଏବଂ ଜମନକିରା ବ୍ଲକ୍‌ ମୁଣ୍ଢେନପାଲି ପଞ୍ଚାୟତ ଖରସନମାଲ ଗ୍ରାମର ଲକ୍ଷ୍ମଣ ବାରିକଙ୍କ ପୁଅ ଆୟୁଷ ବାରିକ (୫ ବର୍ଷ)।

The post ସଲିଳ ସମାଧି ନେଲେ ୪ ଶିଶୁ: ମା’ ସାଥୀରେ ଗାଧୋଇବାକୁ ଯାଇ ୨ ପୁଅ ବୁଡ଼ିଗଲେ first appeared on Sambad.

from ଜିଲ୍ଲା | Sambad https://ift.tt/3w6DjgK