
କଣ୍ଟାମାଳ : କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ଚାରପାଲି ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଗାଁରୁ ୨ କିମି ଦୂର ସରସପୁର ପର୍ଯ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ପାଣି କାଦୁଅ ରାସ୍ତାରେ ପ୍ରାୟ ୫୦ ଟ୍ରିପ ମରୁମ ପକାଇ ରାସ୍ତାକୁ ମରାମତି କରିଛନ୍ତି। ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଥିବା ବେଳେ ପ୍ରଥମ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ ହୋଇ ଯାଇଥିଲା। ଗ୍ରାମବାସୀ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।
ଆଗକୁ ବର୍ଷାଦିନ ଆସିବାକୁ ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଗ୍ରାମର ସଚେତନ ଯୁବକ ବୁଲୁ, ପିଣ୍ଟୁ, ସଂଜିବ, ମଦନ, ମହେନ୍ଦ୍ର, ଶ୍ରୀକାନ୍ତ, ଗୌରାଙ୍ଗ, ଜିତୁ, ପୀତବାସ, ଏବଂ ଆହୁରି ଅନେକ ଶିକ୍ଷିତ ଯୁବକ ମିଶି ଏହି ଗ୍ରାମ୍ୟ ରାସ୍ତାକୁ ମରାମତି କରିଛନ୍ତି। ଦୀର୍ଘ ଦିନରୁ ଏହି ରାସ୍ତାର ମରାମତି ପାଇଁ ଗ୍ରାମବାସୀ ଦପଲା ସରପଞ୍ଚ ଓ ପିଇଓଙ୍କ ଠାରେ ଅଭିଯୋଗ କରିଥିଲେ ହେଁ କେହି ଶୁଣିନଥିଲେ। ଶେଷରେ ଗାଁରେ ବୈଠକ କରି ଏହି ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇ ବୁଧବାର ରାସ୍ତା ନିର୍ମାଣ କରିଥିଲେ। ଗ୍ରାମବାସୀଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି।
The post ଶୁଣିଲାନି ପ୍ରଶାସନ, ଗ୍ରାମବାସୀ କଲେ ରାସ୍ତା ନିର୍ମାଣ first appeared on Sambad.from ଜିଲ୍ଲା | Sambad https://ift.tt/35u6vU4
0 Comments