
ବରଗଡ଼ : କରୋନା କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ଥିବାରୁ ପିଲାଙ୍କ ସ୍ବାଭାବିକ ପାଠପଢ଼ା ଠପ୍ ରହିଛି। ଆଗକୁ କେବେ ଶିକ୍ଷାନୁଷ୍ଠାନ ଖୋଲିବ, ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ। କୋଚିଂ ଏବଂ ଟ୍ୟୁସନ୍ ମଧ୍ୟ ବନ୍ଦ ଥିବାରୁ ପିଲାମାନେ ଘରେ ରହି ପାଠ ପଢ଼ୁଛନ୍ତି। ପାଠପଢ଼ା ଧାରା ବଜାୟ ରଖିବାକୁ ଅନ୍ଲାଇନ୍ ଜରିଆରେ ପାଠପଢ଼ା ସୁବିଧା କରାଯାଇଛି। ୟୁ-ଟ୍ୟୁବ୍ରେ ପ୍ରତିଦିନ ବିଷୟବସ୍ତୁକୁ ଅପ୍ଲୋଡ୍ କରାଯାଉଛି। ଯାହା ପିଲା ଡାଉନ୍ଲୋଡ୍ କିମ୍ବା ଲାଇଭ୍ ଦେଖି ପାଠ ପଢ଼ୁଛନ୍ତି।
ବରଗଡ଼ ଜିଲ୍ଲାରେ ମାଧ୍ୟମିକ ଶିକ୍ଷା ପାଇଁ ୨ଟି କୋର୍ ଗ୍ରୁପ୍ କରାଯାଇଛି। ଗୋଟିଏର ନାମ ହେଲା ବାରପହାଡ଼ ଏବଂ ଅନ୍ୟଟି ଗନ୍ଧମାର୍ଦ୍ଦନ। ପ୍ରତି ଗ୍ରୁପ୍ରେ ୧୫୦ଟି ଲେଖାଏଁ ହାଇସ୍କୁଲ ସାମିଲ ଅଛି। କିନ୍ତୁ ନବମ ଏବଂ ଦଶମ ଶ୍ରେଣୀର ଏହି ଅନ୍ଲାଇନ୍ ପାଠପଢ଼ାରେ ନେଟୱର୍କ ଖଳନାୟକ ସାଜିଛି। କିନ୍ତୁ ଏହି ଯୋଜନା ବରଗଡ଼ ଜିଲ୍ଲାର ଦୁର୍ଗମ ଅଂଚଳରେ ଠପ୍ ରହିଛି। ଅମ୍ବାଭୋନା, ପାଇକମାଳ, ଝାରବନ୍ଧ, ପଦ୍ମପୁର, ଭଟଲି ବ୍ଲକ୍ର ଉପାନ୍ତ ଗାଁଗୁଡ଼ିକରେ ମୋବାଇଲ୍ ନେଟୱର୍କ କାମ କରୁନାହିଁ। କିଛି ସ୍ଥାନରେ ପିଲା ନେଟୱର୍କ ପାଇଁ ପାହାଡ଼ ଚଢ଼ୁଛନ୍ତି। ଯେଉଁ ପିଲାଙ୍କ ଘରେ ମୋବାଇଲ୍ ଅଛି, ସେଥିରେ ଇଣ୍ଟରନେଟ୍ ସୁବିଧା ନାହିଁ। ତେଣୁ ଅନ୍ଲାଇନ୍ ପାଠପଢ଼ା ପ୍ରକ୍ରିୟା ଠିକ୍ ଭାବେ ଆଗେଇ ପାରିନାହିଁ।
