ପୁରୀ : ଶନିବାର ‌ଇଞ୍ଜେକ୍ସନ ନେଇ ୧୪ ଜଣ ରୋଗୀ ଅସୁସ୍ଥ ହୋଇପଡ଼ିଥିଲେ। ରବିବାର ପୁଣି ସେହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାା ପରିସରରେ ଜଣେ ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଏଡିଏମ୍‌ଓ ଡାକ୍ତର ପ୍ରଣବ ଶଙ୍କର ଦାସ କହିଛନ୍ତି ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଆସନ୍ତାକାଲି ଏ ନେଇ ଭର୍ଚୁଆଲ ମୋଡ୍‌ରେ ସିଡିଏମଓଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ବୈଠକ ପରେ ଏହି ଘଟଣା ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡା. ଦାସ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ଆଣ୍ଟିବାୟୋଟିକ୍‌ ଇଞ୍ଜେକ୍ସନ ନେବା ପରେ ଯେଉଁ ୧୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ ସେମାନଙ୍କ ମଧ୍ୟରେ ସଦର ଥାନା ଅନ୍ତର୍ଗତ ଦେବୀଘାଟର ରଘୁନାଥ ସାହୁ(୭୦) ଥିଲେ। ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିବାବେଳେ ଇଞ୍ଜେକ୍‌ସନ୍‌ ନେବା ପରେ ଗୁରୁତର ହୋଇପଡ଼ିଥିଲେ। ତେଣୁ ଗତକାଲି ତାଙ୍କୁ ଡାକ୍ତର ଭୁବନେଶ୍ବର କିମ୍ବା କଟକକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଏହି ରୋଗୀଙ୍କୁ ସେମାନଙ୍କର ସମ୍ପର୍କୀୟମାନେ କଟକକୁ ନନେଇ ଏହିଠାରେ ଚିକିତ୍ସା ସେବା ଯୋଗାଇବା ପାଇଁ ‌ କହିଥିଲେ। ତେବେ ଆଜି ଡ୍ୟୁଟିରେ ଥିବା ମହିଳା ଡାକ୍ତର ସୋନାଲି ପାଢ଼ୀ ଏହି ରୋଗୀଙ୍କୁ କଟକ ବଡ଼ଡାକ୍ତରଖାନାକୁ ନେବାପାଇଁ ପରାମର୍ଶ ଦେବା ପରେ ରୋଗୀଙ୍କ ସମ୍ପର୍କୀୟମାନେ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ଓଲଟା ଏହି ମହିଳା ଡାକ୍ତରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ ଖବର ପାଇ ଡାକ୍ତରଖାନା ପୁଲିସ ସହାୟତା କେନ୍ଦ୍ରର ପୁଲିସ ଏବଂ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଉପସ୍ଥିତିରେ ରଘୁନାଥଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକକୁ ସ୍ଥାନାନ୍ତର କରାଯାଇଥିଲା।

The post ମହିଳା ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର, ଉତ୍ତେଜନା first appeared on Sambad.

from ଜିଲ୍ଲା | Sambad https://ift.tt/3h8ytdu