କଟକ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଶରୀରରେ ବ୍ୟବହାର ହୋଇଥିବା ଆଣ୍ଟିବଡି କକ୍‌ଟେଲ୍‌ ପ୍ରଥମଥର ପାଇଁ କଟକରେ ତଥା ଏସ୍‌ସିବିରେ ଜଣେ ଗୁରୁତର କରୋନା ସଂକ୍ରମିତଙ୍କଠାରେ ପ୍ରୟୋଗ କରାଯାଇଛି। କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଏଭଳି ଦ‌ାମୀ ତଥା ପାଖାପାଖି ୧ଲକ୍ଷ ଟଙ୍କାର ଇଞ୍ଜେକ୍‌ସନ୍‌ ପ୍ରଥମଥର ପାଇଁ ଏସ୍‌ସିବିରେ ବ୍ୟବହାର ହୋଇଥିବା ଜିଲ୍ଲାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। କଟକରେ ଟୋସଲିଜୁମାବ୍‌ ଇଞ୍ଜେକ୍‌ସନ୍ ଏଯାଏ ୨୩ ଜଣଙ୍କଠାରେ ପ୍ରୟୋଗ କରାଯାଇଥିବାବେଳେ ସେଥିରୁ ଏସ୍‌ସିବିର ୧୦ ଜଣ କରୋନା ସଂକ୍ରମିତଙ୍କଠାରେ ତାହା ପ୍ରୟୋଗ କରାଯାଇଛି। ଟୋସଲିଜୁମାବ୍ ଓ ଅନ୍ୟ ମିଶ୍ରଣରେ ଏହି ଆଣ୍ଟିବଡି କକ୍‌ଟେଲ୍ ପ୍ରସ୍ତୁତ ହୋଇଥାଏ।

କଟକକୁ ଗତ ୨୦ ତାରିଖ ଦିନ ୫୦ ଭା‌ଏଲ୍‌ ଆଣ୍ଟିବଡି କକ୍‌ଟେଲ ଆସିଥିବା ବେଳେ ସେଥିରୁ ୨୫ଟି ଭାଏଲ୍‌ ଏସ୍‌ସିବି ଆଜି ସିଏମ୍‌ସିଠାରୁ ଗ୍ରହଣ କରିଛି। ଏସ୍‌ସିବି କୋଭିଡ୍‌-୪ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କଟକ ଜିଲ୍ଲାର ଜଣେ ୫୫ ବର୍ଷୀୟ ମହିଳାଙ୍କ ଠାରେ ଏହାର ପ୍ରାୟୋଗ କରାଯାଇଛି। ଏହି ମହିଳାଙ୍କଠାରେ କୌଣସି ଅନ୍ୟ ରୋଗ ନଥିଲା। ସେ କରୋନାରେ ସଂକ୍ରମିତ ହୋଇ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। କୋଭିଡ୍‌ ୪ ହସ୍ପିଟାଲର ଉପଦେଷ୍ଟା ଥିବା ବରିଷ୍ଠ ପ୍ରଫେସର ଡାକ୍ତର ଜ୍ୟୋତି ପଟ୍ଟନାୟକ ଥିବାବେଳେ ଏହି ୟୁନିଟ୍ ଦାୟିତ୍ବରେ ଥିବା ପଲ୍ୟୁମନାରି ବିଭାଗ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଏମ୍‌.ଆର.ଦାସ, ଆଇସିୟୁ ଦାୟିତ୍ବରେ ନିଶ୍ଚେତକ ବିଭାଗ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଦେବାଶିଷ ସ୍ବାଇଁଙ୍କ ତତ୍ତ୍ବାବଧାନରେ ଏହି ଆଣ୍ଟିବଡି କକ୍‌ଟେଲ ବ୍ୟବହାର କରାଯାଇଛି।

The post ଏସ୍‌ସିବିରେ ମହିଳା କରୋନା ଆକ୍ରାନ୍ତ ନେଲେ ଆଣ୍ଟିବଡି କକ୍‌ଟେଲ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3wYhscI