ମାଲକାନଗିରି : ଭୀମା ପୁଲା। ବୟସ ମାତ୍ର ୧୫ ବର୍ଷ। ଏହି ବୟସରେ ଦୁଇ ଭଉଣୀ ଏବଂ ଭାଇଙ୍କ ଦାୟିତ୍ବ ମୁଣ୍ଡକୁ ନେଇଛନ୍ତି। ୩ବର୍ଷ ହେଲା ସ୍ଥାୟୀ ଠିକଣା ନ ଥିବାବେଳେ ପ୍ରାୟ ଦେଢ଼ ବର୍ଷ ହେଲା ସଂପର୍କୀୟଙ୍କ ଘରେ ପାଳି କରି ଭାଇ, ଭଉଣୀଙ୍କ ସହ ଦିନ କାଟୁଛନ୍ତି। ଦୁନିଆକୁ ଜାଣିବା ପୂର୍ବରୁ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ବାଧ୍ୟ ହୋଇଛନ୍ତି ଅଭାଗା ଭୀମା। ତଥାପି ନିଜେ ଶିକ୍ଷିତ ହେବେ ଏବଂ ଭାଇ, ଭଉଣୀଙ୍କୁ ବି ଶିକ୍ଷିତ କରି‌େବ। ଏମିତି ଲକ୍ଷ୍ୟ ନେଇ ଭୋକର ଜ୍ବାଳାକୁ ସହ୍ୟ କରି ପାଠପଢ଼ା ମଧ୍ୟ ଜାରି ରଖିଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଭେଜାପୁଟ ପଞ୍ଚାୟତ ଅନ୍ତର୍ଗତ ପୁଲାପାଲି ଗାଁର ଏହି ନାବାଳକ ଜଣକ ଧୈର୍ଯ୍ୟ ହରାଇ ନ ଥିବାବେଳେ କେବଳ ଭଲ ସୁଯୋଗ ଏବଂ ସହାୟତାକୁ ଅପେକ୍ଷା କରିଛନ୍ତି।

ପ୍ରାୟ ୪ ବର୍ଷ ତଳେ ମା’ ଚନ୍ଦ୍ରମା ପୁଲାଙ୍କୁ ହରାଇଥିଲେ ଭୀମା। ଏହାପରେ ବାପା ରାମ ପୁଲା ଚିନ୍ତାଗ୍ରସ୍ତ ହୋଇ କାମଧନ୍ଦା ବନ୍ଦ କରିଦେଲେ। ମାନସିକ ବିଷାଦ ମଧ୍ୟରେ ପ୍ରାୟ ୩ବର୍ଷ ତଳେ ପିଲାଙ୍କୁ ଘରେ ଛାଡ଼ି କେଉଁଆଡ଼େ ଚାଲିଗଲେ। ଏହାପରେ ଆଉ କୌଣସି ଖୋଜ ଖବର ମିଳୁନାହିଁ। ଅସହାୟ ଅବସ୍ଥାରେ ରହିଥିବା ଛୋଟ ଛୁଆଙ୍କୁ ସାହାରା ଦେବାକୁ ଆଉ କେହି ନଥିବାରୁ ଗ୍ରାମବାସୀ ଏବଂ ସଂପର୍କୀୟ ରାମଙ୍କୁ ଖୋଜାଖୋଜି କରିବା ସତ୍ତ୍ବେ ପତ୍ତା ପାଇ ନଥିଲେ। ଏହାପରେ ଆରମ୍ଭ ହୋଇଥିଲା ଭୀମା, ଉଉଣୀ ବାସନ୍ତୀ (୧୩ବର୍ଷ), ସବିତା (୧୧ବର୍ଷ) ଏବଂ ଭାଇ ଶିବ (୯ବର୍ଷ)ଙ୍କ ଦୁର୍ବିଷହ ଜୀବନ। ଅଜା, ଦାଦା ଏବଂ ବଡ଼ବାପାଙ୍କ ଘରେ ପାଳି କରି ରହିଲେ। ନାନା ଅଭାବ ଏବଂ ଅସୁବିଧା ମଧ୍ୟରେ କଟିଛି ଗତ ୩ବର୍ଷ।

ବର୍ତ୍ତମାନ ଭୀମା ପଦ୍ମଗିରି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର। ଉଭଣୀ ବାସନ୍ତୀ ଚାଉଳିଗୁଡ଼ା ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ପାଠ ପଢ଼ୁଛନ୍ତି। ସବିତା ଥାପାଗୁଡ଼ା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ପାପାଲିଗୁଡ଼ା ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢ଼ୁଛି ସାନ ଭାଇ ଶିବ। ତେବେ ବିଦ୍ୟାଳୟ ହଷ୍ଟେଲରେ ପାଠ ପଢ଼ୁଥିବାରୁ ଅଧିକାଂଶ ଦିନ ବିଶେଷ ଅସୁବିଧା ନ ହୋଇ କଟି ଯାଉଥିଲା। କିନ୍ତୁ ଗତବର୍ଷ ଠାରୁ କରୋନା କାରଣରୁ ହଷ୍ଟେଲ ବନ୍ଦ ହୋଇଯିବାରୁ ସମସ୍ତେ ଗାଁକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏହାପରେ ଭାଇ, ଭଉଣୀଙ୍କ ସଂପୂର୍ଣ୍ଣ ଦାୟିତ୍ବ ଭୀମା ଉପରେ ପଡ଼ିଛି। ସରକାରୀ ସହାୟତା କହିଲେ ମାସିକ କେବଳ ୨୦କେଜି ଚାଉଳ ମିଳୁଛି। ତେଣୁ ପେଟ ଭର୍ତ୍ତି ଖାଦ୍ୟ ପାଇଁ ଏବେ ଅନ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛନ୍ତି। ବାଲ୍ୟାବସ୍ଥାରେ ପିତା, ମା’ଙ୍କ ସ୍ନେହ ଆଦରରୁ ବଞ୍ଚିତ ହୋଇଥିବା ଏହି ଶିଶୁଙ୍କ ଭବିଷ୍ୟତକୁ ନେଇ ଏବେ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଏହି ଚାରି ଅନାଥ ଶିଶୁଙ୍କୁ ସହଯୋଗ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

The post ସାହାରା ଖୋଜୁଛନ୍ତି ୪ ଅନାଥ; ମା’ ଆରପାରିରେ, ବାପା ବି ଛାଡ଼ି ଚାଲିଗଲେ first appeared on Sambad.

from ଜିଲ୍ଲା | Sambad https://ift.tt/3gCui9t