ଗତ ୨୧ ତାରିଖ ଦଶମର ୪୪ ପ୍ରତିଶତ ଏବଂ ନବମର ୪୪.୩୫ ପ୍ରତିଶତ, ୨୨ ତାରିଖ ଦଶମର ୪୩.୭୮ ଏବଂ ନବମର ୪୪.୩୫ ପ୍ରତିଶତ ପିଲା ଅନ୍ଲାଇନ୍ ଶିକ୍ଷାଦାନରେ ଯୋଡ଼ି ହୋଇଛନ୍ତି। ଅର୍ଥାତ ହାରାହାରି ୪୪ ପ୍ରତିଶତ ପିଲା ହିଁ ଏଥିରେ ସାମିଲ ଅଛନ୍ତି। ଅଥଚ ଦୁଇଦିନ ଭିତରେ ପିଲା ନୂଆ ଢାଞ୍ଚାରେ ଅଭ୍ୟସ୍ତ ନାହାନ୍ତି। ଆଗାମୀ ଦିନରେ ଉପସ୍ଥାନ ଆଖିଦୃଶିଆ ହେବା ସମ୍ଭାବନା ରହିଛି। ଅନ୍ଲାଇନ୍ ଶିକ୍ଷାଦାନ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନଶିକ୍ଷକମାନଙ୍କ ଦୁଇଟି ଗ୍ରୁପ୍ କରାଯାଇଛି। ଏହାବାଦ୍ ଗୋଟିଏ ନୋଡାଲ୍ ଗ୍ରୁପ୍ ବି ରହିଛି। ଏହି ଗ୍ରୁପ୍ରେ ସଂଶ୍ଳିଷ୍ଟ ଶିକ୍ଷକମାନେ ନିଜ ସଂଗୋଷ୍ଠୀରେ ଥିବା ପିଲାଙ୍କୁ ପାଠ୍ୟଦାନ ସାଇଟ୍ର ଲିଙ୍କ ପଠାଉଛନ୍ତି। ପ୍ରତି ସ୍କୁଲର କେତେ ପିଲା ଏଥିରେ ସାମିଲ ହେଲେ ପ୍ରତିଦିନ ଏହାର ତଥ୍ୟ ସଂଗ୍ରହ କରାଯାଉଛି। ଏପରିକି କିଛି ସ୍ଥାନରେ ଶିକ୍ଷକମାନେ ସିଧା ପିଲାଙ୍କ ଘରକୁ ଯାଇ ଏହାର ନିରୀକ୍ଷଣ ବି କରୁଛନ୍ତି। କିନ୍ତୁ ନେଟୱର୍କ ଜନିତ ସମସ୍ୟା କାଳ ସାଜିଛି। ଉଦାହରଣ ହେଲା, ଅମ୍ବାଭୋନା ବ୍ଲକ୍ର କର୍ଲା ହାଇସ୍କୁଲ। ଏଠାରେ ୧୮ ପିଲା ପାଠ ପଢ଼ୁଛନ୍ତି। କିନ୍ତୁ ଗାଁରେ କୌଣସି ନେଟୱର୍କ ଆସୁନାହିଁ। ଏହାବାଦ୍ ଶିକ୍ଷକ ଅଭାବ ବି ମୁଖ୍ୟ ସମସ୍ୟା ସାଜିଛି। ଅମ୍ବାଭୋନା ବ୍ଲକ୍ କର୍ଲା, ଗାଇସିଲାଟ୍ ବ୍ଲକ୍ କେରମେଲି ଏବଂ ଝାରବନ୍ଧ ବ୍ଲକ୍ କୁର୍ଲୁପାଲି ହାଇସ୍କୁଲରେ ଶିକ୍ଷକ ନାହାନ୍ତି। ସେଠାରେ ଡେପୁଟେସନ୍ରେ ଶିକ୍ଷକ ଦିଆଯାଇଛି।
The post ବରଗଡ଼: ୪୫% ପିଲା ପଢ଼ୁଛନ୍ତି ଅନ୍ଲାଇନ୍ରେ first appeared on Sambad.from ଜିଲ୍ଲା | Sambad https://ift.tt/3xRM1AN
0 Comments