
କବାଟବନ୍ଧ : ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଗ୍ରାମରେ ଗତ ୫ ତାରିଖରେ ଚୋରାମଦ ବେପାରକୁ ବିରୋଧ କରିବାରୁ ଛୁରି ମାଡ଼ରେ ଜଣେ ଆହତ ହୋଇଛନ୍ତି। ଛୁରିମାଡ଼ କରିଥିବା ଅଭିଯୁକ୍ତ ମଦ ବେପାରୀକୁ ଜେନାପୁର ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ସୂଚନା ମୁତାବକ, ବରଡ଼ା ଗ୍ରାମର ବିଜୟ ମଲିକ ଏଠାରେ ଦୀର୍ଘଦିନ ହେଲା ଚୋରାମଦ ବେପାର କରୁଥିଲା। ଗ୍ରାମର ସ୍ବୟଂସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ଏହାର ବିରୋଧ କରିଆସୁଥିଲେ। ହେଲେ ଅଭିଯୁକ୍ତ ଚୋରା ମଦ ବେପାର ବନ୍ଦ କରୁନଥିଲା। ଗତ ୫ ତାରିଖ ସଂଧ୍ୟାରେ ବିଜୟ ଏକ ସ୍କୁଟି ନମ୍ବର ଓଡି-୦୪ଏଲ-୮୨୫୯ ରେ ଚୋରାମଦ ନେଇ ଗାଁକୁ ଯାଉଥିବା ବେଳେ ଗ୍ରାମବାସୀ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ରହିନଥିଲା। କିଛିଲୋକ ଏସଂପର୍କରେ ପଚାରିବାକୁ ଯାଇଥିବା ବେଳେ ବିଜୟ ସ୍କୁଟିରେ ରଖିଥିବା ଏକ ଛୁରିରେ ନୀଳମଣି ମଲିକ ନାମକ ଜଣେ ବ୍ୟକ୍ତିଙ୍କ ହାତକୁ ହାଣିଦେଇଥିଲା। ଆହତ ନୀଳମଣିଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏସଂପର୍କରେ ସ୍ବୟଂସହାୟକ ଗୋଷ୍ଠୀର ଶଶି ମଲିକ ଗତ ୬ ତାରିଖରେ ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ଥାନା କେସ୍ ନମ୍ବର ୧୭୯/୨୧ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ବିଜୟକୁ ୬ ତାରିଖ ରାତିରେ ଗିରଫ କରାଯାଇଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି।
The post ଚୋରାମଦ ବେପାରକୁ ବିରୋଧ କରିବାରୁ ଛୁରିମାଡ଼, ଅଭିଯୁକ୍ତ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3w0C17z
0 Comments