
ଏସ୍. ରାମପୁର : ଟୋକନ୍ ଲାପ୍ସ ହେବାରୁ ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା କିଛି ଚାଷୀ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ତହସିଲରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପେକ୍ସ, ଅଇଁଲାମୁଣ୍ଡା ପଦ୍ମଶ୍ରୀ ଏସ୍ଏଚ୍ଜି ଅଧୀନରେ ରେଜିଷ୍ଟ୍ରେସନ୍ କରିଥିବା ଅଇଁଲାମୁଣ୍ଡା, ନାଇକେନପାଲି, ଅସୁରଗଡ଼, ରାମପୁର, କଟାପାଲି ଗ୍ରାମର କିଛି ଚାଷୀ ଧାନ ବିକ୍ରି କାରିବାକୁ ଟୋକନ୍ ପାଇଥିଲେ। କିନ୍ତୁ ୧୨ ଦିନର ଟୋକନ୍ ଅବଧିରେ ଧାନ ବିକ୍ରି କରି ନପାରିବାରୁ ଟୋକନଗୁଡ଼ିକ ଲାପ୍ସ ହୋଇଯାଇଥିଲା। ଫଳରେ ଚାଷୀମାନେ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇ ହଟହଟା ହୋଇଥିଲେ।

ବୁଧବାର ଚଳିତ ରବିଧାନ କିଣାର ଶେଷ ଦିନ ହୋଇଥିବା ବେଳେ ଟୋକନ ଲାପ୍ସ ହୋଇଥିବା ଚାଷୀଙ୍କ ପାଇଁ ସରକାର କିଂବା ଯୋଗାଣ ବିଭାଗ ତରଫରୁ କୌଣସି ପ୍ରକାର ସହଯୋଗ ମିଳିନଥିଲା। ତେବେ ନିଜର କଷ୍ଟ ଉପାର୍ଜିତ ଧାନକୁ ବିକ୍ରି କରି ନପାରି ଚାଷୀ ହତାଶ ହୋଇପଡ଼ିବା ପରେ ଆଜି କୌଣସି ଉପାୟ ନପାଇ ବାଧ୍ୟ ହୋଇ ହଜାର ହଜାର ବସ୍ତା ଧାନ ଟ୍ରାକ୍ଟରରେ ଲଦି ରାମପୁର ତହସିଲ ଅଫିସ୍ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି। ତେବେ ଏସବୁ ସମସ୍ୟା ବାବଦରେ ଏକ ଦାବିପତ୍ର ରାମପୁର ତହସିଲଦାର ଓ ସ୍ଥାନୀୟ ପୁଲିସକୁ ପ୍ରଦାନ କରାଯାଇଥିଲା। ଅତିରିକ୍ତ ତହସିଲଦାର ଶ୍ବେତପଦ୍ମା ଯୋଶୀ ଦାବିପତ୍ର ଗ୍ରହଣ କରିଥିଲେ।
ତେବେ ସଂଧ୍ୟା ପର୍ଯ୍ୟନ୍ତ କୌଣସି ଅଧିକାରୀ ଆସି ଚାଷୀଙ୍କ କଥା ଶୁଣି ନଥିବା ଅଭିଯୋଗ ହୋଇଛି। ସମସ୍ୟାର ସମାଧାନ ନହେବା ଯାଏ ତହସିଲ ଅଫିସ୍ରେ ତାଲା ପକାଇ ଧାରଣାରେ ବସିବେ ବୋଲି ହିମାଂଶୁ ପଧାନ, ଦୀନବନ୍ଧୁ ମେହେର, ଦେବାଧି ପଧାନ, ବାଳମୁକୁନ୍ଦ ମଟାରୀ, ଗୋପାଳ ସେଠୀ, ଯୋଗେଶ୍ବର ପାତ୍ର, ଶାନ୍ତି ନାଏକ, ପ୍ରମୋଦ ପଧାନ, ଦେବେନ୍ଦ୍ର ମହାକୁର, ଆନନ୍ଦ ବାରିକ ପ୍ରମୁଖ ଚାଷୀ ସୂଚନା ଦେଇଛନ୍ତି।
The post ଧାନ ବସ୍ତା ରଖି ରାମପୁର ତହସିଲ ଅଫିସ୍ରେ ତାଲା ପକାଇଲେ ଚାଷୀ first appeared on Sambad.from ଜିଲ୍ଲା | Sambad https://ift.tt/2UcX0Gu
0 Comments