
ବାଲେଶ୍ବର : ଦିନ ହେଉ କି ରାତି, ସୁଯୋଗ ପାଇଲା ମାତ୍ରେ ମୁଣ୍ଡରେ ବନ୍ଧୁକ ଲଗାଇ ତ ପୁଣି କାହାକୁ ଖଣ୍ଡାରେ ହାଣି ଲୁଟୁଥିଲେ। ଲୁଟ୍ପାଟ୍ କରି ଆତଙ୍କ ଖେଳାଉଥିବା ଦୁଇ ହାଇୱେ ଲୁଟେରାଙ୍କୁ ସଦର ଥାନା ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ନଗଦ ୫୭ ହଜାର ଟଙ୍କା, ୩ ବାଇକ୍, ୨ ମୋବାଇଲ୍ ଫୋନ୍ ଓ ମାରଣାସ୍ତ୍ର ଜବତ କରିଛି। ସେମାନେ ହେଲେ ସଦର ଥାନା ମଧୁସୂଦନପୁର ଅଞ୍ଚଳର ତାପସ କୁମାର ଦାସ ଓରଫ ରାଜା (୨୬) ଓ ରେମୁଣା ଥାନା ପାଟଣାରାଇପୁର ଅଞ୍ଚଳର ପ୍ରଫୁଲ୍ଲ ଦାସ (୨୭)। ଏ ନେଇ ପୁଲିସ କେସ୍ ନଂ ୨୧୭ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ରାଜା ଓ ପ୍ରଫୁଲ୍ଲ ପେସାଦାର ଡକାୟତ। ସେମାନଙ୍କ ହାବୁଡ଼ରେ ଯିଏ ପଡ଼ିଲା ତାକୁ ଲୁଟୁଥିଲେ। ବିଶେଷ କରି ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଦୁହେଁ ଟାର୍ଗେଟ୍ କରୁଥିବା ବେଳେ ରାଜପଥ ଓ ନିଛାଟିଆ ରାସ୍ତାରେ କିଏ କେତେବେଳେ ଆସୁଛି, ତା’ ଉପରେ ନଜର ରଖୁଥିଲେ। ଏକୁଟିଆ ଲୋକଙ୍କୁ କିଛି ବାଟ ପିଛା କରିବା ପରେ ସେମାନଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ଟଙ୍କା ନେବା ପାଇଁ ହଣାକଟା କରିବାକୁ ପଛାଉନଥିଲେ। ଯାହାକି ଗତ ୧୬ ତାରିଖର ଘଟଣାକୁ ବୟାନ କରୁଛି। ସ୍ପନ୍ଦନ ଫାଇନାନ୍ସ ସଂସ୍ଥାର ତପନ ମହାନ୍ତି ଋଣ ଟଙ୍କା ଆଦାୟ କରି ବାଲେଶ୍ବର ଫେରୁଥିବା ବେଳେ ହଳଦୀପଦା ଫାଣ୍ଡି ପଳାଶିଆ ଛକ ନିକଟରେ ରାଜା ଓ ପ୍ରଫୁଲ୍ଲ ତାଙ୍କୁ ମାରଣାସ୍ତ୍ର ଦେଖାଇ ୪୧ ହଜାର ୫୨୦ ଟଙ୍କା ଛଡ଼ାଇ ନେଇଥିଲେ। ଏ ନେଇ ତପନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଠିକଣା ଠାବ ପରେ ଗତକାଲି ରାତିରେ ପୁଲିସର ଏକ ଟିମ୍ ଚଢ଼ାଉ କରି ଦୁହିଁଙ୍କୁ ଗିରଫ କରିଛି। ଥାନାରେ ଜେରା ବେଳେ ଉଭୟ ବିଭିନ୍ନ ମାମଲାରେ ସାମିଲ୍ ଥିବା ମାନିଛନ୍ତି।
ଗତ ୯ ତାରିଖରେ ପରିଖି ଫାଣ୍ଡି ଅନୁଗୁଳା ନିକଟରେ ଇନ୍ଦ୍ରଜିତ ମହାପାତ୍ରଙ୍କଠାରୁ ୨୯୭୫୦ ଟଙ୍କା, ମେ’ ୨୦ ତାରିଖରେ ପରିଖି ନିକଟ ଇଣ୍ଡିଆନ୍ ବ୍ୟାଙ୍କର ସହକାରୀ ପ୍ରବନ୍ଧକଙ୍କଠାରୁ ୫ ହଜାର ଟଙ୍କା ଓ ମେ’ ୩ ତାରିଖରେ ଗୋବିନ୍ଦପୁର ଛକ ନିକଟରେ ସୁଶାନ୍ତ କୁମାର ସାହୁଙ୍କଠାରୁ ୯୨୫୫୦ ଟଙ୍କା ଛଡ଼ାଇ ନେଇଥିବା ଦୁଇ ଲୁଟେରା ମାନିଛନ୍ତି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କ ସହ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ।
The post ଦୁଇ କୁଖ୍ୟାତ ହାଇୱେ ଲୁଟେରା ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3iRBWQ7
0 Comments