କେନ୍ଦ୍ରାପଡ଼ା: ପୁଣି ବିବାଦ ଘେରରେ ଜିଲ୍ଲା ଅବକାରୀ ବିଭାଗ। ଏଥର ଜବତ ମଦ ଗାଏବ୍‌ ଘଟଣାକୁ ନେଇ ନୁହେଁ, ବର˚ ଜଣେ ଅବକାରୀ ବାବୁଙ୍କ ମଦ ପ୍ରେମକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର‌୍‌ ଧରିଛି। ଅଫିସ୍‌ ଭିତରେ ଦିନ ଦ୍ବି ପ୍ରହରରେ ଚେୟାରରେ ବସି ବିଅର‌୍‌ ପିଉଥିବା ଫଟୋ ଭାଇରାଲ୍‌ ହେବା ପରେ ସବ୍‌ଇନସ୍ପେକ୍ଟର‌୍‌ ସରୋଜ ବାଗ ଆଜି ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଅବକାରୀ କମିସନର‌୍‌ ତାଙ୍କୁ ନିଲମ୍ବିତ କରିବା ସହିତ କଟକ ମୁଖ୍ୟାଳୟରେ ହାଜିରା ପକାଇବାକୁ ନିର୍ଦ୍ଦେଶ ଦେଇଥିବା ଅଧୀକ୍ଷକ ରଜତ ପ୍ରହରାଜ ସୂଚନା ଦେଇଛନ୍ତି। ତେବେ, ଖାକି ପୋଷାକରେ ଏସ୍‌ଆଇ ଶ୍ରୀ ବାଗ ଅଫିସ୍‌ରେ ସର୍ବସମ୍ମୁଖରେ ବିଅର‌୍‌ ପିଉଥିବା ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଚର୍ଚ୍ଚା ଜୋର‌୍‌ ଧରିଛି।

ଏସ୍‌ଆଇ ଶ୍ରୀ ବାଗ୍‌ ଖାକି ପୋଷାକରେ ଅଫିସ୍‌ ଭିତରେ ଚେୟାରରେ ବସି ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ବିୟର‌୍‌ ଟେବୁଲ୍‌ ଉପର ରଖି ଗ୍ଲାସ୍‌ରେ ଢାଳି ପିଉଥିବା ଦୃଶ୍ୟ ଭିଡିଓରେ କଏଦ୍‌ ହୋଇଛି। ଗତ ସପ୍ତାହରେ ଏହି ଭିଡିଓ କଏଦ୍‌ ହୋଇଥିବା କୁହାଯାଉଛି। ତେବେ ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ୍‌ ହେବା ପରେ କମିସନର‌୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦାୟିତ୍ବରେ ଚରମ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ଅଧୀକ୍ଷକ ଶ୍ରୀ ପ୍ରହରାଜ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ନିଲମ୍ବିତ ଏସ୍‌ଆଇ ଶ୍ରୀ ବାଗ ଘଟଣା ଉପରେ ସଫେଇ ଦେବାକୁ ଯାଇ ଯେଉଁ ବାହାନା କରିଛନ୍ତି, ତାହା ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ଶ୍ରୀ ବାଗ ଗଣମାଧୢମକୁ କହିଛନ୍ତି, ସେ ଜଣେ ହୃଦ୍‌ରୋଗୀ। ହାର୍ଟ ଅପରେସନ୍‌ ହୋଇଥିବାରୁ କେବେ ମଦ ପିଅନ୍ତି ନାହିଁ। ଯେଉଁ ଭିଡିଓରେ ମଦ ପିଉଥିବା କଥା ଉଠୁଛି, ତାହା ପ୍ରକୃତରେ ମଦ ନୁହେଁ, ଆପି (ଫଳ ରସ)। ଏହାକୁ ମିଛଟାରେ ମଦ କହି ଅପପ୍ରଚାର କରାଯାଉଛି ବୋଲି ଶ୍ରୀ ବାଗ କହିଛନ୍ତି ।

The post ଅଫିସ୍‌ରେ ବିଅର‌୍‌ ପିଇ ନିଲମ୍ବିତ ହେଲେ ଏସ୍‌ଆଇ first appeared on Sambad.

from ଜିଲ୍ଲା | Sambad https://ift.tt/3qI13Xu