
ବାଲେଶ୍ବର : ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ୫ଟି ସ୍ବାସ୍ଥ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଏବଂ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ହେଲେ ପ୍ରୋଟୋକଲ୍ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହିବାର ଥିଲା। ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ବି ଆସିଥିଲା। ହେଲେ ଜିଲ୍ଲାପାଳ ଜାଣିଶୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇ ନ ଥିଲେ କି କାର୍ଯ୍ୟକ୍ରମକୁ ଡାକି ନଥିଲେ ବୋଲି ବାଲେଶ୍ବର ଜିଲ୍ଲା ବିଜେପି ଅଭିଯୋଗ କରିଛି।
ଜିଲ୍ଲାପାଳ ଶାସକ ଦଳର ହାତବାରିସୀ ସାଜି ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ କରିଛନ୍ତି ବୋଲି ଦଳ ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଉମାକାନ୍ତ ମହାମାତ୍ର କହିଛନ୍ତି। ଜିଲ୍ଲାପାଳଙ୍କ ମନମୁଖି କାର୍ଯ୍ୟ ନେଇ ଆଗାମୀ ଦିନରେ ଦଳ ଆନ୍ଦୋଳନ କରିବ ବୋଲି ସେ କହିଥିଲେ। ଏହି ସମସ୍ତ ପ୍ରକଳ୍ପ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ଉଦ୍ୟମରେ ଟାଟା ଷ୍ଟିଲ, ଏନଏଚଆଇଇ, ଡିଆରଡିଓ ଏବଂ କେନ୍ଦ୍ର ସରକାରଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯାଉଛିI ଜିଲ୍ଲା ସ୍ୱାସ୍ଥ୍ୟ ବିକାଶ ସମିତିର ଅଧକ୍ଷ ଭାବେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ସମୟରେ ବୈଠକ ଡାକି ଏସବୁ କାର୍ଯ୍ୟ ତଦାରଖ ଏବଂ ସମୀକ୍ଷା କରୁଛନ୍ତି I ହେଲେ ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ତାଙ୍କୁ ଉପେକ୍ଷା କରାଯିବା ଗଣତନ୍ତ୍ର ପ୍ରତି କୁଠାରାଘାତ। ଏଥିରେ ଜିଲ୍ଲାପାଳଙ୍କ ଭୂମିକା ସନ୍ଦେହ ଘେରରେ ରହିଥିବା ଦଳ ପକ୍ଷରୁ କୁହାଯାଇଛି।
ଏନେଇ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ ହୋଇଥିଲେ ବି ସେ ଫୋନ ଉଠାଇ ନଥିଲେ। ବାଲେଶ୍ୱର ଜିଲ୍ଲାରେ ୟାସ୍ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହେଲେ କ୍ଷୟକ୍ଷତିର ପରିମାଣ ପ୍ରକୃତ କ୍ଷୟକ୍ଷତିଠାରୁ ଯଥେଷ୍ଟ ଅଧିକା ଦର୍ଶାଇ କେନ୍ଦ୍ର ଦେଇଥିବା ଅର୍ଥ ବାଟମାରଣା କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଦଳ ଅଭିଯୋଗ କରିଛି। ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଈଶ୍ବର ଚନ୍ଦ୍ର ବେହେରା, ଜିଲ୍ଲା ଉପସଭାପତି କମଳା ବିନ୍ଧାଣୀ ଓ କମଳ ଲୋଚନ ଦାସ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ ଏବଂ ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
The post ୫ ସ୍ୱାସ୍ଥ୍ୟ ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ ନେଇ ତେଜିଲା ରାଜନୀତି first appeared on Sambad.from ଜିଲ୍ଲା | Sambad https://ift.tt/3xbeWPH
0 Comments