
କୁହିକା : ଖାସିମାଂସ ପାଇଁ ଭାଙ୍ଗିଗଲା ବାହାଘର। ବେଦିକୁ ଯିବା ଆଗରୁ ଫେରିଗଲା ବର। ଅଟକିଗଲା ବିବାହ। ସେଠାରୁ ଚାଲିଯାଇ ବର ଅନ୍ୟତ୍ର ଜଣେ କନ୍ୟାକୁ ବିବାହ କରିବା ଚର୍ଚ୍ଚାର ବିଷୟ ହୋଇଛି। ସୁକିନ୍ଦା ଥାନା ବନ୍ଧଗାଁରେ ହେବାକୁ ଥିବା କନ୍ୟାର ବିବାହ ଖାସିମାଂସ ପାଇଁ ଶେଷମୁହୂର୍ତ୍ତରେ ଭାଙ୍ଗିଯିବା ଘଟଣା ଅନେକଙ୍କୁ କ୍ଷୁବ୍ଧ କରିଛି।
ମିଳିଥିବା ଖବର ଅନୁସାରେ ବନ୍ଧୁବାନ୍ଧବ ଓ ସାହିପଡ଼ିଶାଙ୍କ ଉପସ୍ଥିତିରେ ବିବାହ ପ୍ରସ୍ତୁତି ସରିଥିଲା। କରୋନା କଟକଣାକୁ ଆଖି ଆଗରେ ରଖି ଆଲୋଚନା ଅନୁଯାୟୀ ୨୫ ଜଣଙ୍କ ପାଇଁ କନ୍ୟାପକ୍ଷରୁ ଭୋଜି ଆୟୋଜନ କରାଯାଇଥିଲା। ବର ପକ୍ଷରୁ ପ୍ରାୟ ୫୦ ଜଣ ବରଯାତ୍ରୀ ପହଞ୍ଚିଥିଲେ। ସମସ୍ତଙ୍କ ପାଇଁ ଭୋଜିରେ ଖାସି ମାଂସ ପାଇଁ ଜିଦ କରିଥିଲେ ବରପକ୍ଷ। ଏହାକୁ ନେଇ ଯୁକ୍ତିତର୍କ ବଢ଼ିଲା ଆଉ ବରଯାତ୍ରୀ ସହ ଫେରିଗଲା ବର। ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ମାଣତିରା ଗ୍ରାମରେ କନ୍ୟାଘରେ ଏହା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା।
କେନ୍ଦୁଝର ଜିଲ୍ଲା ରେବଣାପଳାଶପାଳରୁ ଆସିଥିବା ବରପକ୍ଷଙ୍କ ଦାବି ପୂରଣ କରିପାରି ନଥିଲେ କନ୍ୟାପିତା। କେଇଟା ମୁହୂର୍ତ୍ତରେ ନବବଧୂ ସାଜିବାକୁ ଥିବା ଝିଅଟିର ସ୍ବପ୍ନ ଭାଙ୍ଗିଯାଇଥିଲା। ଏହାପରେ ବର ଫେରିଯାଇ କୁହିକା ପଞ୍ଚାୟତ ଗନ୍ଧାପାଳ ଗ୍ରାମରେ ବନ୍ଧୁଘରେ ଆଶ୍ରୟ ନେଇଥିଲେ। ପରଦିନ ଟମକା ଥାନା ଫୁଲଝର ଅଞ୍ଚଳରେ ଜଣେ କନ୍ୟାକୁ ସେ ବିବାହ କରିଥିବା ସୂଚନା ମିଳିଛି। ମଙ୍ଗୁଳା କନ୍ୟାଙ୍କୁ ମଧ୍ୟ ଅନ୍ୟତ୍ର ବିବାହ କରାଇବା ପାଇଁ ପରିବାର ଲୋକେ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି। ଏନେଇ ସୁକିନ୍ଦା ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।
The post ବରଯାତ୍ରୀଙ୍କୁ ଖାସିମାଂସ ନ ଦେବାରୁ ଫେରିଗଲା ବର first appeared on Sambad.from ଜିଲ୍ଲା | Sambad https://ift.tt/3vS5PSY
0 Comments