ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରତିବର୍ଷ ହାରାହାରି ୧୨୦ ଟି ସାପ କାମୁଡ଼ା ଘଟଣା ଘଟୁଥିବା ବେଳେ ଗତ ୮ ବର୍ଷ ମଧ୍ୟରେ ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଛି। ଯଦିଓ ସାପ କାମୁଡ଼ା ପାଇଁ ପ୍ରତିଷେଧକ ଇଂଜେକ୍ସନ୍ ସରକାରଙ୍କ ପାଖରୁ ମାଗଣା ମିଳୁଛି, କିନ୍ତୁ ଫାର୍ମାସିଷ୍ଟ, ଶଯ୍ୟା ଆଦି ବ୍ୟବସ୍ଥା ଥିବା ହସ୍ପିଟାଲ୍‌ରେ ଏହା ଦିଆଯାଉଥିବାରୁ ଦୁର୍ଗମ ଓ ସୁଦୂର ଗ୍ରାମାଂଚଳରେ ସାପକାମୁଡ଼ା ବ୍ୟକ୍ତିଙ୍କ ପାଇଁ ଇଂଜେକ୍ସନ୍ ମିଳିବାରେ ସମସ୍ୟା ଦେଖାଦେଉଛି। ମିଳିଥିବା ତଥ୍ୟାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ଗତ ୮ ବର୍ଷର ସାପ କାମୁଡ଼ା ଘଟଣାର ଅନୁଶୀଳ କଲେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି।

୨୦୧୩ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୪ରେ ୩, ୨୦୧୫ରେ ୬, ୨୦୧୬ରେ ୧୦, ୨୦୧୭ରେ ୨୭ ଓ ୨୦୧୮ରେ ୩୧ଜଣଙ୍କ ମୃତ୍ୟୁ ଘଟିଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ଦିଆଯାଇଥିବା କ୍ଷତିପୂରଣ ତାଲିକାରେ ୨୦୧୯-୨୦ରେ ବଜ୍ରପାତ, ଜଳମଗ୍ନ ହେବା, ଅଗ୍ନିକାଣ୍ଡ, ସାପ କାମୁଡ଼ା ଆଦି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ଘଟିଥିବା ୯୭ ଲୋକଙ୍କୁ କ୍ଷତିପୂରଣ ଦିଆଯାଇଛି। ଏହି ତାଲିକାରେ ସାପ କାମୁଡ଼ାରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ଅର୍ଥାତ୍ ଅଙ୍ଗହାନୀ ଆଦି ହୋଇଛନ୍ତି। ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ଚିଲିକାରୁ ୫, ଭୁବନେଶ୍ୱର ବ୍ଲକରୁ ୫, ବାଲିଅନ୍ତାରୁ ୨, ବାଣପୁର ୨, ଖୋର୍ଦ୍ଧାରୁ ୩, ଟାଙ୍ଗୀରୁ ୨, ବାଲିପାଟଣାରୁ ୨, ବେଗୁନିଆରୁ୨, ବୋଲଗଡ଼ରୁ ଜଣ ରହିଛନ୍ତି।

ସାପ କାମୁଡ଼ା ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ରହିଛି। ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉଥିବା ବେଳେ ଆହତ ହୋଇଥିବା ଲୋକଙ୍କୁ ମଧ୍ୟ ଆକଳନ ଅନୁସାରେ କ୍ଷତିପୂରଣ ଦିଆଯାଉଛି। ଏହା ସହ ସାପ ବିଷ ନିରାକରଣ ପାଇଁ ନିରାମୟ ଯୋଜନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସିଏଚ୍ସିକୁ ମାଗଣା ଇନ୍ଜେକ୍ସନ୍ ପ୍ରଦାନ କରାଯାଉଛି।

ତେବେ ଗ୍ରାମାଂଚଳରେ ଯେଉଁ ଠାରେ ସାପ କାମୁଡ଼ା ଘଟଣା ଅଧିକ ଘଟୁଛି ସେଠାରେ ତୁରନ୍ତ ଇନ୍ଜେକ୍ସନ୍ ମିଳିବାରେ ଘୋର ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ ଲୋକଙ୍କୁ ସିଏଚ୍ସିକୁ ଆସିବାକୁ ପଡ଼ୁଛି। ଏନେଇ ସିଡିଏମ୍ଓ ଡା ବିଶ୍ୱରଂଜନ ପତି କହିଛନ୍ତି ଯେ ଜିଲ୍ଲାରେ ସାପ କାମୁଡ଼ା ଇଂଜେକ୍ସନର ଅଭାବ ନାହିଁ। ଜିଲ୍ଲାକୁ ସରକରଙ୍କ ପକ୍ଷରୁ ଯେତିକି ଇନ୍ଜେକ୍ସନ ଆସୁଛି ସେଗୁଡ଼ିକୁ ବ୍ଲକ ଗୁଡ଼ିକୁ ବାଂଟି ଦିଆଯାଉଛି। ଯେଉଁଠାରେ ଫାର୍ମାସିଷ୍ଟ ଓ ଶଯ୍ୟା ଅଛି ସେଠାରେ ଇଂଜେକ୍ସନ୍ ଦିଆଯାଉଛି। ଯେହେତୁ ଗ୍ରାମାଂଚଳର ପ୍ରାୟ ଅଧିକାଂଶ ପିଏଚ୍ସି ଗୁଡ଼ିକରେ ଶଯ୍ୟା କିମ୍ବା ଫାର୍ମାସିଷ୍ଟ ନଥିବାରୁ ରୋଗୀଙ୍କୁ ସିଏଚ୍ସିକୁ ଆସିବାକୁ ପଡ଼ୁଛି।

The post ସାପ କାମୁଡ଼ାରେ ୮ ବର୍ଷରେ ୧୦୦ରୁ ଉର୍ଦ୍ଧ୍ବ ଜୀବନ ଯାଇଛି first appeared on Sambad.

from ଜିଲ୍ଲା | Sambad https://ift.tt/3gBYxgH