ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପେଟ୍ରୋଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ଟ୍ରକ୍‌ ପଛରେ ଏକ ବୋଲେରୋ ପିଟି ହେବାରୁ ଦୁଇଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ପାଟଣା ବ୍ଲକ୍‌ ଖିରେଇଟାଙ୍ଗିରି ଗ୍ରାମର ଗୋପାଳ ମହାନ୍ତ (୩୩) ଓ ଦିଲୀପ କୁମାର ମହାନ୍ତ (୩୪)। ଉଭୟ ମଣ୍ଟେକାର୍ଲୋ କମ୍ପାନିରେ କାମ କରନ୍ତି।

ଗତକାଲି ରାତିରେ ଗୋପାଳ ଏବଂ ଦିଲୀପ ଏକ ବୋଲେରୋରେ ତୁରୁମୁଙ୍ଗାରୁ ଖିରେଇଟାଙ୍ଗିରି ଯାଉଥିଲେ। ତୁରୁମୁଙ୍ଗା ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ବୋଲେରୋଟି ଭାରସାମ୍ୟ ହରାଇ ପିଟି ହୋଇଥିଲା। ଦୁର୍ଘଟଣାରେ ବୋଲେରୋଟି ଭାଙ୍ଗି ଚୁରମାର ହୋଇଯାଇଛି। ଘଟଣାସ୍ଥଳରେ ଦିଲୀପଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଗୋପାଳଙ୍କୁ କଟକ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ତୁରୁମୁଙ୍ଗା ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ଏସ୍‌ଆଇ ସୁଶାନ୍ତମଣି ମହାନ୍ତି କହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ୟପକ୍ଷରେ ପରିବାର ଲୋକେ ଖିରେଇଟାଙ୍ଗିରିସ୍ଥିତ ମଣ୍ଟେକାର୍ଲୋ କମ୍ପାନିର ଅଫିସ ଫାଟକ ସମ୍ମୁଖରେ ଶବ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ମୃତକଙ୍କ ପରିବାରକୁ ଏକଲକ୍ଷ ଟଙ୍କା ସହ ଜଣଙ୍କୁ କମ୍ପାନିରେ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସଂପର୍କୀୟମାନେ ସେଠାରୁ ହଟିଥିଲେ।

The post ଟ୍ରକ୍‌ ପଛରେ ପିଟିଲା ବୋଲେରୋ : ୨ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3cGqwKO