ରାଉରକେଲା: ଓଡ଼ିଶା ହକିର ବିକାଶ ଦାୟିତ୍ବ ଜଣେ ବାହାର ଲୋକଙ୍କୁ ଦିଆଯିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଘନୀଭୂତ ହେବାରେ ଲାଗିଛି। ହକି ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ର ବହୁ ହକି ଅଲିମ୍ପିଆନ, ଅନ୍ତର୍ଜାତୀୟ ଖେଳାଳି, ଜାତୀୟ ଖେଳାଳି, କ୍ରୀଡ଼ା ସଂଗଠନ ଓ କ୍ରୀଡ଼ା ପ୍ରଶାସକ ଆଦି ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। ଓଡ଼ିଶା ହକି ତଥା ହକି ବିଷୟରେ ସାମାନ୍ୟ ଜ୍ଞାନ ନ ଥିବା ଝାଡ଼ଖଣ୍ଡର କୁସ୍ତି ତାରକା ଭୋଳାନାଥଙ୍କୁ ଦାୟିତ୍ବ ଦିଆଯିବା, ରାଜ୍ୟ ପାଇଁ ଗୌରବ ଆଣିଥିବା ହକି ଖେଲାଳିଙ୍କ ପ୍ରତି ଅପମାନବୋଲି ସିଧାସଳଖ ଅଭିଯୋଗ କରିଛନ୍ତି। ଜିଲ୍ଲାରେ ଏହାକୁ ତୀବ୍ର ବିରୋଧ ଆରମ୍ଭ ହେଲାଣି। ଏବେ ଏହି ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ। ହକି ଇଣ୍ଡିଆର ମନମାନି ବିରୋଧରେ ତ୍ବରିତ ପଦକ୍ଷେପ ନେବାକୁ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ରାଉରକେଲା ମହାନଗର ନିଗମ କମିଶନର(ଆର୍‌ଏମ୍‌ସି)ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏହି ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଉଲ୍ଲେଖ କରାଯାଇଛି, ଏ ମାଟିରୁ ୭୫ରୁ ଅଧିକ ଅନ୍ତର୍ଜାତୀୟ ହକି ଖେଳାଳି ବାହାରିଛନ୍ତି। ଏମାନଙ୍କ ମଧ୍ୟରେ ଅନେକ ଅଲିମ୍ପିଆନ, କ୍ରୀଡ଼ାବିତ୍‌, କ୍ରୀଡ଼ା ପ୍ରଶାସକ, କ୍ରୀଡ଼ା ବିଶାରଦ, କ୍ରୀଡ଼ା ସଙ୍ଗଠକ, କ୍ରୀଡ଼ା ପରିଚାଳନ ଅଛନ୍ତି। ତଥାପି ଓଡ଼ିଶାର ଏହି ବ୍ୟକ୍ତିବିଶେଷଙ୍କୁ ଅଣଦେଖା କରି ହକି ଇଣ୍ଡିଆ ବାହାରିଆ ଲୋକଙ୍କୁ ଦାୟିତ୍ବ ଦେଇଛନ୍ତି। ଓଡ଼ିଶା ହକିର ବିକାଶ ପାଇଁ ଗଠିତ ଅସ୍ଥାୟୀ ସମିତିରେ ଝାଡ଼ଖଣ୍ଡର ଶ୍ରୀ ସିଂହ ଅଧ୍ୟକ୍ଷ ଥିବାବେଳେ ବିଶ୍ବବିଦିତ ଓଡ଼ିଆ ହକି ଖେଳାଳି ଡ. ପଦ୍ମଶ୍ରୀ ତିର୍କୀଙ୍କୁ ସଦସ୍ୟ କରାଯାଇଛି। ଏହା ଓଡ଼ିଶା ଖେଳାଳି, ଓଡ଼ିଶାବାସୀଙ୍କ ପ୍ରତି ଅପମାନ, ଛଳନା ନୁହେଁ ତ ଆଉ କ’ଣ? ପ୍ରକୃତରେ ହକି ଇଣ୍ଡିଆ ଓଡ଼ିଶା ହକିକୁ ବରବାଦ କରିବା ତଥା ନିଜ ନିୟନ୍ତ୍ରଣକୁ ଆଣିବାକୁ ଏଭଳି ନିଷ୍ପତ୍ତି ନେଇଛି।

ପ୍ରଥମେ ସଂପୂର୍ଣ୍ଣ ଅନୈତିକଭାବେ ‘ହକି ଗାଙ୍ଗପୁର’ର ସହଯୋଗୀ ସଦସ୍ୟତାକୁ ବାତିଲ କରିଦିଆଗଲା। ଏବେ ‘ହକି ଓଡ଼ିଶା’କୁ ଭୋଟ୍‌ ବିହୀନ ସହଯୋଗୀ ସଦସ୍ୟକୁ ଖସାଇ ଦିଆଯାଇଛି। ହକି ଇଣ୍ଡିଆ ଗୋଟିଏପରେ ଗୋଟିଏ କ୍ଷତି କରିଚାଲିଥିବାବେଳେ ରାଜ୍ୟ ସରକାର କିନ୍ତୁ ଚୁପ୍‌ ବସିଛନ୍ତି। ଏଭଳି ସ୍ବେଚ୍ଛାଚାର ନିଷ୍ପତ୍ତିକୁ ପ୍ରତିବାଦ କରିବା ବଦଳରେ ରାଜ୍ୟ ସରକାରଙ୍କ ମୌନବ୍ରତ, ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ। ରାଜ୍ୟ ସରକାର ହେଉଛନ୍ତି ହକି ଇଣ୍ଡିଆର ପ୍ରୟୋଜକ। ଓଡ଼ିଶା ସରକାରଙ୍କ ଅର୍ଥରେ ହକି ଇଣ୍ଡିଆର କାର୍ଯ୍ୟକ୍ରମ ଚାଲିଛି। ତେବେ ରାଜ୍ୟ ସରକାରଙ୍କ ଅଗୋଚରରେ କିଭଳି ହକି ଇଣ୍ଡିଆ ଅସ୍ଥାୟୀ ସମିତି ଗଠନ କରି ବାହାରିଆଙ୍କୁ ନେତୃତ୍ବ ଭାର ଦେଲା, ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଜିଲ୍ଲା କଂଗ୍ରେସ କହିଛି। ତେବେ କେବଳ ଜିଲ୍ଲା କଂଗ୍ରେସ ନୁହେଁ, ଏକାଧିକ କ୍ରୀଡ଼ା ସଂଗଠନ ଏହାକୁ ବିରୋଧ କରିବା ଆରମ୍ଭ କରି ମୁହଁ ଖୋଲି ନିଷ୍ପତ୍ତିକୁ ପ୍ରତିବାଦ କରିଛନ୍ତି। ଆସନ୍ତା ଦିନରେ ଏହି ବିରୋଧ ଆହୁରି ସ୍ପଷ୍ଟ ଓ ପ୍ରବଳ ହେବା ନିଶ୍ଚିତ।

The post ଓଡ଼ିଶା ହକି ପରିଚାଳନା ପାଇଁ ଭୋଳାନାଥଙ୍କୁ ଦାୟିତ୍ବ ପ୍ରସଙ୍ଗ: ରାଜରାସ୍ତାକୁ ଆସିଲା ଅସନ୍ତୋଷ first appeared on Sambad.

from ଜିଲ୍ଲା | Sambad https://ift.tt/3gBVQwE