ବୌଦ୍ଧ : କଟକରୁ ଭାୟା ବଲାଙ୍ଗୀର ଦେଇ ବୌଦ୍ଧ ଜିଲ୍ଲାକୁ ଲମ୍ବିଛି ନକଲି ଔଷଧ କାରବାରର ଚେର। କେବଳ ସହରରେ ସୀମିତ ନରହି ଗ୍ରାମାଞ୍ଚଳକୁ ଛାଇ ଯାଇଛି ନକଲି ଔଷଧ। କରୋନା ସମୟରେ ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳର ଲୋକେ ସାମାଜିକ ବାସନ୍ଦ ଆଶଙ୍କାରେ ଡାକ୍ତରଖାନାକୁ ଯାଉ ନାହାନ୍ତି। ଗାଁରେ ବୁଲୁଥିବା କ୍ବାକ୍‌ ଓ ଗାଁରେ ଥିବା ଔ‌ଷଧ ଦୋକାନୀଙ୍କ ପାଖରେ ଲୋକେ ଚିକିତ୍ସା ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏହି ସୁଯୋଗରେ ଅଧିକ ଲାଭ ଥିବା ନକଲି ଔଷଧ ଦେଇ ଲୋକଙ୍କ ଜୀବନ ସହ ଖେଳ ଚାଲିଛି। କଟକରେ ନକଲି କରୋନା ଔଷଧ ଧରା ପଡ଼ିବା ପରେ ଡ୍ରଗ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶରେ ବିଭିନ୍ନ ଜିଲ୍ଲାରେ ଚଢ଼ଉ ଆରମ୍ଭ ହୋଇଛି। ଏହିକ୍ରମରେ ବଲାଙ୍ଗୀର ମୋଦୀ ଫାର୍ମା ଲିଙ୍କରେ ବୌଦ୍ଧ ଜିଲ୍ଲାର ୨ଟି ଔଷଧ ଦୋକାନରେ ଚଢ଼ଉ କରାଯାଇଛି।

ସୋମବାର ବୌଦ୍ଧ ଡ୍ରଗ୍‌ସ ଇନ୍‌ସପେକ୍ଟର (ଡିଆଇ) ମୁକେଶ ଧରୁଆ ଓ ସୁବର୍ଣ୍ଣପୁର ଡିଆଇ ଉମାକାନ୍ତ ମେହେର ମନମୁଣ୍ଡା ପୁଲିସ ସହାୟତାରେ ଦୁଇଟି ଔଷଧ ଦୋକାନରେ ଚଢ଼ଉ କରିଛନ୍ତି। ବାଉଁଶୁଣି ସ୍ଥିତ ମା’ କ୍ଷେତ୍ରପାଳିନୀ ମେଡିକାଲ ଷ୍ଟୋରରୁ ଥଣ୍ଡା-ଜ୍ବର ପାଇଁ ଦିଆଯାଉଥିବା ସ୍ନିଜି-୫୦୦ର ୧୦ ଟାବଲେଟ ଥିବା ୨୨ ଷ୍ଟ୍ରିପ ଅର୍ଥାତ ୨୨୦ଟି ଜବତ କରାଯାଇଛି। ସେହିପରି ପଲସାଗୋରା ବଘିଆବାହାଲରେ ଥିବା ମେହେର ମେଡିକାଲ ଷ୍ଟୋରରୁ ଆଜିଥ୍ରୋମାଇସିନ କମ୍ପୋଜିସନର ମେଡିଥ୍ରାଲ-୫୦୦ ୧୦ ଟାବଲେଟର ୨୨ ଷ୍ଟ୍ରିପ ଅର୍ଥାତ ୨୨୦ଟି ଜବତ କରାଯାଇଛି। ଉଭୟ ଦୋକାନ ମାଲିକଙ୍କ ନାମରେ ଡ୍ରଗ ଓ କସ୍‌ମେଟିକ ଆକ୍ଟରେ ମାମଲା ରୁଜୁ କରାଯାଇଥିବା ଡିଆଇ ଶ୍ରୀ ଧରୁଆ ପ୍ରକାଶ କରିଛନ୍ତି।

The post ବୌଦ୍ଧକୁ ବି ଲମ୍ବିଛି ଚେର, ୨ ଦୋକାନରୁ ଜବତ ହେଲା ନକଲି ଔଷଧ first appeared on Sambad.

from ଜିଲ୍ଲା | Sambad https://ift.tt/2SxhvNv