ଜୟପୁର: ଦକ୍ଷିଣପଶ୍ଚିମ ମୌସୁମୀ ବର୍ଷା କୋରାପୁଟ ଜିଲ୍ଲାକୁ ଛୁଇଁଛି। ଏହା ଆସିବା ପରେ ବିଲ ,ଖଳା ଆଉ ମଣ୍ଡିରେ ପଡିଛି ହଜାର ହଜାର ବସ୍ତା ଧାନ। ଗତ ୨୮ ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଥିଲା ରବି ଧାନ ସଂଗ୍ରହ ପ୍ରକ୍ରିୟା। ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୭ଲକ୍ଷ ୩୦ହଜାର କୁଇଣ୍ଟାଲ କିଣିବାକୁ ଲକ୍ଷ୍ୟ ଦିଆଯାଇଥିଲା। ପୁଣି ଦ୍ବିତୀୟ ପର୍ଯ୍ୟାୟ ପାଇଁ ଏବେ ପୁଣି ଆଉ ୨ଲକ୍ଷ କୁଇଣ୍ଟାଲ ଆସିଥିବା ଜିଲ୍ଲା ଯୋଗାଣ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏହାରି ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଲକ୍ଷ୍ୟ ପୁରଣ ହୋଇଛି।

ଆଜି ପର୍ଯ୍ୟନ୍ତ ୧୫ଟି ଲ୍ୟାମ୍ପ, ୧୮ଟି ମହିଳା ସ୍ବୟଂ ସହାୟକ ଦଳ, ୨ଟି ପାଣି ପଂଚାୟତ କ୍ରୟକାରୀ ସଂସ୍ଥା ଦ୍ବାରା ୭ ଲକ୍ଷ ୫୬ ହଜାର ୭୧୪ କୁଇଣ୍ଟାଲ ଧାନ କିଣା ସରିଥିବା ସୂଚନା ମିଳିଛି। ତେବେ ବର୍ଷା ଲାଗି ରହିବା, ଧାନ ନେବା ପାଇଁ ଟ୍ରକ ମିଳୁ ନଥିବା ଅଭିଯୋଗ କରି ମଣ୍ଡି ଗୁଡ଼ିକରେ ଧାନ ନ ଉଠିବା ପରେ ମଣ୍ଡିର ଅବ୍ୟବସ୍ଥା ଲୋକଲୋଚନକୁ ଆସିବା ସହ ଚାଷୀ କିଭଳି ଶୋଷଣର ଶୀକାର ହେଉଛି ତାହା ଜଣା ପଡ଼ିଛି। ଜିଲ୍ଲାରେ ୬୮ଟି ମଣ୍ଡିରୁ ୧୫ଟି ମଣ୍ଡିରେ ହିଁ ଧାନ ରଖିବା ପାଇଁ ପିଣ୍ଡି ରହିଛି। ମଣ୍ଡି ବ୍ୟବସ୍ଥା ଠିକ ନଥିବାରୁ ବର୍ଷା ପାଣିରେ ଭିଜୁଛି ଚାଷୀର ଧାନ। ଟ୍ରକ ମିଳୁ ନଥିବା ବାହାନାରେ ମଣ୍ଡିରୁ ଚାଷୀଙ୍କ ଧାନକୁ କ୍ରୟକାରୀ ସଂସ୍ତା ଉଠାଉନି। ଏହି ସମୟରେ ଚାଷୀଙ୍କ ଟୋକନର ସମୟ ଅବଧି ବି ସରିଯାଉଛି। ଚାଷୀ କାକୁତି ମିନତୀ ହୋଇ ଜିଲ୍ଲାପ୍ରଶାସନକୁ ଜଣାଇଲେ ସୁଦ୍ଧା କିଛି ଫଳ ମିଳୁନି। ଅନ୍ୟ ପକ୍ଷରେ ବେପାରୀମାନଙ୍କ ଧାନ ଖଳାରୁ ସିଧା ମିଲକୁ ଯାଉଛି ।

