
ଲଇକେରା : ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ନାଏକ ବନ୍ଧପାଲି ଗାଁରେ ଗୋ ହତ୍ୟାକୁ ନେଇ ଗ୍ରାମର ଚାରି ଜଣ ବ୍ୟକ୍ତିଙ୍କୁ ବେକରେ ପଘା ପକାଇ ଗାଁ ଦାଣ୍ଡରେ ବୁଲାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମର ବସିଥିବା ବୈଠକରେ ସର୍ବସମ୍ମତି କ୍ରମେ ଚାରି ଅଭିଯୁକ୍ତଙ୍କ ବେକରେ ପଘା ପକାଇ ହାତରେ ନଡ଼ିଆ ଧରି ଗାଁରେ ବୁଲାଇବା ସହିତ ଗୋରୁ ପରି ବୋବାଇବାକୁ ନିଷ୍ପତ୍ତି ହୋଇଥିଲା। ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି।
ସୂଚନା ଅନୁସାରେ ଗତ ୭ ତାରିଖ ରାତିରେ ଚାରି ଯୁବକ ମାଂସ ଭକ୍ଷଣ କରିବା ସହିତ ବିକ୍ରି କରିବା ପାଇଁ ଏକ ବଳଦକୁ ପଥର ଓ ବୁଡ଼ିଆରେ ହତ୍ୟା କରିଥିଲେ। ଏହି ଖବର ପ୍ରଚାର ହେବା ପରେ ଗ୍ରାମର କିଛି ବ୍ୟକ୍ତି ଚାରିଜଣ ଯୁବକଙ୍କୁ ଗାଁ ବୈଠକ ଡାକି ଏହି ଦଣ୍ଡିତ କରିବାକୁ ନିଷ୍ପତ୍ତି ନେଇଥିଲେ। ବୈଠକରେ ଏହି ଚାରି ଯୁବକଙ୍କୁ ଡାକି ପଚାରିବାରୁ ପ୍ରଥମେ ସେମାନେ ଏହାକୁ ଅସ୍ବୀକାର କରିଥିଲେ। ପରେ ସେମାନେ ଗୋ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ପୂର୍ବରୁ ଗାଁର ଅନେକ ଥର ଗାଈଗୋରୁ ହଜି ଯାଉଥିବାରୁ ଏହି ଯୁବକମାନେ ଗୋହତ୍ୟା କରି ମାଂସ ଚାଲାଣ କରୁଥିବା ଗ୍ରାମବାସୀ ସନ୍ଦେହ ମଧ୍ୟ କରିଥିଲେ। ଦଣ୍ଡ ସ୍ୱରୂପ ଚାରି ଅଭିଯୁକ୍ତଙ୍କୁ ବେକରେ ପଘା ପକାଇ ଗାଁ ଦାଣ୍ଡରେ ବୁଲିବାକୁ ନିର୍ଦେଶ ଦେଇଥିଲେ।
ତେବେ ଗ୍ରାମବାସୀ ଆଇନର ଆଶ୍ରୟ ନ ନେଇ ଦଣ୍ଡିତ କରିବା ଘଟଣାକୁ ମାନବାଧିକାର ଓ ସାମାଜିକ କର୍ମୀମାନେ ନାପସନ୍ଦ କରିଛନ୍ତି। ଏ ନେଇ ଲଇକେରା ଥାନାଧିକାରୀ ପ୍ରବୀର କେଶରୀ ତ୍ରିପାଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଏ ବିଷୟରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post ଗୋହତ୍ୟା ଅଭିଯୋଗରେ ବେକରେ ପଘା ପକାଇ ଗାଁ ଦାଣ୍ଡରେ ବୁଲିଲେ! first appeared on Sambad.from ଜିଲ୍ଲା | Sambad https://ift.tt/3cPHbf4
0 Comments