ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସୋସୋ ଥାନା ଅନ୍ତର୍ଗତ ଖପରାଖାଇ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର, ୨୦ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ୍‌ ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଏନେଇ ଥାନା‌ରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ହାଟଡିହି ବ୍ଲକ୍‌ ମରୈଗାଁ ପଞ୍ଚାୟତ ଖପରାଖାଇ ଗ୍ରାମର ଗୌରାଙ୍ଗ ଗାହାଣ ଜଣେ ମିଠା ବ୍ୟବସାୟୀ। ସେ ଓ ତାଙ୍କ ପୁଅ ମାନସ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୋକାନରେ ମିଠା ତିଆରି କରୁଥିଲେ। ଘରେ ସ୍ତ୍ରୀ ଋକ୍ମିଣୀ ଓ ଦୁଇଝିଅ ଥିଲେ। ଗେଟ୍‌ରେ ତାଲା ପଡ଼ିଥିବାବେଳେ ସ୍ବାମୀ ଓ ‌ପୁଅ ଫେରି ନଥିବାରୁ ଘର କବାଟରେ ତାଲା ପଡ଼ିନଥିଲା। ରାତି ପ୍ରାୟ ସାଢ଼େ ଗୋଟାଏବେଳେ ତିନିଜଣ ଦୁର୍ବୃତ୍ତ ଘରେ ପଶି ଦୁଇଟି ମୋବାଇଲ ଫୋନ୍‌ ଏବଂ ସୁନାରୁପା ଅଳଙ୍କାର ଥିବା ବାକ୍ସକୁ ବାହାରକୁ ନେଇ ଆସିଥିଲେ। ବାକ୍ସରେ ଥିବା ଦୁଇଟି ସୁନାଚେନ୍‌, ମଙ୍ଗଳସୂତ୍ର, ମୁଦି, କାନଫୁଲ ଏବଂ ୨୦ ହଜାର ଟଙ୍କା ଚୋରି କରିଥିଲେ। ପୁଣି ସେମାନେ ଘରେ ପଶିଥିବାବେଳେ ଝିଅ ତପସ୍ବିନୀ ଉଠି ପଡ଼ି ପାଟି କରିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଏକ ଛୁରିରେ ଆକ୍ରମଣ କରିବାରୁ ସେ ଆହତ ହୋଇଛନ୍ତି। ଋକ୍ମିଣୀ ପିନ୍ଧିଥିବା ସୁନା ଲକେଟ୍‌କୁ ଦୁର୍ବୃତ୍ତମାନେ ଛିଣ୍ଡାଇ ନେଇଛନ୍ତି। ଗୌରାଙ୍ଗ ଓ ପୁଅ ମାନସକ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏନେଇ ସୋସୋ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The post ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/35yg4S1