ହାଟଡ଼ିହି : ହଦଗଡ଼ ଡ୍ୟାମର ଜିରୋ ପଏଣ୍ଟ ନିକଟରେ ଗତ କିଛିବର୍ଷ ପୂର୍ବେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ତୋରଣଟି ଭାଙ୍ଗି ଯାଇଛି। ଅତିନିମ୍ନ ମାନର କାମ ଯୋଗୁଁ ଏପରି ହୋଇଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ହଦଗଡ଼ରେ ଯେତେ ସବୁକାମ ହେଉଛି ତାହା ନିମ୍ନମାନର। କାମ ବେଳେ ଠିକାଦାର ଯାହିତାହି ଭାବେ କାମ କରୁଥିବାରୁ କାମଗୁଡିକ ଦିନ କେଇଟା ଭିତରେ ନଷ୍ଟ ହୋଇଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ଜଳସମ୍ପଦ ବିଭାଗ ପକ୍ଷରୁ ଡ୍ୟାମର ସୁରକ୍ଷା ଲାଗି ଉଭୟ ପାର୍ଶ୍ବରେ ଦୁଇଟି ତୋରଣ ନିର୍ମାଣ କରାଯାଇଥିଲା । ଯେପରି କେହି ବ୍ୟକ୍ତି ବିନା ଅନୁମତିରେ ଡ୍ୟାମ ଉପରକୁ ଯାଇ ନପାରିବେ ସେଥିପାଇଁ ସବୁବେଳେ ଏହାକୁ ତାଲା ପକାଯାଉ ଥିଲା। କିନ୍ତୁ ଗତ କିଛିଦିନ ତଳେ ଜିରୋ ପଏଣ୍ଟ ନିକଟରେ ନିର୍ମିତ ତୋରଣଟି ଭାଙ୍ଗି ବିପଦସଂକୁଳ ଅବସ୍ଥାରେ ଝୁଲୁଛି । ଲୋକମାନେ ଯିବା ଆସିବା କରିବାକୁ ମଧ୍ୟ ଭୟ କରୁଛନ୍ତି ।
ଏ ସମ୍ପର୍କରେ ଜଳସମ୍ପଦ ବିଭାଗର କନିଷ୍ଠଯନ୍ତ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏନସିସି ଠିକାସଂସ୍ଥା ପାଇପ ଲାଇନ କାମ କରୁଥିବା ବେଳେ ତୋରଣର ମୂଳକୁ ଅଧିକ ଗଭୀରର ମାଟି ତାଡି ପକାଇଥିଲେ। ଗତ ‘ୟାସ’ ବାତ୍ୟାରେ ତାହା ଦବି ଯାଇଥିଲା। କମ୍ପାନିର ଏକ ଗାଡି ଲାଗିଯିବାରୁ ତାହା ଭାଙ୍ଗିଯାଇଛି। କମ୍ପାନି କର୍ତ୍ତୃପକ୍ଷଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଛି। କମ୍ପାନି କର୍ତ୍ତୃପକ୍ଷ ଏହାକୁ ଆଉଥରେ ନିର୍ମାଣ କରିବେ ବୋଲି କହିଥିବା କନିଷ୍ଠ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ଏଠାରେ ପ୍ରଶ୍ନ ଉଠେ ଯେ ଏନସିସି କମ୍ପାନି ମେଗା ୱାଟର ପ୍ରୋଜେକ୍ଟ କାମ ନାମରେ କୋଟି କୋଟି ଟଙ୍କାର ରାସ୍ତାକାମକୁ ଖୋଳି ନଷ୍ଟ କରୁଥିବାବେଳେ ଏହି ତୋରଣଟିକୁ ଭାଙ୍ଗି ଦେବା କେତେଦୂର ଯୁକ୍ତିଯୁକ୍ତ। ହଦଗଡକୁ ଏବେ ଅନେକ ପର୍ଯ୍ୟଟକ ଯାତାୟାତ କରୁଥିବାବେଳେ ଯଦି କିଛି ଅଘଟଣ ଘଟେ ତେବେ ଏଥିପାଇଁ କିଏ ଦାୟୀ ରହିବେ ‌ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ହଦଗଡ଼ ଡ୍ୟାମର ତୋରଣ ଭାଙ୍ଗିଲା first appeared on Sambad.

from ଜିଲ୍ଲା | Sambad https://ift.tt/35stM8N