ବନ୍ତଳା : ଅନୁଗୁଳ ବନାଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କ ନିଦ ହଜିଛି। ପନିପରିବା ଉତ୍ପାଦନ କରିବା ପାଇଁ ଚାଷୀ ଦିନରାତି ପରିଶ୍ରମ କରୁଥିବା ବେଳେ ହାତୀପଲ କ୍ଷେତରେ ପଶି ସବୁ ଉଜାଡି ଦେଉଛନ୍ତି। ଫଳରେ ଚାଷୀମାନେ ଶୁକ୍ରବାର ଉତ୍ତ୍ୟକ୍ତ ହୋଇ ଜଣେ ଫରେଷ୍ଟରଙ୍କୁ ୩ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ଗ୍ରାମ ଗଉଡ଼ ସାହିରେ ଅନେକ ଲୋକ ଚାଷ ଉପରେ ନିର୍ଭର କରନ୍ତି। ତେବେ ସାହିର ଚାଷୀମାନେ ନିଜ କ୍ଷେତରେ କାକୁଡି, ବାଇଗଣ, ଭେଣ୍ଡି ,କୋବି ଇତ୍ୟାଦି ପନିପରିବା ଚାଷ କରିଛନ୍ତି। ତେବେ ବିଭିନ୍ନ ସମୟରେ ପୁରୁଣାଗଡ଼ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା ବେଳେ ପନିପରିବା ଚାଷ ନଷ୍ଟ ହୋଇଥାଏ। ଅନ୍ୟ ପକ୍ଷରେ ଶୁକ୍ରବାର ରାତିରେ ବଣୁଆ ହାତୀପଲ ଚାଷୀଙ୍କ କ୍ଷେତରେ ପଶି ପନିପରିବା ଚାଷକୁ ଉଜାଡି ଦେଇଥିଲେ। ଏନେଇ ଶନିବାର ସକାଳ ପ୍ରାୟ ୮ଟା ବେଳକୁ ସ୍ଥାନୀୟ ଫରେଷ୍ଟର ବେଣୁଧର ବେହେରା ଘଟଣାସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ। ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ଚାଷୀମାନେ ଉତ୍ତ୍ୟକ୍ତ ହୋଇ ପ୍ରାୟ ୩ଘଣ୍ଟା ପର୍ଯ୍ୟନ୍ତ ଫରେଷ୍ଟରଙ୍କୁ ସେଠାରେ ଅଟକ ରଖିଥିଲେ।

ପ୍ରଥମେ ଉପରିସ୍ଥ ଅଧିକାରୀଙ୍କୁ ଡାକ ତାପରେ ତୁମକୁ ଏଠାରୁ ଛଡା ଯିବ ବୋଲି ଲୋକମାନେ ଦାବି କରିଥିଲେ। ତେବେ ବୁଝାସୁଝା ପରେ ଫରେଷ୍ଟର ସେଠାରୁ ଫେରିଥିଲେ। ଶନିବାର ସନ୍ଧ୍ୟା ସାଢ଼େ ୭ଟା ବେଳେ ଅନୁଗୁଳ ରେଞ୍ଜର ସତ୍ୟବ୍ରତ ପ୍ରଧାନ ସେଠାରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

The post ଅସହ୍ୟ ହେଲା ହାତୀ ଉପଦ୍ରବ, ଫରେଷ୍ଟର ୩ଘଣ୍ଟା ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/3gDBzqL