
ରାଉରକେଲା: ଟୋକିଓ ଅଲିମ୍ପିକ୍ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷଣା ହୋଇଯାଇଛି। ଗତ ଗୁରୁବାର ମହିଳା ଦଳ ଓ ଶୁକ୍ରବାର ପୁରୁଷ ଦଳ ଘୋଷଣା କରାଯାଇଛି। ଭାରତୀୟ ପୁରୁଷ ଦଳରେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଥିବାବେଳେ ମହିଳା ଦଳରେ କେବଳ ଦୀପଗ୍ରେସ୍ ଏକ୍କା ସ୍ଥାନ ପାଇଛନ୍ତି। ବୀରେନ୍ଦ୍ର ଓ ଦୀପଗ୍ରେସ୍ଙ୍କର ଏହା ହେଉଛି ଦ୍ବିତୀୟ ଅଲିମ୍ପିକ୍। ଉଭୟେ ୨୦୧୬ ରିଓ ଅଲିମ୍ପିକ୍ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ତେବେ ଏହା ହେଉଛି ଅମିତଙ୍କର ପ୍ରଥମ ଅଲିମ୍ପିକ୍ ପଦାର୍ପଣ। ଏଣୁ ବୀରେନ୍ଦ୍ର ଓ ଦୀପଗ୍ରେସ୍ଙ୍କୁ ଅଲିମ୍ପିକ୍ ଅଭିଜ୍ଞତା ଏବଂ ଅମିତଙ୍କ ଅଲିମ୍ପିକ୍ ପଦାର୍ପଣର ଉତ୍ସାହ, ଦେଶ ତଥା ଓଡ଼ିଶା ପାଇଁ ସୁନାମ ଆଣିବବୋଲି ଆଶା କରାଯାଉଛି। ଅଲିମ୍ପିକ୍ ଦଳରେ ସାମିଲ ହେବାପରେ ଏହି ତିନି ଖେଳାଳି ‘ସମ୍ବାଦ’ ସହ ଟେଲିଫୋନ୍ ଯୋଗେ ନିଜର ପ୍ରତିକ୍ରିୟା ରଖିଛନ୍ତି।
‘ଦଳ ଐକ୍ୟବଦ୍ଧ ହୋଇ କରିସ୍ମା ଦେଖାଇବ’: ବୀରେନ୍ଦ୍ର ଲାକ୍ରା, ଭାରତୀୟ ପୁରୁଷ ଦଳ
‘ଅଲିମ୍ପିକ୍ରେ ଦ୍ବିତୀୟଥର ପାଇଁ ଭାଗନେବି, ଏହାଠାରୁ ବଡ଼ ଖୁସି ଖବର ଆଉ କ’ଣ ହୋଇପାରେ। କେବଳ ମୁଁ ନୁହେଁ ପୁରା ପରିବାର ଉତ୍ସାହିତ। ୨୦୧୨ ଲଣ୍ଡନ ଅଲିମ୍ପିକ୍ରେ ପ୍ରଥମଥର ପାଇଁ ଭାଗନେଇଥିଲି। ତେବେ ଆହତ ସମସ୍ୟା ଯୋଗୁଁ ୨୦୧୬ ରିଓ ଅଲିମ୍ପିକ୍ରୁ ବାଦ୍ ପଡ଼ିଥିଲି। ସେତେବେଳେ ବହୁତ କଷ୍ଟ ଲାଗିଥିଲା। ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଜାତୀୟ ଦଳ ବାହାରେ ରହିଥିଲି। ମାତ୍ର ଏଥିରେ ଭାଙ୍ଗିନପଡ଼ି ନିଷ୍ଠାପରଭାବେ ପରିଶ୍ରମ ଜାରି ରଖିଥିଲି। ମ୍ୟାଜେନମେଣ୍ଟ୍, ଷ୍ଟାଫ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚିକିତ୍ସିତ ହେବାପରେ ପୁଣି ପଡ଼ିଆକୁ ଓହ୍ଲାଇଥିଲି। ପଡ଼ିଆରେ ନିଜର ଶୈଳୀ ଫେରିପାଇବାକୁ ଦିନରାତି ପ୍ରୟାସ କରିଥିଲି। ଟୋକିଓ ଅଲିମ୍ପିକ୍ ଖେଳିବା ନେଇ ପୁରା ବିଶ୍ବାସ ରହିଥିଲା, ଯାହା ଆଜି ପୂରଣ ହୋଇଛି। ଅଲିମ୍ପିକ୍ ପାଇଁ ଆମ ହାତରେ ଆଉ ମାସେ ସମୟ ଅଛି। ଏହି ସମୟ ଭିତରେ ଦଳଗତ ପ୍ରଦର୍ଶନ, ତାଳମେଳକୁ ସୁଦୃଢ଼ କରିବୁ। ଏହି ଦଳ ନୂଆଁ ମୁହଁ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଗଠିତ। ଆଗାମୀ ଦିନରେ ଦଳ ଐକ୍ୟବଦ୍ଧ ହୋଇ ସଫଳତା ସାଉଁଟିବ। ଅଲିମ୍ପିକ୍ରେ ଦଳ କରିସ୍ମା ଦେଖାଇବ। ଦେଶ ତଥା ଓଡ଼ିଶାବାସୀଙ୍କ ଆଶାପୂରଣ କରିବାରେ କୌଣସି ଅବହେଳା କରିବୁନାହିଁ।
ସ୍ବର୍ଗରେ ଥାଇ ବାପା ଖୁସି ଅନୁଭବ କରୁଥିବେ: ଅମିତ ରୋହିଦାସ
‘ଅଲିମ୍ପିକ୍ ଦଳରେ ସାମିଲ ହେବା, ଜୀବନର ସବୁଠାରୁ ଖୁସିର ମୂହୁର୍ତ୍ତ। ଏହି ମୂହୁର୍ତ୍ତ ଚିରସ୍ମିରଣୀୟ ହୋଇ ରହିବ। ୨୦୦୪ ମସିହାରେ କ୍ରୀଡ଼ା ଛାତ୍ରାବାସରେ ଯୋଗଦେବାପରେ ହକି ବିଶ୍ବକପ୍, ଅଲିମ୍ପିକ୍ ବିଷୟରେ ଅବଗତ ହେଲି। ୨୦୦୯ ଉପକନିଷ୍ଠ ଏସିଆ କପ୍ରେ ଭାଗନେବା ସହ ୨୦୧୨ ଏସିଆନ୍ ଚାମ୍ପିଅନସିପ୍ରେ ଭାରତୀୟ ଦଳରେ ସାମିଲ ହୋଇଥିଲି। ୨୦୧୨ ଲଣ୍ଡନ ଅଲିମ୍ପିକ୍ ପାଇଁ କ୍ୟାମ୍ପ୍ରେ ସାମିଲ ହୋଇଥିଲି, ମାତ୍ର ଚୂଡ଼ାନ୍ତ ତାଲିକାରୁ ବାଦ୍ ପଡ଼ିଥିଲି। ୨୦୧୬ ରିଓ ଅଲିମ୍ପିକ୍ ପାଇଁ ମଧ୍ୟ ଦଳରେ ସାମିଲ ହୋଇପାରିନଥିଲି। ମାତ୍ର କେବେ ବି ନିରାଶ ହୋଇନି। ଅଧିକରୁ ଅଧିକ ପରିଶ୍ରମ କରିଚାଲିଥିଲି। ଯାହାର ଫଳ ଆଜି ମିଳିଛି। ପ୍ରତ୍ୟେକ କ୍ରୀଡ଼ାବିତ୍ଙ୍କର ସ୍ବପ୍ନ ଥାଏ ଅଲିମ୍ପିକ୍ ଖେଳିବାକୁ। ବହୁ କମ୍ ଲୋକଙ୍କର ସ୍ବପ୍ନ ପୂରଣ ହୋଇଥାଏ, ସେଥିମଧ୍ୟରୁ ମୁଁ ଜଣେ ଥିବାରୁ ବେଶ୍ ଖୁସି। ପ୍ରକୃତରେ କେତେ ଖୁସି ଅଛି, ତାହା ବର୍ଣ୍ଣନା କରିବାକୁ ମୋ’ ପାଖରେ ଶବ୍ଦ ନାହିଁ। ସବୁବେଳେ ଓଡ଼ିଶାବାସୀଙ୍କ ଭଲପାଇବା, ଆର୍ଶୀବାଦ ପାଇଆସିଛି; ଯାହାକି ମୋତେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛି। କେବଳ ସାମାନ୍ୟ ଦୁଃଖ ରହିଗଲା। ଛୋଟବେଳୁ ଅଲିମ୍ପିକ୍ ସ୍ବପ୍ନ ଦେଖାଇଥିଲେ ବାପା। ସବୁବେଳେ ଅଲିମ୍ପିକ୍କୁ ଲକ୍ଷ୍ୟ ରଖି ପରିଶ୍ରମ ଜାରି ରଖିବାକୁ ପରାମର୍ଶ ଦେଉଥିଲେ। ମାତ୍ର ଏହି ସଫଳତା ଦେଖିବାକୁ ସେ ଆମ ଗହଣରେ ନାହାନ୍ତି। ଗତବର୍ଷ ତାଙ୍କର ଦେହାନ୍ତ ହୋଇଯାଇଛି। ତେବେ ମୁଁ ନିଶ୍ଚିତ, ବାପା ସ୍ବର୍ଗରେ ଥାଇ ଆଜି ଗର୍ବ ଅନୁଭବ କରୁଥିବେ। ଅଲିମ୍ପିକ୍ ଦଳରେ ସାମିଲ ହେବାପରେ ପ୍ରଥମେ ମା’ଙ୍କ ସହ କଥା ହୋଇଥିଲି। ଦୀର୍ଘ ସମୟଧରି କଥା ହୋଇଥିଲି। ବାପାଙ୍କ ସ୍ବପ୍ନ ପୂରଣ କରିବାରେ ସକ୍ଷମ ହୋଇଥିବା ମା’ଙ୍କ ସମେତ ପୁରା ପରିବାର ଆତ୍ମବିଭୋର ହୋଇ ଉଠିଛନ୍ତି।
‘ଏକମାତ୍ର ଓଡ଼ିଆ ଖେଳାଳିଥିବାରୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ: ଦୀବଗ୍ରେସ ଏକ୍କା
‘ମୁଁ ବହୁତ ଖୁସି। ପ୍ରଥମଥର ଅଲିମ୍ପିକ୍ ଖେଳିବାପରେ ଦ୍ବିତୀୟଥର ଖେଳିବାକୁ ବି ପ୍ରବଳ ଇଚ୍ଛା ରହିଥିଲା। ତେବେ କେବଳ ଇଚ୍ଛା ପ୍ରକାଶ କଲେ ସଫଳତା ମିଳିନଥାଏ, ଏଥିପାଇଁ କଠିନ ପରିଶ୍ରମ ଦରକାର। ଆଉ ଲଗାତାର କଠିନ ପରିଶ୍ରମ ବଳରେ ହିଁ ମୁଁ ଦ୍ବିତୀୟଥର ଅଲିମ୍ପିକ୍ ଖେଳିବାକୁ ଯାଉଛି। ପରିବାରବର୍ଗଙ୍କ ଖୁସି ବି ଦ୍ବିଗୁଣିତ ହୋଇଯାଇଛି। ଏବେ ବାଙ୍ଗାଲୋରରେ ଅଭ୍ୟାସ ଜାରି ରଖିଛୁ। ଆଗାମୀ ଗୋଟିଏ ମାସ ଭିତରେ ଦଳ ଆହୁରି ମଜବୁତ ହୋଇଯିବ। ଅଲିମ୍ପିକ୍ ପାଇଁ ଭାରତୀୟ ଦଳ ପୁରା ପ୍ରସ୍ତୁତ। ଗତଥର ଏତେ ଅଭିଜ୍ଞତା ନ ଥିଲା। ଏଥର କିନ୍ତୁ କଠିନ ପରିଶ୍ରମ ଓ ଅଭିଜ୍ଞତା ବଳରେ ଭଲ ପ୍ରଦର୍ଶନ କରିବାକୁ ଦୃଢ଼ ନିଶ୍ଚିତ। ଦଳ ବହୁତ ଭଲ ଅଛି। ଦଳରେ ଏକମାତ୍ର ଓଡ଼ିଆ ଖେଳାଳିଭାବେ ସ୍ଥାନ ପାଇଛି। ଯଦିଓ ଚାପ ନାହିଁ; ମାତ୍ର ମୋତେ ଅଧିକରୁ ଅଧିକମାତ୍ରାରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଉନ୍ନତ ପ୍ରଦର୍ଶନ ପାଇଁ ଏହା ପ୍ରେରଣା ଦେବ। ଓଡ଼ିଶାବାସୀଙ୍କୁ ନିରାଶ ହେବାକୁ ଦେବିନି।
from ଜିଲ୍ଲା | Sambad https://ift.tt/3gBibL1
0 Comments