
ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ବରିଷ୍ଠ ନାଗରିକଙ୍କ ଟିକାକରଣ ଶେଷ ହେବା ପରେ ୩୫ ହଜାର ଯୁବକ ଓ ଯୁବତୀଙ୍କୁ ଟିକାକରଣ କରାଯିବ। ଏ ସଂପର୍କରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ବରିଷ୍ଠ ନାଗରିକଙ୍କ ଟିକାକରଣ ସରିବା ପରେ ହିଁ ଯୁବଗୋଷ୍ଠୀଙ୍କୁ ଟିକାକରଣ ସୁଯୋଗ ମିଳିବ। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସରକଣା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଭିଙ୍ଗାରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ବେଣୁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ବରିଷ୍ଠ ନାଗରିକ ମାନଙ୍କ ଲାଗି ଆବଶ୍ୟକ ପରିମାଣର ଟିକା ଯୋଗାଣ ହେଉନଥିବାରୁ ସମସ୍ତ ବରିଷ୍ଠ ନାଗରିକ ଏଯାଏ ପ୍ରଥମ ଡୋଜ ଟିକା ନେଇପାରି ନଥିବା ସୂଚନା ମିଳିଛି। ସେହିପରି ଆଉ ଅନେକ ବରିଷ୍ଠ ନାଗରିକଙ୍କର ୮୪ ଦିନ ସମୟସୀମା ଅତିକ୍ରାନ୍ତ ହେବା ସ୍ଥିତିରେ ପହଞ୍ଚିଥିଲେ ହେଁ ଦ୍ବିତୀୟ ଡୋଜ ଟିକା ନେଇପାରି ନାହାଁନ୍ତି।
ମୋବାଇଲ ଫୋନକୁ ଦ୍ବିତୀୟ ଡୋଜ ନେବାକୁ ମେସେଜ ଆସିଥିବାରୁ ପାଳିଦିନରେ ପ୍ରଥମ ଡୋଜ ନେଇଥିବା ବରିଷ୍ଠ ନାଗରିକ ଟିକାକରଣ କେନ୍ଦ୍ରକୁ ଯାଉଛନ୍ତି। ହେଲେ ଟିକାକରଣ କେନ୍ଦ୍ରରେ ନିୟମିତ ଭାବେ ୧୦୦ ଜଣଙ୍କୁ ଟିକା ଦେବାକୁ ବ୍ୟବସ୍ଥା ହୋଇଥିବାରୁ ସେମାନେ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ଟିକା କେନ୍ଦ୍ରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ମୁତାବକ ବାଲିଅନ୍ତା ବ୍ଲକ ଅଞ୍ଚଳର ଲୋକ ସଂଖ୍ୟା ୧ ଲକ୍ଷ ୨୫ ହଜାର। ସେଥିମଧ୍ୟରୁ ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜକୁ ମିଶାଇ ୩୦ ହଜାର ବରିଷ୍ଠ ନାଗରିକ ବର୍ତ୍ତମାନ ସୁଦ୍ଧା ଟିକା ନେଇ ସାରିଥିବା କୁହାଯାଇଛି। ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେବା ଦିଗରେ ସ୍ବାସ୍ଥ୍ୟ ବିଭାଗ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
The post ଟିକାକରଣ ହେବେ ୩୫ ହଜାର ଯୁବକ ଯୁବତୀ first appeared on Sambad.from ଜିଲ୍ଲା | Sambad https://ift.tt/2StpBH7
0 Comments