କୋକସରା : ଟୋକନ ବାତିଲ ଯୋଗୁଁ ମଣ୍ଡିରେ ଧାନ ବିକି ପାରି ନଥିବା ଚାଷୀମାନେ ତାତିଛନ୍ତି। ଶନିବାର ଜୟପାଟଣା-ମୋଟେର ରାସ୍ତାର ଗୁନଗୁନିଆଠାରେ ଉତ୍ତ୍ୟକ୍ତ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ବାତିଲ ଟୋକନ ପୁନଃ କାର୍ଯ୍ୟକ୍ଷମ କରି ମଣ୍ଡିରେ ପଡ଼ିଥିବା ଧାନ କିଣିବାକୁ ଦାବି କରିଛନ୍ତି।

ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ସେମାନେ ଟୋକନ ପାଇ ମଣ୍ଡିରେ ଧାନ ପକାଇଥିଲେ। ହେଲେ ଠିକ୍‌ ସମୟରେ ଧାନ ନଉଠିବାରୁ ଟୋକନ ‌ବାତିଲ ହୋଇଥିଲା। ଏନେଇ ସେମାନେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣିଲେ ନାହିଁ। ଫଳରେ ଚାଷୀମାନେ ମାସ ମାସ ଧରି ମଣ୍ଡିରେ ପଡ଼ିରହିଛନ୍ତି। ଅନ୍ୟପକ୍ଷରେ ବର୍ଷା ଆସିଯାଇଥିବାରୁ ଖୋଲା ଆକାଶ ତଳେ ପଡ଼ିଥିବା ଧାନ ସବୁ ଭିଜି ଗଜା ହେଲାଣି। ମୁଖିଗୁଡ଼ା ଆର୍‌ଏମ୍‌ସି ଅଧୀନରେ ଥିବା ଜୟପାଟଣା ବ୍ଲକ୍‌ର ବିମଳା, ବାନେର, ଗୁନଗୁନିଆ, ରଣମାଲ, ବାଣ୍ଡିଗାଁ, ବଡ଼ଟେମରି, କୋକସରା ବ୍ଲକ୍‌ର ମୋଟେର, କାଶୀବାହାଲ ଓ କଲମପୁର ବ୍ଲକ୍‌ର ଦୁଲୁକିବନ୍ଧ, ବଡ଼କୁଟୁରୁ ଆଦି ମଣ୍ଡିର ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ପିସିସି ସଦସ୍ୟ ଦିଗାମ୍ବର ଦୁରିଆ, ଜିଲ୍ଲା ଯୁବକଂଗ୍ରେସ ଉପସଭାପତି ଲିଙ୍ଗରାଜ ବେହେରା, ସାଧାରଣ ସମ୍ପାଦକ ବେଣୁପାଣି ଦୁର୍ଗା, ଡାକେଶ୍ୱର ଲହଜଳ, ବିଘ୍ନରାଜ ପଣ୍ଡା ଏହାର ନେତୃତ୍ୱ ନେଇଥିଲେ।

ଖବର ପାଇ ଜୟପାଟଣା ତହସିଲଦାର ସୁଭଦ୍ରା ମୁଣ୍ଡିକା, ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନ ଓ ଏଆର୍‌ସିଏସ୍‌ ଭିକାରି ସେଠ ଘଟଣାସ୍ଥଳରେ ପହଞ୍ଚି ଚାଷୀ ଓ ନେତାଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ‌ବାତିଲ ଟୋକନ ପୁନଃ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରତିଶ୍ରୁତ ପାଳନ ନକଲେ ପୁଣି ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସୂଚନା‌ଯୋଗ୍ୟ ଯେ, ୮ଗୋଟି ମଣ୍ଡିର ୧୦୫୫ ଜଣ ଚାଷୀଙ୍କ ଟୋକାନ ବାତିଲ ହୋଇଛି ଓ ଅନେକ ଚାଷୀଙ୍କ ଟୋକନ ଏଯାଏ ଆସିନାହିଁ। ଫଳରେ ପ୍ରାୟ ୪୨ ହଜାର କୁଇଣ୍ଟାଲ ଧାନ ବିଭିନ୍ନ ମଣ୍ଡିରେ ପଡ଼ିରହିଛି।

The post ବାତିଲ ଟୋକନ ପୁନଃ କାର୍ଯ୍ୟକ୍ଷମ ଦାବିରେ ଆନ୍ଦୋଳନ, ଗୁନଗୁନିଆରେ ରାସ୍ତା ଅବରୋଧ first appeared on Sambad.

from ଜିଲ୍ଲା | Sambad https://ift.tt/3jdBFqN