
ମାଲକାନଗିରି: ଆସନ୍ତାକାଲି ପବିତ୍ର ସାବିତ୍ରୀ ବ୍ରତ ପାଳନ କରାଯାଉଥିବା ବେଳେ ବଜାରରେ ସତ୍ୟବାନ ଏବଂ ସାବିତ୍ରୀଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଲକ୍ ଡାଉନର ସମସ୍ତ କଟକଣାକୁ ଫୁ କରି ଉଡାଇ ଦେଇଥିଲେ ଲୋକେ। ସମସ୍ତ ଫଳ ଦୋକାନ ଏବଂ ବଜାରର ବିଭିନ୍ନ ଗଳିକନ୍ଦରେ ମାଳ ମାଳ ଲୋକ ଭିଡ ଜମାଉଥିବା ଦେଖିବାକୁ ମିଳିଥିଲା।ଲୋକେ ମୁହଁରେ ମାସ୍କ ପିନ୍ଧିଥିଲେ ସିନା,କେବଳ ନାକ ଓ ପାଟି ତଳକୁ ହିଁ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ଜିଲ୍ଲାରେ ପ୍ରତିଦିନ ହୁ ହୁ ହୋଇ କରୋନା ସଂକ୍ରମଣ ବଢୁଥିବା ବେଳେ ବିଶେଷକରି ଜିଲ୍ଲାର ସଦର ମହକୁମାରେ ହିଁ ସବୁଠାରୁ ବେଶୀ ସଂକ୍ରମଣ ହୋଇଛି।ଏହାକୁ ଖାତିରି ନକରି ଲୋକେ ସାବିତ୍ରୀ ବ୍ରତ ପାଇଁ ସମସ୍ତ ସାମଗ୍ରୀ କିଣିବାରେ ବ୍ୟସ୍ତ ଦେଖିବାକୁ ମିଳିଥିଲା। ଏପରିକି ସମସ୍ତ ଷ୍ଟେସନାରୀ ଦୋକାନ ଏବଂ ମଲଗୁଡିକ ବନ୍ଦ ରଖିବା ପାଇଁ ସରକାରଙ୍କର ନିର୍ଦେଶ ରହିଥିଲେ ମଧ୍ୟ ଏମାନେ ଗଳିକନ୍ଦି ଦେଖି ବେପାର ଜମାଇଥିଲେ। ସଟରକୁ ତଳେ ପକାଇ ଦେଇ ଗ୍ରାହକମାନଙ୍କୁ ଭିତରକୁ ପୁରାଇ ବେପାର କରୁଥିବା ଦେଖିବାକୁ ମିଳିଥିଲା।
ସାବିତ୍ରୀରେ ଚୁଡି,ମାଳି ଇତ୍ୟାଦି ଦରକାର ପଡୁଥିବାରୁ ଷ୍ଟେସନାରୀ ଦୋକାନ ବାଲା ଏହି ବେପାରକୁ ଯିବାକୁ ଦେବାକୁ ଚାହୁଁ ନଥିଲେ। ନିଜ ନିଜ ଉପାୟରେ ଏମାନେ ବି ବିକ୍ରି ବଟା ଜମାଇଥିବା ଦେଖିବାକୁ ମିଳିଥିଲା। ପୁଲିସ ଏନେଇ ପିଇଁତରା ମାରୁଥିଲେ ମଧ୍ୟ ଦୋକାନୀଙ୍କ ବେପାର ଚାଲକୁ ଧରିବାରେ ଅସଫଳ ହୋଇଥିବା ଦେଖିବାକୁ ମିଳିଥିଲା।
ତେବେ ଆଜିର ଗହଳି ନିଶ୍ଚିତ ଭାବେ ଆଗାମୀ ଦିନରେ କରୋନା ସଂକ୍ରମଣକୁ ବଢାଇବ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି। କରୋନା କଟକଣାକୁ କେହି ପ୍ରାଧାନ୍ୟ ନଦେଇ ପୂଜା ପାଇଁ ସମସ୍ତେ ବ୍ୟସ୍ତ ବ୍ୟବ୍ରତ ହେଉଥିବା ଦେଖିବାକୁ ମିଳିଥିଲା। ଆସନ୍ତାକାଲି ମଧ୍ୟ ଦୋକାନ ବଜାରଗୁଡିକରେ ପ୍ରବଳ ଗହଳି ପରିଲକ୍ଷିତ ହେବ ବୋଲି କୁହାଯାଇଛି।ପୁଲିସ ଏବଂ ପ୍ରଶାସନ ଏନେଇ କୌଣସି କଡା ପଦକ୍ଷେପ ନନେଲେ ସହରରେ ସଂକ୍ରମଣ ଆଗକୁ ପ୍ରବଳ ବଢିବ ବୋଲି କୁହାଯାଇଛି।
The post ଲକ୍ ଡାଉନକୁ ଫୁ କରିଦେଲେ ଲୋକେ: ସାବିତ୍ରୀ ବଜାର ପାଇଁ ମାନିଲେନି କଟକଣା first appeared on Sambad.from ଜିଲ୍ଲା | Sambad https://ift.tt/3cwOSGZ
0 Comments