
ବାରିପଦା: ଜିଲ୍ଲାରେ ଥମୁନି ଟିକାଦାନ କେନ୍ଦ୍ରରେ ଫଟୋ ରାଜନୀତି। କେନ୍ଦ୍ର ସରକାର ଟିକା ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାର ଏହାକୁ ନେଇ ରାଜନୀତି କରୁଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୋଗ ଆଣିଛି ବିଜେପି। କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରିବାର ରେକର୍ଡ ରଖୁଥିବା ରାଜ୍ୟ ସରକାର ଟିକାକରଣକୁ ନେଇ ମଧ୍ୟ ରାଜନୀତି କରୁଛନ୍ତି। ଟିକାଦାନ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରଖାଯିବାକୁ ବିଜେପି ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଏପରିକି ଏହି ପ୍ରକ୍ରିୟା ବିରୋଧରେ ଦଳ ଆଗାମୀ ଦିନରେ ସମ୍ପୂର୍ଣ୍ଣ ଜିଲ୍ଲାରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ବୋଲି ଚେତାବନୀ ଦେଇଛି ଦଳ। ଏଥିସହିତ ଆବଶ୍ୟକ ହେଲେ ଦଳ ଆଇନର ମଧ୍ୟ ଆଶ୍ରୟ ନେବ ବୋଲି କହିଛି।
ଆଜି ଦେଶରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତିର କଳାଦିନକୁ ମନେପକାଇବା ଉଦ୍ଦେଶ୍ୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଏପରି ଭାବେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ବିଜେପି ନେତୃବୃନ୍ଦ। ୧୯୭୫ ଜୁନ ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଘଣତାନ୍ତ୍ରୀକା ଭାବେ କ୍ଷମତାକୁ ଦଖଲ କରିବା ନିମନ୍ତେ ସମ୍ବିଧାନ ସଂଶୋଧନ କରିବା ସାଙ୍ଗକୁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଇ ବିଭିନ୍ନ ରାଜନେତାମାନଙ୍କୁ ଜେଲରେ ଭର୍ତ୍ତି କରାଇବା ଆଦିକୁ ସ୍ମରଣ କରାଯିବା ସହ ଆଜିର ଦିବସକୁ କଳା ଦିବସ ଭାବେ ପାଳନ କରାଯାଉଥିବାର ପ୍ରକାଶ କରିଥିଲେ।
ପୂର୍ବ ସାଙ୍ଗଠନିକ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଲୋକସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସମ୍ପାଦକ ବିଶ୍ୱେଶର ଟୁଡ଼ୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ରାଜ୍ୟ ସ୍ଥାୟୀ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ସୁଗଦା ମୁର୍ମୁ, କବି ବିଷ୍ଣୁ ଶତପଥୀ, ପ୍ରଦୀପ ମହାନ୍ତି, ପ୍ରବୀଣ କୁମାର ପାତ୍ର, ବିଜୟ କୁମାର ଦାସ, ପରେଶ ମହାନ୍ତ, ବଳରାମ ସାହୁ, ନିରଞ୍ଜନ ଦାଶ, ଦୀନେଶ ଦାସ, ପ୍ରକାଶ ଅଗ୍ରୱାଲା, କାଳିଚରଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଜିଲ୍ଲାରେ ଥିବା ବିଭିନ୍ନ ଲ୍ୟାମ୍ପ୍ସମାନଙ୍କରେ ମିଲର ଓ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସଲାସୁତୁରାରେ ଧାନର ଅଭାବୀ ବିକ୍ରି, କଟନୀ ଛାଟନୀ ନା’ରେ ଚାଷୀଙ୍କୁ ଶୋଷଣ ଶୋଷଣ କରାଯିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ନିର୍ମାଣ କରୁଥିବା ଗୃହ ଗୁଡ଼ିକରେ ବିଜୁ ପକ୍କାଗୃହ ଓ ଇନ୍ଦୀରା ଆବାସ ଯୋଜନା ଲୋଗୋ ଲଗାଯିବା ଆଦିକୁ ନେଇ କଂଗ୍ରେସ ଓ ବିଜେଡ଼ିକୁ ତୀବ୍ର ସମାଲୋଚନା କରିଥିଲେ ବିଜେପି ନେତା।
The post ଥମୁନି ଟିକାଦାନ କେନ୍ଦ୍ରରେ ଫଟୋ ରାଜନୀତି; ଜିଲ୍ଲାବ୍ୟାପି ଆନ୍ଦୋଳନ ଓ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଲା first appeared on Sambad.from ଜିଲ୍ଲା | Sambad https://ift.tt/3gUq0eQ
0 Comments