ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଅଧ୍ୟକ୍ଷାଙ୍କ ଦିଅର ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଦବଙ୍ଗଗିରିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଥାନାରେ ଅଭିଯୋଗ କରିବା ସହ ବ୍ଲକ୍‌ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

ଅଭିଯୋଗ ଅନୁସାରେ, ମଙ୍ଗଳବାର ଅପରାହ୍ଣରେ ବ୍ଲକ୍‌ ଅଧ୍ୟକ୍ଷାଙ୍କ ଦିଅର ସେନାପତି ମଲ୍ଲିକ ଓ ବିନେଶ ଗହୀର ବ୍ଲକ୍‌ କାର୍ଯ୍ୟାଳୟକୁ ଆସିଥିଲେ। ଉଭୟେ ଏନ୍‌ଆର୍‌ଇଜିଏସ୍‌ ବିଭାଗର କୋଠରିରେ ଏପିଓ ବନଜାବାସିନୀ ଦାସଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସେହିଭଳି ସେଠାରେ ଥିବା ଯୋଗାଣ ନିରୀକ୍ଷକ ନଳିନୀକାନ୍ତ ପାଲ ଓ ଦେବାଶିଷ ସାହୁଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ବୁଧବାର ସକାଳୁ ବ୍ଲକ୍‌ର ସମସ୍ତ କର୍ମଚାରୀ ବ୍ଲକ୍‌ ଅଫିସ ପରିସରରେ ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।

ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଡିଓଙ୍କୁ ଲିଖିତ ଭାବରେ ଘଟଣା ସମ୍ପର୍କରେ ଜଣାଇଥିଲେ। ବିଡିଓ ଦେବାଶିଷ ସାମଲ ଓ ଯୋଗାଣ ନିରୀକ୍ଷକ ଶ୍ରୀ ପାଲ ସଇନ୍ତଳା ଥାନାକୁ ଯାଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଏଠାରେ ଉଲ୍ଲେଖଯୋଗ୍ୟ, ଗତ କିଛିମାସ ତଳେ ଅଧ୍ୟକ୍ଷାଙ୍କ ଦିଅର ସେନାପତି ବ୍ଲକ୍‌ର କିଛି କର୍ମଚାରୀଙ୍କୁ ମାଡ଼ପିଟ କରିବା ଅଭିଯୋଗରେ ସଇନ୍ତଳା ଥାନାରେ ମାମଲା ରୁଜୁ ହୋଇଥିଲା।

The post ବ୍ଲକ୍‌ ଅଧ୍ୟକ୍ଷାଙ୍କ ଦିଅରଙ୍କ ଦବଙ୍ଗଗିରି, କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ first appeared on Sambad.

from ଜିଲ୍ଲା | Sambad https://ift.tt/2UsifnD