କାଳିଆପାଣି : ଟମକା ଥାନା ନଛିପୁରା ପଞ୍ଚାୟତ ଅନ୍ତର୍ଗତ ଖରଡ଼ାବନ୍ଦୀ ଗାଁର ବଧୂ ଶ୍ରଦ୍ଧାଞ୍ଜଳି(୩୧)ଙ୍କ ମୃତ୍ୟୁ ମାମଲାରେ ତାଙ୍କ ସ୍ବାମୀ ବିଏସଏଫ୍‌ ଯବାନ ସୁରେଶ କୁମାର ମୁଦୁଲି ଓ ବାପା ନୀଳମଣି ମୁଦୁଲିଙ୍କୁ ରବିବାର ଜେଲ୍‌ ଯିବାକୁ ପଡ଼ିଛି। ଟମକା ପୁଲିସ ପକ୍ଷରୁ ଉଭୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ‌ହୋଇଛି। କେସ୍‌ ନମ୍ବର ୭୦/୨୧ ଏବଂ ଆଇପିସି ଦଫା ୪୯୮(କ), ୩୦୨, ୩୦୪(କ) ଓ ୪ ‌ଯୌତୁକ ନିରୋଧ ଆଇନ/୩୪ ଆଧାରରେ ବାପପୁଅଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହୋଇଯିବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଛି। ଏଥିସହ ଗତକାଲି ଖରଡ଼ାବନ୍ଦୀ ଓ ଖାଲପାଳ ଭଦ୍ରଲୋକଙ୍କ ଉପସ୍ଥିତିରେ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ମୃତ ଶ୍ରଦ୍ଧାଞ୍ଜଳିଙ୍କ ପରିବାରକୁ ତାଲିକାଭୁକ୍ତ ଯୌତୁକ ସାମଗ୍ରୀ ‌ହସ୍ତାନ୍ତର କରାଯାଇଛି। ମୃତ ବଧୂଙ୍କ ଦେଢ଼ବର୍ଷର ଶିଶୁପୁତ୍ରକୁ ତାଙ୍କ ଶାଶୂଙ୍କ ହେପାଜତରେ ଛଡ଼ାଯାଇଛି।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ଘରୋଇ ସମସ୍ୟାକୁ ନେଇ ଶ୍ରଦ୍ଧାଞ୍ଜଳି ଏବଂ ଶାଶୂ ଓ ନଣନ୍ଦଙ୍କ ମଧ୍ୟରେ ମନାନ୍ତର ଥିଲା। ସୁରେଶ ରାଜ୍ୟ ବାହାରେ ଚାକିରି କରୁଥିବା ସୁଯୋଗରେ ତାଙ୍କ ପତ୍ନୀଙ୍କୁ ପରିବାର ପକ୍ଷରୁ ନିର୍ଯାତନା ମିଳୁଥିଲା। ସୁରେଶ ଏଥିରେ ଉଭୟପକ୍ଷକୁ ଧରି ଚଳିବା ଉଦ୍ୟମ କରି ଆସୁଥିଲେ। ଆଉ କିଛିଦିନ ଧୈର୍ଯ୍ୟ ଧରି ସହିଯିବା ପାଇଁ ପତ୍ନୀଙ୍କୁ ପରାମର୍ଶ ଦେଇଆସୁଥିଲେ। ଆଗାମୀ ସପ୍ତାହ ନିଜ ଭଉଣୀ ବାହାଘର ଲାଗି ଗତ ୨୩ ତାରିଖରେ ସୁରେଶ କିଛି ଜିନିଷ କିଣିବା ପ‌ାଇଁ ବାଇକ୍‌ରେ ଗାଁ ପାଖ ବଜାର ଯାଇଥିବା ବେଳେ ଶ୍ରଦ୍ଧାଞ୍ଜଳି ଘାସମରା ବିଷ ପିଇ ଦେଇଥିଲେ। ୨୫ ତାରିଖ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସେଦିନ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ଯୁବରାଜ ସ୍ବାଇଁ ସୂଚନା ଦେଇଛନ୍ତି। ସେଠାରେ ଶବ ବ୍ୟବଛେଦ ପରେ ଶ୍ରଦ୍ଧାଞ୍ଜଳିଙ୍କ ମରଶରୀର ଖରଡ଼ାବନ୍ଦୀ ଅଣାଯିବା‌ ପରେ ମୃତକଙ୍କ ଭାଇ ଖାଲପାଳ ଗାଁର ପ୍ରସନ୍ନ କୁମାର ଜେନାଙ୍କ ଏତଲା ଆଧାରରେ ପରଦିନ ଟମକା ଥାନାରେ ଆଉ ଏକ କେସ୍ ରୁଜୁ ହୋଇଥିଲା।

The post ବଧୂହତ୍ୟା ମାମଲା: ଜେଲ୍‌ ଗଲେ ସ୍ୱାମୀ, ଶ୍ୱଶୁର first appeared on Sambad.

from ଜିଲ୍ଲା | Sambad https://ift.tt/3A2Gs4g