ବଣାଇଁଗଡ଼ : ବାବୁନୂଆଗାଁ-ମୂଷାପୋଷ ରାସ୍ତାରେ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାଟି ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇ ମରଣଯନ୍ତା ପାଲଟିଛି। ଏଥିପାଇଁ ଗ୍ରାମବାସୀ ବଣାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ଦାବି କରିଛନ୍ତି।

ବାବୁନୂଆଗାଁ ଛକରୁ ମୂଷାପୋଷ ପର୍ଯ୍ୟନ୍ତ ୭କିମି ରାସ୍ତାକୁ ରୁକୁଡା ଡ୍ୟାମ ନିର୍ମାଣ ସମୟରେ ସ୍ଥାନୀୟ ବିସ୍ଥାପିତଙ୍କ ଯାତାୟତ ପାଇଁ ନିର୍ମାଣ କରାଯାଇଥିଲା। ତେବେ ଗତ ପ୍ରାୟ ଏକବର୍ଷ ହେବ ରୁକୁଡା ଡ୍ୟାମର ତଳପାର୍ଶ୍ବରେ ଏକ ଘରୋଇ କମ୍ପାନି ପକ୍ଷରୁ ଏକ ପଥର କ୍ରସର ଖୋଲାଯାଇଛି। ଏଥିରୁ ପ୍ରତିଦିନ ଶତାଧିକ ଭାରୀଯାନ ଅନବରତ ଭାବେ ହାଇଓ୍ବା ଗାଡିରେ ଚିପ୍ପ୍, ମେଟାଲ ଇତ୍ୟାଦି ବୋଝେଇ କରି ପରିବହନ କରୁଛି। ଏହି ଭାରୀଯାନ ଗୁଡିକ ମୂଷାପୋଷରୁ ବାହାରି ଶିବନାଥପୁର, କୁର୍ଡାପାଲି, ଝାରବେଡା, ରାଉତାଣି, ବଣ୍ତଡିହି ଦେଇ ଜାତୀୟ ରାଜପଥ ଛକରେ ବାହାରୁଛି। ରାସ୍ତାରେ ଅନବରତ ଭାରୀଯାନ ଗୁଡିକ ଚଳାଚଳ କରୁଥିବାରୁ ଏହି ଅଣଓସାରିଆ ପିଚୁ ରାସ୍ତାଟି ବର୍ତମାନ ଦବିଯାଇ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ଏହା ସହିତ ରାସ୍ତାରେ ସବୁବେଳେ ଭାରୀଯାନ ଗୁଡିକ ଚଳାଚଳ କରୁଥିବାରୁ ସ୍ଥାନୀୟ ଗ୍ରାମବାସୀ ଯାତାୟତ କରିବାକୁ ଭୟ କରୁଛନ୍ତି।

ସେହିପରି ସଦର ମହକୁମାକୁ ଯାତାୟତରେ ଯୋଗାଯୋଗର ବିଚ୍ଛିନ୍ନ ହୋଇପଡୁଥିବାବେଳେ ଗତ ଦୁଇଦିନ ତଳେ ଏକ ପ୍ରସୂତୀ ମହିଳାଙ୍କୁ ୧୦୮ ଆମ୍ବୁଲାନ୍ସ ମୂଷାପୋଷ ଗ୍ରାମକୁ ଯାଇ ନପାରି ଅଧରାସ୍ତାରୁ ଫେରିବାକୁ ପଡିଛି। ଫଳରେ ବହୁ ଜରୁରିକାଳୀନ ରୋଗୀସେବା ପାଇଁ ହନ୍ତସନ୍ତ ହେବାକୁ ପଡୁଛି। ଏ ବିଷୟରେ ଘରୋଇ କମ୍ପାନି ମାଲିକଙ୍କୁ କହିଲେ ସେ ନାନା ଆଳ ଦେଖାଇ ରାସ୍ତାର ଦୂରବସ୍ଥା ପାଇଁ ମୋର କିଛି ଦାୟିତ୍ବ ନାହିଁ ବୋଲି ଉତ୍ତର ଦେଉଛନ୍ତି। ଏଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହାର ବିହୀତ ପ୍ରତିକାର କରିବାକୁ ସ୍ଥାନୀୟ ଗ୍ରାମବାସୀ ଦୃଢ ଦାବି କରିଛନ୍ତି।

The post ବାବୁନୂଆଗାଁ–ମୂଷାପୋଷ ରାସ୍ତା ବେହାଲ first appeared on Sambad.

from ଜିଲ୍ଲା | Sambad https://ift.tt/3h4akEA