ଖୋର୍ଦ୍ଧା: ଗତକାଲି ଟାଙ୍ଗୀ ବ୍ଲକ ନିରାକାରପୁର ପଂଚାୟତ ଅଧୀନ ରାଉଳହଜ ଗାଁରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ପୋଖରୀ ଖୋଳା ନାମରେ ମାଙ୍କଡ଼ା ପଥର ଚାଲାଣ ହେଉଥିବା ନେଇ ସ୍ଥାନୀୟ ସମିତି ସଭ୍ୟା ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ୱାଟ୍ସ ଅପ୍ ମାଧ୍ୟମରେ ଜଣାଇଥିଲେ। ଆଜି ଏହି ଘଟଣାରେ ପିଡି ଡିଆରଡିଏ ଏକ ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ  ଦେଇଛନ୍ତି। ଗତକାଲି ଡିଆ ପଂଚାୟତର ସମିତି ସଭ୍ୟା ତଥା ଦଳିତ ମହାସଂଘର ରାଜ୍ୟ ସମ୍ପାଦିକ ପୁଷ୍ପଲତା ବେହେରା କରିଥିବା ଅଭିଯୋଗ ଅନୁସାରେ, ରାଉଳହଜ ଭୋଇସାହି ନୂତନ ପୋଖରୀ ଖୋଳିବା ପାଇଁ ମନରେଗା ଯୋଜନାରେ ୮ଲକ୍ଷ ଟଙ୍କା ଅନୁଦାନ ମିଳିଛି।

ଏହି ଖନନ ଦ୍ୱାରା ୩୧୧୬ ଶ୍ରମ ଦିବସ ସୃଷ୍ଟି କରିବା ଲକ୍ଷ୍ୟରେ ମଇ ୨୮, ୨୦୨୧ ଠାରୁ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ପୋଖରୀ ଖନନ ନାମରେ ଆଖପାଖରେ ଥିବା ମାଙ୍କଡ଼ା ପଥର ଖନନ କରାଯାଉଛି। ଆଜି ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗରେ ସଠିକ୍ ସେହି ସ୍ଥାନରୁ ନିଆଯାଉଛି କି ନାହିଁ ସ୍ପଷ୍ଟ ହୋଇପାରିନାହିଁ। ତେବେ ଏନେଇ ବିଡିଓ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କୁ ସରଜମିନ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

The post ପୋଖରୀ ଖୋଳା ନାମରେ ମାଙ୍କଡ଼ା ପଥର ଚାଲାଣ; ପିଡି ଡିଆରଡିଏଙ୍କ ତଦନ୍ତ ନିର୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3gn4rC2