ଅଡ଼ବା : ଗାଁରେ ବୈଠକ ଡାକି ପୂର୍ବ ଦିନ ରାତିରେ ଦେଲେ ବିଦାୟ ସମ୍ବର୍ଦ୍ଧନା। ଏହା ପର ଦିନ ରାତିରେ କଲେ ହତ୍ୟା। ଗଜପତି ଜିଲ୍ଲା ଅଡ଼ବା ଥାନା ଗୁଲୁବା ପଞ୍ଚାୟତ ମୋଠାଗୁଡ଼ା ଗାଁରେ ବାପା, ପୁଅ ହତ୍ୟା ଘଟଣାରେ ଏହି ଚାଞ୍ଚଲ୍ୟକର ତଥ୍ୟ ପୁଲିସକୁ ମିଳିଛି। ଏହି ଘଟଣାରେ ପୁଲିସ ୧୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମୃତକଙ୍କ ପତ୍ନୀ ଏଲିଅନ୍‌ ଦଳବେହେରା ଓ ତାଙ୍କ ଝିଅଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଗ୍ରାମର ୧୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। କିଛି ଅଭିଯୁକ୍ତ ହତ୍ୟା ଘଟଣାକୁ ସ୍ବୀକାର କରିଥିବା ବେଳେ ପୁଲିସ ଅଧିକ ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କ ଠାରୁ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି, ତାହା ତଦନ୍ତକାରୀ ପୁଲିସକୁ ମଧ୍ୟ ଚକିତ କରିଛି। ହତ୍ୟାକାଣ୍ଡ ପୂର୍ବଦିନ ଅର୍ଥାତ ଶୁକ୍ରବାର ରାତିରେ ବାପାପୁଅଙ୍କୁ ଗ୍ରାମରେ ଏକ ବୈଠକକୁ ଡକାଯାଇଥିଲା। ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ଡକାଯାଇଛି କହି ଉତ୍ତରୀୟ ପ୍ରଦାନ କରାଯାଇଥିଲା। ସେମାନଙ୍କୁ କାହିଁକି ବିଦାୟ ସମ୍ବର୍ଦ୍ଧନା ଦିଆଯାଉଛି, ବାପାପୁଅ କିଛି ବୁଝି ନପାରି ଘରକୁ ଫେରି ଆସିଥିଲେ। ପରଦିନ ଅର୍ଥାତ ଶନିବାର ରାତିରେ ‌ପୂର୍ବ ପ୍ରସ୍ତୁତି ପ୍ରକାରେ ଉଭୟ ବାପା ପୁଅଙ୍କୁ ଡାକି ନେଇ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଏହାର ରହସ୍ୟ ଉନ୍ମୋଚନ ପାଇଁ ପୁଲିସ ତନାଘନା ଚଳାଇଛି। ଖୁବ୍‌ଶୀଘ୍ର ପ୍ରକୃତ ଅଭିଯୁକ୍ତ ଧରା ପଡ଼ିବେ ବୋଲି ଅଡ଼ବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ପୁଲିସର ସୂଚନା ହେଲା, ହତ୍ୟାର ଶିକାର ହୋଇଥିବା ବାପା ଲୁକ ଦଳବେହେରା (୫୭) କାଟିପଙ୍ଗାରୁ ଆସି ମୋଠାଗୁଡ଼ାରେ ପ୍ରାୟ ୧୦ ବର୍ଷରୁ ଅଧିକ ଦିନ ହେଲା ପରିବାର ସହ ରହୁଥିଲେ ଓ ଯାଜକ ଭାବେ କାର୍ଯ୍ୟ କରୁଥିଲେ। ଧର୍ମବାଣୀ ଶୁଣାଇବା ସହ ଝଡ଼ାଫୁଙ୍କା ଓ ଚେରମୂଳି ଔଷଧ ଦେଇ ତୁଟୁକା ଚିକିତ୍ସା କରୁଥିଲେ। ଏଥି‌ରେ ପୁଅ ଅନୁକ ମଧ୍ୟ ବାପାଙ୍କୁ ସହଯୋଗ କରୁଥିଲେ। ହେଲେ ଗତ କିଛି ଦିନ ଅନ୍ତରରେ ଗ୍ରାମର ୪ରୁ ୫ ଜଣ ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ଏହା ଗୁଣିଗାରେଡ଼ି ଜନିତ ବୋଲି ଗ୍ରାମର କିଛି ବ୍ୟକ୍ତି ଲୁକଙ୍କ ଉପରେ ସନ୍ଦେହ କରିଥିଲେ। ଲୁକଙ୍କ ଚିକିତ୍ସା ବିଦ୍ୟା କାମ କରୁ ନଥିବା ବେଳେ ଗୁଣି କରୁଥିବାରୁ ଗ୍ରାମରେ ଏଭଳି ମୃତ୍ୟୁ ଘଟୁଥିବା ଗ୍ରାମବାସୀଙ୍କ ମନରେ ଭାବନା ଜାତ ହୋଇଥିଲା। ତେଣୁ ବାପା ପୁଅଙ୍କୁ ଜୀବନରେ ମାରିଦେବା ପାଇଁ ଅଭିଯୁକ୍ତମାନେ ଯୋଜନା ପ୍ରସ୍ତୁତ କରିଥିଲେ। ଘର ବାରଣ୍ଡାରେ ଶୋଇଥିବା ବେଳେ ବାପା ପୁଅଙ୍କୁ ଡାକି ନେଇ ଘର ଠାରୁ କିଛି ଦୂରରେ ତଣ୍ଟି କାଟି ହତ୍ୟା କରିଥିଲେ। ସରପଞ୍ଚ ଲାଜାର ମାଝିଙ୍କ ଏତଲା ଆଧାରରେ ଅଡ଼ବା ଥାନାରେ ଏକ ମାମଲା (୬୩/୨୧) ରୁଜୁ ହୋଇଛି।

The post ମୋଠାଗୁଡ଼ା ଡବଲ ମର୍ଡର: ୧୨ ଅଟକ, ମିଳିଲା ଚାଞ୍ଚଲ୍ୟକର ତଥ୍ୟ; ବିଦାୟ ସମ୍ବର୍ଦ୍ଧନା ପରେ ବାପା, ପୁଅକୁ ହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3gCcECA