
ଘଟଗାଁ : ଘଟଗାଁ ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ବିପୁଳ ଶାଳକାଠ ଚାଲାଣ ହେଉଥିବା ବେଳେ ବନ କର୍ମଚାରୀ ଜାଲ ବିଛାଇ ଧରିବାରେ ସକ୍ଷମ ହୋଇଛି। ମାତ୍ର ଚଢ଼ଉ ବେଳେ କାଠ ମାଫିଆଙ୍କ ସହିତ ଧସ୍ତାଧସ୍ତି ହେବା ଦ୍ବାରା ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି। ବନ ବିଭାଗ କର୍ମଚାରୀମାନେ ବିପୁଳ ପରିମାଣ ଶାଳକାଠ ଏବଂ ଏକ ବୋଲେରେକୁ ଜବତ କରିଥିଲେ। ଘଟଣାରେ ସଂପୃକ୍ତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ତେବେ ବନ ବିଭାଗ କର୍ମଚାରୀ ଓ ପୁଲିସକୁ ଚକମା ଦେଖାଇ କାଠ ମାଫିଆ ଫେରାର ହୋଇଯାଇଛନ୍ତି। ଜବତ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁର ପ୍ରକାଶ କରିଛନ୍ତି।
ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏକ ବୋଲେରୋ ଗାଡ଼ିରେ ଘଟଗାଁ ରେଞ୍ଜର ଢେଙ୍କିକୋଟ ଫରେଷ୍ଟ ସେକ୍ସନର ସାନ୍ତରାପୁର ଗ୍ରାମରୁ ବିଭିନ୍ନ ସାଇଜର ଶାଳ କାଠ ବୋଝେଇ ହୋଇ ଯାଜପୁର ନିକଟ ଷଠିପୁରକୁ ଯାଉଥିବା କେନ୍ଦୁଝର ଡ଼ିଏଫଓ ସ୍ୱୟଂ ମଲ୍ଲିକ କୌଣସି ସୂତ୍ରରୁ ଖବର ପାଇଥିଲେ। ତୁରନ୍ତ କେନ୍ଦୁଝର ଡିଭିଜନ ସ୍କ୍ବାଡ଼୍, ଘଟଗାଁ, ପାଟଣା ଓ ସଦର ରେଞ୍ଜକୁ ଖବର ଦେଇ ୩ଟି ଟିମ୍ ଗଠନ କରିଥିଲେ। ଏହି ତିନିଟି ଟିମ୍ ଘଟଗାଁ, ଢେଙ୍କିକୋଟ ଓ ସୀତାବିଞ୍ଜ ଠାରେ ଜଗି ରହିଥିଲେ। ରାତି ପ୍ରାୟ ଅଢ଼େଇଟା ବେଳେ ଗାଡ଼ିଟି ସାନ୍ତରାପୁରରୁ ବାହାରି ଘଟଗାଁ ଆଡେ ଆସିଥିଲା। ବନ ବିଭାଗ କର୍ମଚାରୀ ଏହା ଜାଣିବା ପରେ ଘଟଗାଁ ବାଇପାସ ନିକଟରେ ଲୋଡ଼ ଟ୍ରକ ଦ୍ୱାରା ରାସ୍ତା ଅବରୋଧ କରିଥିଲେ। ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତ ଜାଣିପାରି କଲେଜ ଛକ ବାଟେ ତାରାଗ୍ରାମ ଦେଇ ପୁନର୍ବାର ସାନ୍ତରାପୁର ଫେରିବାକୁ ଉଦ୍ୟମ କରିଥିଲେ ମାଫିଆ। ଘଟଗାଁ ବନ ବିଭାଗ ଓ ପୁଲିସ ଏହାର ପିଛା କରିଥିଲେ। ତରା ଗ୍ରାମରେ ଏକ କାମ ପାଇଁ ରାସ୍ତା ଉପରେ ଠିଆ ହୋଇଥିବା ଦୁଇଟି ଟ୍ରାକ୍ଟର ମଝିରେ ଦ୍ରୁତଗତିରେ ପଳାଉଥିବା ବେଳେ ଟ୍ରାକ୍ଟର ହୁକରେ ବୋଲେରୋ ଗାଡିର ସାଇଡ ଡୋର ଲାଗିଯାଇଥିଲା। ଫଳରେ ଗାଡିଟି ଅଟକି ଯାଇଥିଲା। ପୁଲିସ ଓ ପରେ ପରେ ବନ କର୍ମଚାରୀ ପହଞ୍ଚି ଡ୍ରାଇଭରକୁ କାବୁ କରିନେଇଥିଲେ।
ମାତ୍ର କାଠ ମାଫିଆ ଓ ହେଲପର ଗାଡ଼ିରୁ ଓହ୍ଲେଇ ଗାଁ ଭିତରକୁ ପଶି ଯାଇଥିଲେ। ଏମାନେ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ ଓ ଧସ୍ତାଧସ୍ତି କରିଥିଲେ। କର୍ମଚାରୀମାନେ ସାମାନ୍ୟ ଆହତ ହୋଇଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଥିରେ ଜଣେ ଆହତ ହୋଇଥିବା ଜଣାଯାଇଛି। ସେଠାରୁ କାଠ ମାଫିଆ ଓ ହେଲପର ଫେରାର ହୋଇଯାଇଥିଲେ। ପରେ ଉକ୍ତ ଗାଡ଼ି(ଓଆର୦୪ଏମ୮୨୬୭)କୁ ଘଟଗାଁ ରେଞ୍ଜକୁ ଅଣାଯାଇଥିଲା। ଗାଡ଼ି ଡ୍ରାଇଭରର ନାମ ଲିପୁ ହେମ୍ବ୍ରମ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଗ୍ରାମରେ ବୋଲି ଜଣାଯାଇଛି। ଗାଡ଼ି ମାଲିକଙ୍କ ଘର ସାନ୍ତରାପୁର। ଜବତ କାଠର ମୂଲ୍ୟ ଏକ ଲକ୍ଷରୁ ଅଧିକ।ଚଢ଼ଉରେ ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁର, ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ, କେନ୍ଦୁଝର ଡିଭିଜନର ସମସ୍ତ କର୍ମଚାରୀ, ସନାତନ ମିଶ୍ର ଫରେଷ୍ଟର, ଫରେଷ୍ଟ ଗାର୍ଡ ଯୋଗେଶ୍ୱର ମାଝୀ, ଯୋଗେନ୍ଦ୍ର ନାଏକ, ସୁବ୍ରତ ପାତ୍ର, ପାରା ଫରେଷ୍ଟ କର୍ମଚାରୀ ଲକ୍ଷ୍ମଣ ମହାନ୍ତ ଓ ଅନ୍ୟମାନେ ସାମିଲ ଥିଲେ।
The post କାଠ ମାଫିଆ-ବନ କର୍ମଚାରୀ ଧସ୍ତାଧସ୍ତି; ଶାଳକାଠ ସହ ବୋଲେରୋ ଜବତ, ଡ୍ରାଇଭର ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3jjvL7F
0 Comments