
ସଇନ୍ତଳା : ସଇନ୍ତଳା ବ୍ଲକ୍ କାର୍ଯ୍ୟାଳୟ ପରିସରରେ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ମାମଲାର ଦୁଇ ଅଭିଯୁକ୍ତ ବ୍ଲକ୍ ଅଧ୍ୟକ୍ଷାଙ୍କ ଦିଅର ସେନାପତି ମଲ୍ଲିକ ଓ ବିନେଶ ଗହୀର ଜେଲ୍ ଯାଇଛନ୍ତି। ଏହି ଘଟଣା ପରେ ଗତ ୨୩ ତାରିଖରୁ ଜାରି ରହିଥିବା ବ୍ଲକ୍ କର୍ମଚାରୀଙ୍କ ଧାରଣା ପ୍ରତ୍ୟାହୃ୍ତ ହୋଇଛି।
ସୂଚନାଯୋଗ୍ୟ ଯେ, ଗତ ୨୨ତାରିଖ ମଙ୍ଗଳବାର ସେନାପତି ଓ ବିନେଶ ବ୍ଲକ୍ କାର୍ଯ୍ୟାଳୟକୁ ଆସି ଏପିଓ ବନଜାବାସିନୀ ଦାସ, ଦେବାଶିଷ ସାହୁ ଓ ଯୋଗାଣ ଅଧିକାରୀ ନଳିନୀକାନ୍ତ ପାଲଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଘଟଣାର ପ୍ରତିବାଦରେ ବୁଧବାର ଓ ଗୁରୁବାର ବ୍ଲକ୍ କର୍ମଚାରୀମାନେ କାର୍ଯ୍ୟବନ୍ଦ କରି କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ। ବୁଧବାର ବିଡିଓ ଦେବାଶିଷ ସାମଲ ଓ ଯୋଗାଣ ଅଧିକାରୀ ଶ୍ରୀ ପାଲ ସଇନ୍ତଳା ଥାନାରେ ଏତଲା ଦେଇଥିଲେ। ଏସ୍ପିଙ୍କ ନିର୍ଦେଶରେ ବଲାଙ୍ଗୀର ଡିଏସ୍ପି ବଟକୃଷ୍ଣ ମିଶ୍ର ଏହି ମାମଲାର ଦାୟିତ୍ବ ନେଇଥିଲେ। ବୁଧବାର ବିଳମ୍ବିତ ରାତିରେ ସଇନ୍ତଳା ପୁଲିସ ଦୁଇ ଅଭିଯୁକ୍ତ ସେନାପତି ଓ ବିନେଶଙ୍କୁ ଗିରଫ କରିଥିଲା। ଶୁକ୍ରବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା। ହେଲେ ଜାମିନ ନାମଂଜୁର ହେବାରୁ ଟିଟିଲାଗଡ଼ ଜେଲ୍କୁ ପଠାଇ ଦିଆଯାଇଛି। ପରେ ଡିଏସ୍ପି ଶ୍ରୀ ମିଶ୍ର ଓ ସଇନ୍ତଳା ଥାନାଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ଆନ୍ଦୋଳନରତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଶ୍ବାସନା ଦେବା ପରେ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ।
ଅନ୍ୟପକ୍ଷରେ ବୁଡ଼ାବାହାଲ ସମିତିସଭ୍ୟ ବୈକୁଣ୍ଠ ମାଝୀ ମନରେଗା ବିଭାଗର ଦୁଇ କର୍ମଚାରୀ ଓ ଯୋଗାଣ ବିଭାଗ ଅଧିକାରୀ ଜାତିଆଣ ମନ୍ତବ୍ୟ ଦେଇ ପାଟିତୁଣ୍ତ କରିଥିବା ସଂପର୍କରେ ସଇନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶୁକ୍ରବାର ସକାଳ ୧୧ଟା ସମୟରେ ବ୍ଲକ୍ ଉପାଧ୍ୟକ୍ଷ ପ୍ରମୋଦ ଭୋଇଙ୍କ ନେତୃତ୍ବରେ ବହୁ କଂଗ୍ରେସ କର୍ମୀ ଥାନାକୁ ଯାଇଥିଲେ। ଫଳରେ ଥାନା ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡିଏସ୍ପି ଶ୍ରୀ ମିଶ୍ର ବୁଝାସୁଝା କରିବା ପରେ କର୍ମୀମାନେ ଫେରିଯାଇଥିଲେ। ଘଟଣାକୁ ନେଇ ସଇନ୍ତଳା ଅଂଚଳରେ ଚାପା ଉତ୍ତେଜନା ଲାଗିରହିଛି।
The post ବ୍ଲକ୍ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଘଟଣା: ଦୁଇ ଅଭିଯୁକ୍ତ ଜେଲ୍ ଗଲେ, ଆନ୍ଦୋଳନ ପ୍ରତ୍ୟାହୃତ first appeared on Sambad.from ଜିଲ୍ଲା | Sambad https://ift.tt/3qtqOL6
0 Comments