
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ହାତୀନଦୀ କୂଳ ଲଂଘୁଥିବା ଯୋଗୁଁ ବର୍ଷା ଆସିଲେ ନଈକୂଳିଆ ଅଧିବାସୀମାନେ ଆତଙ୍କିତ ହୋଇ ପଡ଼ନ୍ତି। ବର୍ଷ ବର୍ଷ ଧରି ହାତୀ ନଦୀ କୂଳରେ ଆଡ଼ିବନ୍ଧ ନିର୍ମାଣ ପ୍ରତିଶ୍ରୃତି ପାଣିର ଗାର ପାଲଟିଛି। ପ୍ରାୟ ୨୫ରୁ ଅଧିକ ଗାଁର କୂଳ ଖାଉଥିବା ଯୋଗୁଁ ଆଗକୁ ଆଡ଼ି ବନ୍ଧ ନିର୍ମାଣ ପାଇଁ ପଦକ୍ଷେପ ନନେଲେ ପରିସ୍ଥିତି ଶୋଚନୀୟ ହେବା ଆଶଙ୍କା ରହିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ନିଷ୍କାସିତ ଜଳ ହାତୀନଦୀରେ ଛଡ଼ାଯିବା ଯୋଗୁଁ ନଦୀ କୂଳିଆ ଅଧିବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଗତ ୧୯୯୪ ମସିହାରୁ ହାତୀ ନଦୀରେ ନିଷ୍କାସିତ ଜଳ ଛଡ଼ା ଯାଉଥିବା ଯୋଗୁଁ ବର୍ଷସାରା ଅତ୍ୟଧିକ ପାଣି ବୋହିଥାଏ। ବର୍ଷା ଦିନେ ଇନ୍ଦ୍ରାବତୀର ନିଷ୍କାସିତ ଜଳ, ନାଳମାନଙ୍କ ସଂଯୋଗ ଯୋଗୁଁ ହାତୀ ନଦୀରେ ଅତ୍ୟଧିକ ଜଳ ପ୍ରବାହିତ ହେଉଛି। ଫଳରେ ପ୍ରତିବର୍ଷ ନଦୀ କୂଳ ଖାଇବାରେ ଲାଗିଛି।
ଏହାଦ୍ବାରା ନଦୀ ତଟବାସୀ ଆତଙ୍କିତ ହେବାରେ ଲାଗିଛନ୍ତି। କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକର ଖଣ୍ଡିଡଙ୍ଗରିଗୁଡା, ବିରିପୁର, ମାଟିଖାଲ, ବାଲିଛଡା, କର୍ଲାପଡା, କର୍ମେଲି, ପରୁଆଗୁଡା, ଚୁରାଗାଁ, ଟେମରା, ବଙ୍କାପଲା, ଜୁନାଗଡ଼ ବ୍ଲକର ଦାସିଗାଁ, ଚିଲଗୁଡା, କୋଲି ଗାଁ, କୋଟେନ, ବଣିଜରା, ମାଟି ଗାଁ, ବରଗାଁ, ପଲାସ, ବଲଧିଆମାଲ, ବାଗଡଙ୍ଗରି, ସାହାଜକନା, ମିଚାଗାଁ, ମସିଗାଁ, ଭଇଁରିଗୁଡା, ମୁର୍ଲାପଦର, ଚିଙ୍ଗୁଡିସର ଓ ପାଣିଗାଁ ସମେତ ୨୫ରୁ ଊର୍ଦ୍ଧ୍ବ ଗାଁର କୂଳ ଖାଉଥିବା ଯୋଗୁଁ ପ୍ରତିବର୍ଷ ମାଟି ଧୋଇ ନେଉଛି। କଲମପୁର ବ୍ଲକର ବାଲିଛଡା ଗ୍ରାମ କୂଳ ଖାଇଯିବା ଯୋଗୁଁ ଅସ୍ଥିତ୍ବ ହରାଇବାରେ ଲାଗିଛି। ବର୍ଷା ଦିନେ ବନ୍ୟା ସମୟରେ ଏହି ଗାଁଗୁଡ଼ିକରେ ଲୋକେ ଭୟଭୀତ ହୋଇ ରହିଥାନ୍ତି। ଏହି ଗାଁର ଚାଷ ଜମିଗୁଡ଼ିକ ବନ୍ୟାଜଳ ଧୋଇ ନେଉଥିବା ଯୋଗୁଁ ଚାଷଜମି ହ୍ରାସ ପାଇବାରେ ଲାଗିଛି। ଇନ୍ଦ୍ରାବତୀ ପ୍ରକଳ୍ପର ଶକ୍ତି ଉତ୍ପାଦନ ପରେ ନିଷ୍କାସିତ ଜଳ ପ୍ରତିଦିନ ହାତୀନଦୀରେ ଛଡାଯାଉଥିବା ଯୋଗୁଁ ଗାଁଗୁଡ଼ିକର କୂଳ ବିପଜ୍ଜନକ ଅବସ୍ଥାରେ ରହିଛି। ବନ୍ୟା ଆସିଲେ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ହାତୀନଦୀ କୂଳିଆ ଗାଁ କଥା ମନପଡେ, କିନ୍ତୁ ବନ୍ୟା ପରେ ଆଡିବନ୍ଧ ଦାବି ସରକାରୀ ଫାଇଲ ଭିତରେ ହଜିଯାଏ।
ରାଜ୍ୟ ସରକାର ଏ ନେଇ ହାତୀ ନଦୀର ପ୍ରାୟ ୫୫ କିଲୋମିଟର ନଦୀକୂଳ ଅସୁରକ୍ଷିତ ଥିବା ଯୋଗୁଁ ଆଡ଼ିବନ୍ଧ ନିର୍ମାଣ ଓ ବ୍ୟାପକ ବୃକ୍ଷରୋପଣ ପାଇଁ ଠୋସ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏହି ହାତୀନଦୀ ଉପକୂଳ ଅଞ୍ଚଳ ପାଇଁ ଏକ ଦୀର୍ଘ ମିଆଦି ବନ୍ୟା ନିୟନ୍ତ୍ରଣ, ଆଡ଼ିବନ୍ଧ ନିର୍ମାଣ ଓ ବ୍ୟାପକ ବୃକ୍ଷରୋପଣ କରା ନଗଲେ କଳାହାଣ୍ଡି ଜିଲ୍ଲାର ୨୫ରୁ ଅଧିକ ଗାଁ ମାନଚିତ୍ରରୁ ନିଜର ଅସ୍ଥିତ୍ବ ହରାଇବା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ। ତେଣୁ ତୁରନ୍ତ ହାତୀନଦୀ କୂଳରେ ଆଡ଼ିବନ୍ଧ ନିର୍ମାଣ କରାଯିବାକୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
The post ବର୍ଷା ଆସିଲେ ଆତଙ୍କିତ ହାତୀନଦୀ କୂଳବାସୀ, ଆଡ଼ିବନ୍ଧ ନିର୍ମାଣ ପ୍ରତିଶୃତି ପାଣିର ଗାର first appeared on Sambad.from ଜିଲ୍ଲା | Sambad https://ift.tt/3wza72P
0 Comments