ସମ୍ବଲପୁର : କରୋନା ପାଇଁ ପାଖାପାଖି ଦେଢ଼ ବର୍ଷ ହେଲା ପାଠରେ ଡୋରି ବାନ୍ଧିଛନ୍ତି ଛାତ୍ରଛାତ୍ରୀ। ସମ୍ବଲପୁର ଜିଲ୍ଲାର ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ନଥିବାରୁ ଅପହଞ୍ଚ ପାଲଟିଛି ୟୁଟ୍ୟୁବ୍ ଶିକ୍ଷା। ଅପରପକ୍ଷରେ ଜିଲ୍ଲାର ବହୁ ଗରିବ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ନଥିବା କାରଣରୁ ପାଠପଢ଼ାରୁ ବଂଚିତ ହେଉଛନ୍ତି। ଗତ ବର୍ଷ ଭଳି ଏଥର ବି ୨୬ ପ୍ରତିଶତ ପିଲା ଅଧ୍ୟୟନ କରୁଥିବା ଶିକ୍ଷା ବିଭାଗର ସୂତ୍ରରୁ ପ୍ରକାଶ।

ଗତବର୍ଷ ସରକାର ହ୍ବାଟ୍ସଆପ୍‌ ମାଧ୍ୟମରେ ଆରମ୍ଭ କରାଯାଇଥିବା ଅନ୍‌ଲାଇନ୍‌ ଶିକ୍ଷାର ବିକଳ ଚିତ୍ର ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଜିଲ୍ଲାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାତ୍ର ୧୬ ପ୍ରତିଶତ ଛାତ୍ରଛାତ୍ରୀ ହ୍ବାଟ୍ସଆପ୍‌ ମାଧ୍ୟମରେ ପାଠ ପଢ଼ୁଥିବା ବେଳେ ମାତ୍ର ୨୬ ପ୍ରତିଶତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଶିକ୍ଷାରେ ସାମିଲ ହୋଇଥିଲେ। ଅନେକ ସ୍ଥାନରେ ନେଟଵାର୍‌ ଅପହଞ୍ଚ ସାଜିଥିବା ବେଳେ ଅଧିକାଂଶଙ୍କ ପାଇଁ ଅର୍ଥ ବାଧକ ସାଜିଥିଲା। ବିଶେଷ କରି ବଣଜଂଗଲ ଘେରା କୁଚିଣ୍ଡା ଏବଂ ରେଢ଼ାଖୋଲ ବିଧାନସଭା କ୍ଷେତ୍ରର ହଜାର ହଜାର ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହୋଇଥିଲେ। ଚଳିତ ବର୍ଷ ସରକାର ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି। ଯଦିଓ ଶିକ୍ଷାଦାନ ପ୍ରଣାଳୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି, କିନ୍ତୁ ୟୁଟ୍ୟୁବ୍‌ ପାଇଁ ମଧ୍ୟ ପିଲାମାନଙ୍କୁ ଆଣ଼୍ଡ୍ରଏଡ୍‌ ଫୋନ୍‌ କିମ୍ବା ଆଇଫୋନ୍‌ର ଆବଶ୍ୟକ ପଡ଼ିଥିବାରୁ ଗରିବ ପିଲା ଏବଂ ନେଟ୍‌ୱାର୍କ ନଥିବା ଅଂଚଳର ପିଲାମାନେ ଏଥିରୁ ବଂଚିତ ହେଉଛନ୍ତି।

ଲକ୍‌ଡାଉନ୍‌ ପାଇଁ କାମଧନ୍ଦା ସବୁ ବନ୍ଦ ହୋଇଗଲା ପରେ ଦି’ ଓଳି ଖାଇବା ଯୋଗାଡ଼ କରିବା ଗରିବ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ଏଭଳି କ୍ଷେତ୍ରରେ ପିଲାମାନଙ୍କ ପାଠପଢ଼ା ପାଇଁ ଆଣ୍ଡ୍ରଏଡ୍‌ ଫୋନ୍‌ କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ସରକାର ଚଳିତ ବର୍ଷ ମଧ୍ୟ କେବଳ ପ୍ଲାଟଫର୍ମ ବଦଳାଇଛନ୍ତି। ଏଥିପାଇଁ ମଧ୍ୟ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି। ଏହା ସହ ଫୋନ୍‌ ମଧ୍ୟ ଦରକାର। ବର୍ତ୍ତମାନ ସାରା ରାଜ୍ୟରେ ୟୁଟ୍ୟୁବ ମାଧ୍ୟମରେ ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହୋଇସାରିଛି। ତେବେ ଜିଲ୍ଲା ଶିକ୍ଷା ବିଭାଗର ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ଉପରେ ୨୬ ପ୍ରତିଶତ ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ରେ ପାଠ ପଢ଼ିଥିଲେ। ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଅଧିକାଂଶ ପିଲାଙ୍କ ପାଖରେ ସ୍ମାର୍ଟଫୋନ ନଥିବା ଏଥିରୁ ସ୍ପଷ୍ଟ ଭାବେ ପରିଲଖିତ ହେଉଥିବା ବେଳେ ପ୍ରାୟ ୭୪ ପ୍ରତିଶତ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।

The post ୨୬ ପ୍ରତିଶତ ଛାତ୍ରଛାତ୍ରୀ ପଢ଼ୁଛନ୍ତି ୟୁଟ୍ୟୁବ୍ ପାଠ, ବହୁ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ, ଅନେକ ଜାଗରେ ନେଟ୍‌ୱାର୍କ ନାହିଁ first appeared on Sambad.

from ଜିଲ୍ଲା | Sambad https://ift.tt/3gYXho1