ସୁନ୍ଦରଗଡ଼: ସମୟ ରାତି ପାଖାପାଖି ୮ଟା। ସ୍ଥାନ ରାଜଗାଙ୍ଗପୁର ବିଜୁ ଏକ୍ସପ୍ରେସ ୱେ ରାଣୀବନ୍ଧ ରାସ୍ତା। ରାଜପଥରେ ଯିବାଆସିବା ଲାଗି ରହିଥାଏ ମାଳମାଳ ଗାଡ଼ି। ଆଉ ଏହି ଗାଡ଼ିର ବିକଟାଳ ଗର୍ଜନ ମଧ୍ୟରେ ରାସ୍ତା କଡ଼ ଷ୍ଟ୍ରିଟ୍ଲାଇଟ୍ ଖୁଣ୍ଟ ତଳେ ବହି ମେଲାଇ ବସିଥାନ୍ତି ଜଣେ ବାଳକ। ନାମ ଅଭିଷେକ ରାୟ, ରାଣୀବନ୍ଧ ସରକାରୀ ବିଦ୍ୟାଳୟରେ ସପ୍ତମ ପଢ଼ୁଥିବା ୧୨ ବର୍ଷର ବାଳକ। ଘରେ ଲାଇଟ୍ ନଥିବାରୁ ବିଦ୍ୟୁତ ଖୁଣ୍ଟ ତଳକୁ ଚାଲି ଆସିଥାନ୍ତି ପଢ଼ିବା ପାଇଁ। ଘଣ୍ଟେ, ଦି’ ଘଣ୍ଟା ପଢ଼ି ଲେଉଟନ୍ତି ଘରକୁ। ଘର କହିଲେ ଏକ୍ସପ୍ରେସ ୱେ ନିକଟରେ ଏକ ସରକାରୀ ଜମିରେ ପାଲ ଢଙ୍କା କୁଡ଼ିଆ। ଘରକୁ ଦେଖିଲେ ବୁଝି ହୋଇଯାଏ, ଏଠାକୁ ଲାଇଟ୍ ସାତ ସପନ। ଆଉ ଏହିସ୍ଥିତିରେ ପାଠ ପ୍ରତି ପ୍ରବଳ ଆଗ୍ରହ ଅଭିଷେକଙ୍କୁ ଟାଣି ଆଣିଛି ଏ ବତି ଖୁଣ୍ଟ ତଳକୁ। ଦିନେ କି ଦି’ ଦିନ ନୁହେଁ, ମାସ ମାସ ଧରି ଏ ରାସ୍ତା କଡ଼ ବତିଖୁଣ୍ଟ ହିଁ ପାଲଟିଛି ଅଭିଷେକଙ୍କ ପାଠଶାଳା। ବିହାର ପାଟନା ଅଞ୍ଚଳରୁ ୩୦ ବର୍ଷ ତଳେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳକୁ ଚାଲି ଆସିଥିଲେ ଅଭିଷେକଙ୍କ ବାପା ଶମ୍ଭୁ ରାୟ ଓ ମା’ ଚମେଲି ଦେବୀ। ଗଙ୍ଗା ନଦୀର ବନ୍ୟା ସବୁ କିଛି ଉଜାଡ଼ି ଦେବା ପରେ ସେମାନେ ଏଠାକୁ ଆସି ରହୁଛନ୍ତି। ଜମିବାଡ଼ି କି ଘର କହିଲେ କିଛି ନାହିଁ। କିଛି ଗାଈ, ମଇଁଷି ରଖି ତା’ କ୍ଷୀର ବିକି ଚଳନ୍ତି ପରିବାର। ଏଠାରେ ଅଭିଷେକଙ୍କ ଜନ୍ମ। ଛୋଟ ଦିନରୁ ଅଭିଷେକଙ୍କ ପାଠ ପଢ଼ାରେ ପ୍ରବଳ ରୁଚି। କିନ୍ତୁ ଅଭାବ ଭିତରେ ସେମାନଙ୍କ ଖାଇବା ଯୋଗାଡ଼ କରିବା କାମରେ ବାପାମା’ଙ୍କ ସହ ତାଙ୍କୁ ହାତ ମିଶାଇବାକୁ ପଡ଼େ। କୋଭିଡ୍ ପାଇଁ ସ୍କୁଲ ବନ୍ଦ ହୋଇଯାଇଥିବାରୁ ଅଭିଷେକଙ୍କ କାମ ଟିକେ ବଢ଼ିଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗାଈ, ମଇଁଷିଙ୍କ ସେବାଯତ୍ନ ଠାରୁ ଆରମ୍ଭ କରି କ୍ଷୀର ଦୁହିଁ ବିକ୍ରି ପାଇଁ ନେବା ଯାଏ ସେ ବାପାଙ୍କୁ ସହଯୋଗ କରିଥାନ୍ତି। ଆଉ ସନ୍ଧ୍ୟା ହୋଇଗଲେ ତାଙ୍କ ଅସଲ ସ୍ବପ୍ନକୁ ସାକାର କରିବା ପାଇଁ ଘରୁ ବାହାରି ଆସନ୍ତି ବହିବସ୍ତାନୀ ଧରି ଘର ଠାରୁ ୧ କିଲୋମିଟର ଦୂରରେ ଥିବା ବତି ଖୁଣ୍ଟ ତଳକୁ। ବତି ଆଲୁଅରେ ଆରମ୍ଭ କରିଦିଅନ୍ତି ପାଠ ପଢ଼ା। କିନ୍ତୁ ପାଠଶାଳା ବି ଅଭିଷେକଙ୍କ ମର୍ଜିରେ ଚାଲେ ନାହିଁ। କେଉଁଦିନ ଲାଇଟ୍ ନଜଳିଲେ କି ବର୍ଷା ପବନ ହେଲେ ପାଠପଢ଼ା ବନ୍ଦ। ତେବେ ଏମିତି ରାସ୍ତାକଡ଼ ବତିଖୁଣ୍ଟ ତଳେ ପଢ଼ୁଥିବା ଅଭିଷେକଙ୍କ ସ୍ବପ୍ନ ରହିଛି ସିଏ ଭଲ ପଢ଼ି ପୁଲିସ ଅଫିସର ହେବେ ଆଉ ବାପାମାଙ୍କ ଦୁଃଖ ଦୂର କରିବେ। ‘ଅଭିଷେକର ପାଠ ପ୍ରତି ବହୁତ ଆଗ୍ରହ ରହିଛି, କିନ୍ତୁ ଅଭାବୀ ପରିବାର ବଡ଼ କଷ୍ଟରେ ଚଳୁଥିବା ବେଳେ ପାଲକୁଡ଼ିଆରେ ବିଜୁଳି ଆଲୁଅ ସ୍ବପ୍ନ ଦେଖିବା ଅସମ୍ଭବ। ତେଣୁ ପ୍ରଶାସନ ଯଦି ଶୁଣନ୍ତେ, ତାହେଲେ ମୋ ପୁଅର ଏ ଦୁର୍ଦ୍ଦଶା ଦୂର ହୁଅନ୍ତା। ନହେଲେ ତା’ ଭବିଷ୍ୟତ ସେ ବତିଖୁଣ୍ଟ ହିଁ ଗଢ଼ିବ’ ବୋଲି କୋହଭରା କଣ୍ଠରେ କହନ୍ତି ବାପା ଶମ୍ଭୁ।
ଡିଜିଟାଲର ବିଶାଳ ପଟୁଆର ନେଇ ପହଞ୍ଚିଛି ଏକ ବିଂଶ ଶତାବ୍ଦୀ। ଦେଶ ଏବେ ୫-ଜି ପାଇଁ ପ୍ରସ୍ତୁତ। ଏହି ସମୟରେ ସେ ପଟୁଆର ଠାରୁ ବହୁ ଦୂରରେ କାକୁସ୍ଥ ହୋଇ ଠିଆ ହୋଇଛନ୍ତି ଦେଶର ଜଣେ ନିରୀହ ଭବିଷ୍ୟତ ଅଭିଷେକ। ଡିଜିଟାଲ ଦେଶ ପାଇଁ ଏହା ଠାରୁ ବଳି ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ।

The post ଡିଜିଟାଲ ଯୁଗର ଏକ ବିପରୀତ ଦୃଶ୍ୟ, ଷ୍ଟ୍ରିଟ୍ ଲାଇଟ୍ ପାଲଟିଛି ଅଭିଷେକଙ୍କ ପାଠଶାଳା  first appeared on Sambad.

from ଜିଲ୍ଲା | Sambad https://ift.tt/3j5yl0T