ସମ୍ବଲପୁର : ସୋସଆଲ ମିଡିଆରେ ପ୍ରେମିକାଙ୍କ ଅନ୍ତରଂଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବା ମାମଲାରେ ଦୁଇ ପ୍ରତାରକ ‌ପ୍ରେମିକଙ୍କୁ ଗିରଫ କରିବା‌ରେ ସମ୍ବଲପୁର ସାଇବର ଥାନା ପୁଲିସକୁ ସଫଳତା ମିଳିଛି। ଦୁଇଟି ଅଲଗା ଅଲଗା ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ସୁନୀଲ ସାହୁ ଏବଂ ପ୍ରଭାତ କୁମାର ସାହୁକୁ ଗିରଫ କରି ସାଇବର ଥାନା ପୁଲିସ ଆଜି କୋର୍ଟ ଚାଲାଣ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ପ୍ରଭାତ କୁମାର ସାହୁର ଘର କୋଦଳା ଅଂଚଳରେ। ସେ ସମ୍ବଲପୁର ଜିଲ୍ଲାର ଏକ ଇଂଜିନିୟରିଂ କଲେଜରେ ବିଟେକ୍ ପଢ଼ୁଥିବା ବେଳେ ଜଣେ ସହପାଠିନୀ ସହିତ ତାର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତେବେ, ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ଯୁବକ ସହିତ ଛାତ୍ରୀଙ୍କ ସଂପର୍କ ଥିବା ନେଇ ଅଯଥାରେ ସନ୍ଦେହ କରିବାରୁ ସେମାନଙ୍କ ପ୍ରେମରେ ଫାଟ ସୃଷ୍ଟି ହୋଇଥିଲା। ଛାତ୍ରୀ ଜଣକ କଥାବାର୍ତ୍ତା ବନ୍ଦ କରି ଦେବା ପରେ ପ୍ରତି‌ଶୋଧ ପରାୟଣ ପ୍ରଭାତ ସେମାନଙ୍କ ଅନ୍ତରଂଗ ମୁହୂର୍ତ୍ତର ଫଟୋଗୁଡ଼ିକ ଛାତ୍ରୀଙ୍କ ସଂପର୍କୀୟମାନଙ୍କ ପାଖକୁ ପଠାଉଥିଲା। ଏ ସଂକ୍ରାନ୍ତରେ ସାଇବର ଥାନାରେ କେସ୍‌ ନମ୍ବର ୭/୨୦୨୦ ରୁଜୁ ହୋଇଥିଲା।

ଅନ୍ୟ ଏକ ଘଟଣା କ୍ରମରେ ଦେବଗଡ଼ ଜିଲ୍ଲାରେ ନର୍ସିଂ ଶିକ୍ଷା ଗ୍ରହଣ କରୁଥିବା ନାକଟିଦେଉଳ ଅଂଚଳର ଜଣେ ଯୁବତୀ ମଧ୍ୟ ଏଭଳି ପ୍ରତାରଣାର ଶିକାର ହୋଇଥିଲେ। ମିସ୍‌ଡ କଲ୍‌ରୁ କବିସୂର୍ଯ୍ୟନଗର ଥାନା ବୁଡ଼ୁଲିଆ ଗାଁର ସୁନିଲ କୁମାର ସାହୁ ଓ ସଂପୃକ୍ତ ନର୍ସିଂ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସୁନିଲ ଏକ ଟ୍ରାଭେଲ୍‌ସ ଏଜେନ୍ସିରେ କାମ କରୁଥିଲା। ମାତ୍ର କ‌ୌଣସି କାରଣରୁ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ସୁନିଲ ପ୍ରତିଶୋଧ ନେବା ପାଇଁ ସଂପୃକ୍ତ ଛାତ୍ରୀଙ୍କ ନାମରେ ଫେସ୍‌ବୁକ୍‌ରେ ନକଲି ଆକାଉଣ୍ଟ ଖୋଲିଥିଲା। ଉକ୍ତ ଫେସ୍‌ବୁକ ଆକାଉଣ୍ଟରେ ଯୁବତୀ ସହିତ ତା’ର ବିଭିନ୍ନ ଆପତ୍ତିଜନକ ଫଟୋ ପୋଷ୍ଟ କରୁଥିଲା।

ଏ ସଂକ୍ରାନ୍ତରେ ନର୍ସିଂ ଛାତ୍ରୀଙ୍କ ଅଭିଯୋଗକ୍ରମେ ସାଇବର ଥାନାରେ କେସ୍‌ ନମ୍ବର ୨୦/୨୦୨୦ ରୁଜୁ ହୋଇଥିଲା। ଏସ୍‌ପି ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ସାଇବର ଥାନା ଅଧିକାରୀ ତାରାବତୀ ପ୍ରଧାନଙ୍କ ନେତୃ୍ତ୍ବରେ ଯାଇଥିବା ଟିମ୍ ଅଭିଯୁକ୍ତ ପ୍ରଭାତ ଓ ସୁନିଲକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। କୋର୍ଟରେ ଜାମିନ ନହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

The post ସାଇବର ପୁଲିସର ସଫଳତା, ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ କରି ଦୁଇ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3zWbScA