
କଟକ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ଭି.ସର୍ବେଶ୍ବର ରାଓଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡ଼ିବେ। ଏଥିସହିତ ଜାମିନରେ ଛାଡ଼ ପାଇବା ପରେ ମାମଲା ସଂକ୍ରାନ୍ତରେ ସର୍ବେଶ୍ବର ଗଣମାଧ୍ୟମ ନିକଟରେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ସର୍ତ୍ତାରୋପ କରାଯାଇଛି। ଏହି ସର୍ତ୍ତ ସହିତ ଅନ୍ୟାନ୍ୟ ସର୍ତ୍ତ ପୂରଣ କରିବା ପରେ ସର୍ବେଶ୍ବର ଜାମିନରେ ଛାଡ଼ପାଇବେ। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ବେଶ୍ବରଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ୨୦୨୦, ନଭେମ୍ବର ୨୭ ତାରିଖରେ ଗିରଫ ହୋଇ ଜେଲ୍ ଯାଇଥିଲେ। ଏହାପରେ ଟାଟା ମୋଟର୍ସରେ ନକଲି ଏମଡ଼ି ସାଜି କୋଟି କୋଟି ଟଙ୍କା ଆକାଶ ଠକିଥିବା ଅଭିଯୋଗ ହୋଇଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ସହିତ ୨୦୨୦, ଡିସେମ୍ବର ୩ରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଏହାପରେ କ୍ରାଇମବ୍ରାଞ୍ଚ ସର୍ବେଶ୍ବରଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କ ସହିତ ଆକାଶ ପାଠକ ଓ ସର୍ବେଶ୍ବର ଅଭିଯୁକ୍ତ ରହିଥିଲେ। ତଦନ୍ତ ବେଳେ ରେକର୍ଡ କରାଯାଇଥିବା ବୟାନ ଓ ସଂଗ୍ରହ କରାଯାଇଥିବା ନଥିପତ୍ରରୁ କେତେକ ଚାକିରି ଆଶାୟୀ ଶ୍ରୀ ପାଣିଗ୍ରାହୀଙ୍କ ଏଜେଣ୍ଟ କୁହାଯାଉଥିବା ସର୍ବେଶ୍ବରଙ୍କୁ ଟଙ୍କା ଦେଇଥିଲେ ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ଫେବ୍ରୁଆରି ୨୪ରେ ହାଇକୋର୍ଟ ଶ୍ରୀ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଅନ୍ୟପଟେ ଆକାଶଙ୍କ ଜାମିନ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି। ସର୍ବେଶ୍ବରଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଥିଲେ।
The post ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ବର ରାଓଙ୍କୁ ଜାମିନ first appeared on Sambad.from ଜିଲ୍ଲା | Sambad https://ift.tt/2RhcgAR
0 Comments