ପ୍ରକୃତ ଚାଷୀ ଧାନ ମଣ୍ଡିରେ ପହଁଚିଲା ପରେ ମଇଷ୍ଚର ଓ ଖାଲି ବସ୍ତା ଓଜନ ପରି ନାନା ବାହାନା ଦେଖାଉଛନ୍ତି ମିଲ ମାଲିକ। ନିୟନ୍ତ୍ରିତ ବଜାରରେ ଥିବା ଅଧିକାରୀ, ଧାନ କ୍ରୟସଂସ୍ଥା ଓ ଯୋଗାଣ ବିଭାଗ, କିଛି ଚାଷୀ ପ୍ରତିନିଧି, ସ୍ଥାନୀୟ ମିଲ୍ ମାଲିକ ଓ କିଛି ବେକାରୀ ଯୁବକ ଓ ଟାଉଟର ମିଳିତ ଭାବେ ଭାଗ ମାପ କରି ଶୋଷଣ କରୁଥିବାର ଅଭିଯୋଗ କରିଛନ୍ତି ଚାଷୀ। ମିଲ୍ ମାଲିକ ଧାନ ପାଇଁ ବସ୍ତା ଯୋଗାଉ ନାହାଁନ୍ତି ଓଲଟି ଚାଷୀ ମାନେ ଆଣିଥିବା ପଲିଥିନ ବସ୍ତାରେ ଧାନ ମଣ୍ଡିରୁ ମିଲ ପଏଣ୍ଟକୁ ପଠାଉଛନ୍ତି।

ଚାଷୀଙ୍କ ବସ୍ତା ମଧ୍ୟ ମିଲ ମାଲିକ ମାନେ ଫେରସ୍ତ କରୁନାହାଁନ୍ତି। ଏବେ ବସ୍ତା ପିଛା ଖର୍ଚ୍ଚ କରି କ୍ଷତିଗ୍ରସ୍ତ ଚାଷୀ ଅନ୍ୟ ପଟେ ଧାନ ଓଦା ହେବାରୁ ମଇଷ୍ଚର ଟେଷ୍ଟ କରି କ୍ୱିଣ୍ଟାଲ ପିଛା ୫ ରୁ ୮ କିଲୋ ଲେଖା କାଟିଦେଉଛନ୍ତି ମିଲ ମାଲିକ। ଏହା ସହ ପୁଣି ପ୍ଲାଷ୍ଟିକ ଜରି ବ୍ୟାଗରେ ଧାନ ଦେଉଥିବା ଚାଷୀଙ୍କ ଧାନ ଓଜନ କଲା ବେଳେ ଖାଲି ବସ୍ତା ଓଜନ ଓ ଝୋଟ ବସ୍ତା ଓଜନ ସାଙ୍ଗରେ ସମାନ କରି କ୍ୱିଣ୍ଟାଲ ପିଛା ୭୦୦ଗ୍ରାମ କଟିଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏଥିପ୍ରତି ପ୍ରତି ବାରମ୍ବାର ଅଭିଯୋଗ କଲେ ମଧ୍ୟ କାହାର ନଜର ନାହିଁ ବୋଲି କହିଛନ୍ତି ଚାଷୀ ଓ ଚାଷୀ ନେତା। କୋରାପୁଟ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବଡ଼ ଧରଣ ଅବ୍ୟବସ୍ଥାର ଯଦି ସମାଧାନ ନ ହୁଏ ତା ହେଲେ ଚାଷୀ ବାରମ୍ବାର ଶୋଷଣ ର ଶିକାର ହେଉଥିବ।

The post ଆସିଲା ମୌସୁମୀ; ମଣ୍ଡି ଓ ଜମିରେ ପଡିଛି ଧାନ, ଟୋକନର ଅବଧି ମଧ୍ୟରେ ଉଠୁନି first appeared on Sambad.

from ଜିଲ୍ଲା | Sambad https://ift.tt/3gkqn1S